-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
18-Sep-2026
ବଲାଙ୍ଗୀର : ନିକଟରେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଆଶ୍ରମ ସ୍କୁଲ ଓ ହଷ୍ଟେଲର ମେସ୍ ଖର୍ଚ୍ଚରୁ ପିଲା ପିଛା ୧୦ ଟଙ୍କା କରି ଲାଞ୍ଚ ନେଇ ଭୁବନେଶ୍ବରରୁ ଆସିଥିବା ୨ ଜଣ ଅଡିଟର ଲକ୍ଷାଧିକ ଟଙ୍କା ସହ ଭିଜିଲାନ୍ସ ଦ୍ବାରା ଧରାପଡି ଗିରଫ ହେବା ଘଟଣା ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଏହି ବିଭାଗରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଛି । ସେମାନଙ୍କ ଠାରୁ ୫୨ ଟି ଲଫାପାରେ ବାରିପଦାର ଏକ ହୋଟେଲ ଓ ନିକଟରୁ ୧୪ ଲକ୍ଷ ୩୮ ହଜାର ଟଙ୍କା ଜବତ ହୋଇଥିବା ଖବରରୁ ପ୍ରକାଶ । ଏଣୁ ଏହିପରି ଦୁର୍ନୀତି ହେଉଥିବା ପଶ୍ଚିମଓଡିଶାର ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର , ସୁବର୍ଣ୍ଣପୁର, ବରଗଡ , ବୌଦ୍ଧ, କଳାହାଣ୍ଡି , ନୂଆପଡା ,ସମ୍ବଲପୁର, ସୁନ୍ଦରଗଡ, ଦେବଗଡ , ଝାରସୁଗୁଡା ଇତ୍ୟାଦି ଜିଲ୍ଲାର ଏହି ବିଭାଗର ସ୍କୁଲ୍ ଓ ହଷ୍ଟେଲ ଗୁଡିକରେ ହେଉଥିବା ଏଭଳି ଦୁର୍ନୀତି ବା ଏହାର ଅଡିଟ ଉପରେ କେବେ ଭିଜିଲାନ୍ସର ଦୃଷ୍ଟି ପଡିବ ବୋଲି ସରକାରଙ୍କୁ ଜନସାଧାରଣ ପ୍ରଶ୍ନ ପଚାରିଛନ୍ତି । ଅନ୍ୟୁନ ଏଭଳି ଦୁର୍ନୀତି ଅଭିଯୋଗ ପ୍ରକାଶ ପାଇ ଆସୁଥିବା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଆଦିବାସୀ ସେବାଶ୍ରମ ଓ ଆଶ୍ରମ ସ୍କୁଲ୍ ର ହଷ୍ଟେଲରେ ଖୁବ୍ ଶୀଘ୍ର ଏଭଳି ପଦକ୍ଷେପ ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି । କାରଣ ଏହି ଜିଲ୍ଲାର ଜିଲ୍ଲା କଲ୍ୟାଣ ଅଧିକାରୀଙ୍କ ଠାରୁ ଅନୁସୂଚିତ ଜାତି ଓ ଜନଜାତିର ଜିଲ୍ଲା ଅଫିସ୍ ଏବଂ ଆବାସିକସ୍କୁଲର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କର କାର୍ଯ୍ୟକଳାପ ସନ୍ଦେହଜନକ ଅଟେ । ଏହି ଦୁଇଟି ଦାଦନପ୍ରବଣ ଜିଲ୍ଲାରେ ଏହି କାରଣରୁ ଏସବୁ ସ୍କୁଲ୍ ଓ ହଷ୍ଟେଲରେ ଜିଲ୍ଲା ଅଧିକାରୀଙ୍କ ଦ୍ବାରା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏଥିପାଇଁ ଅଲିଖିତ ଚୁକ୍ତିଭିତ୍ତିକ ନିଯୁକ୍ତି ଓ ବଦଳି କରାଯାଉଥିବା ସହିତ ସେମାନଙ୍କ ଜରିଆରେ ନିୟମିତ ଲକ୍ଷାଧିକ ଟଙ୍କାର ବଟି ଆଦାୟ କରାଯାଇ ଆସୁଥିବା ବର୍ଷ ବର୍ଷ ଧରି ଅଭିଯୋଗ ପ୍ରକାଶ ପାଇ ଆସୁଛି । ଅଥଚ ଏହା ଉପରେ ଜିଲ୍ଲାପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ବା ସରକାର ଦୃଷ୍ଟି ଦେଉ ନାହାଁନ୍ତି । ସର୍ବୋପରି ଆସୁଥିବା ଅଡିଟ ରିପୋର୍ଟରେ ମଧ୍ୟ ଏହା ଦର୍ଶାଯାଉ ନ ଥିବା ଆଶ୍ଚର୍ଯ୍ୟଜନକ ! ଗୋଟିଏ ଗୋଟିଏ ସ୍କୁଲ୍ ରେ ଏହି ଜିଲ୍ଲାରେ ବର୍ଷ ବର୍ଷ ଧରି ଦୁର୍ନୀତିଗ୍ରସ୍ତ ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀମାନେ ଅବସ୍ଥାପିତ ରହୁଥିବା , ଏପରିକି ଗୋଟିଏ ଗୋଟିଏ ସ୍କୁଲ୍ ରେ ୧୦ / ୧୫ ବର୍ଷକାଳ ରହିଥିବାର ପ୍ରମାଣ ରହିଛି । ଯଦିବା ବଦଳି ହେଉଛି , ଏଠୁ ସେଠିକି କରି ସେଟିଂ କରାଯାଉଛି । ଏଥିଯୋଗୁଁ ଏହି ବଲାଙ୍ଗୀର , ସୁବର୍ଣ୍ଣପୁର ବା ବରଗଡ ଜିଲ୍ଲାର କେତେକ ଆବାସିକ ସ୍କୁଲ୍ ରେ ଶିକ୍ଷକ/ ଅଧ୍ୟାପିକାଙ୍କ ମଧ୍ୟରେ ଅବୈଧ ସମ୍ପର୍କ, ଛାତ୍ରହତ୍ୟା , ଛାତ୍ରୀ ଦୁଷ୍କର୍ମ, ନାବାଳିକା ଗର୍ଭଧାରଣ ପରି ଗୁରୁତର ଅପରାଧ ଓ ଅପ୍ରିୟ ଘଟଣାମାନ ମଧ୍ୟ ଘଟୁଛି । ସବୁଠାରୁ ବଡ ଦୁର୍ନୀତି ହେଉଛି , ପିଲାମାନଙ୍କ ମେସ୍ ରୁ ନିୟମିତ ବାଟମାରଣା । ଯାହାକୁ ଉପରିସ୍ଥ କର୍ତ୍ତୃପକ୍ଷ ଓ ଅଡିଟ ରିପୋର୍ଟରେ ଚପାଇ ଦିଆଯାଇ ଆସୁଛି ।
ଏ ସମ୍ପର୍କରେ ବଲାଙ୍ଗୀର ଡି ଡବ୍ଲୁଓ ପ୍ରତାପ ଚନ୍ଦ୍ର ମହାନ୍ତି , ସୁବର୍ଣ୍ଣପୁର ଡିଡବ୍ଲୁଓ ଅଚ୍ୟୁତାନନ୍ଦ ସିଂ ବା ଏଡିଡବ୍ଲୁଓ ସଂଯୁକ୍ତା ମାଝି ଓ ବରଗଡ ଡି ଡବ୍ଲୁଓ ମଳୟ କୁମାର ଶତପଥୀଙ୍କୁ ପଚାରିଲେ , ସେମାନେ ବେଖାତିର ମନୋଭାବ ଦେଖାଉଛନ୍ତି ଓ ଛାତ୍ରହତ୍ୟା ( ସୁବର୍ଣ୍ଣପୁର- ଚାରଭଟା ), ଛାତ୍ରୀ ଆତ୍ମହତ୍ୟା ( ବରଗଡ - ସାପଲହର ) ବା ଅବୈଧ ଛାତ୍ରୀ ଗର୍ଭଧାରଣ ( ବଲାଙ୍ଗୀର-ଚୂଡାପାଲି ) ଓ ହଷ୍ଟେଲରୁ ନିର୍ଯାତନା ସହି ନପାରି ଛାତ୍ର ପଳାଇବା ( ବଲାଙ୍ଗୀର- ପାଟଣାଗଡ- ବରପଦର ) ବା ଅନ୍ୟାନ୍ୟ ଗୁରୁତର ଅନିୟମିତତାର ଅଭିଯୋଗ ସତ୍ତ୍ବୁ ସେମାନଙ୍କୁ ବଦଳି ବା ସେମାନଙ୍କ ବିରୋଧରେ କୌଣସିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଆଶ୍ଚର୍ଯ୍ୟଜନକ ! ବର୍ଷ ବର୍ଷ ଧରି ଉଠୁଥିବା ଅନିୟମିତତାକୁ ପ୍ରଚୁର ଉତ୍କୋଚବଳରେ ଚପାଇ ଦିଆଯିବା ନିମନ୍ତେ ଏହାର ନିରାକରଣ ସମ୍ଭବ ହେଇପାରୁ ନ ଥିବା କୁହାଯାଉଛି । ଏହିସବୁ ସ୍କୁଲର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କର ଏଥିରୁ ଅନ୍ୟାୟୋପାର୍ଜିତ ସମ୍ପତ୍ତି , ଗାଡିମଟର , ଜାଗାଜମି ,କୋଠାବାଡି ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖିଲେ ଏହା ସ୍ବତଃ ଅନୁମାନ କରିହେଉଛି ।