-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ସାରା ରାଜ୍ୟରେ ଆପାର୍ଟମେଣ୍ଟରେ ରହୁଥିବା ଲୋକ ଏବେ ଘର କିଣି ଫସି ଯାଇଥିବା କହିଲେଣି। କାରଣ ରହୁଥିବା ଫ୍ଲାଟ୍କୁ ସେମାନେ ବିକି ପାରୁନାହାନ୍ତି କି ଭବିଷ୍ୟତରେ ବିକିବା ସମ୍ଭବ ବି ନୁହେଁ। ରାଜ୍ୟ ସରକାରଙ୍କ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍-୨୦୨୪ ଆସିବା ପରେ ସେମାନଙ୍କ ଫ୍ଲାଟ୍ ବିକିବା ବାଟ ବନ୍ଦ ହୋଇଯାଇଛି। ବହୁ ବାଦ ବିବାଦ ପରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତ ଫେବ୍ରୁଆରି ୧୬ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍-୨୦୨୪ ଆଣିଥିଲା। ଏହାପରେ ନୂଆ କରି ନିର୍ମାଣ ହେଉଥିବା ଆପାର୍ଟମେଣ୍ଟ କିଣାବିକା ବାଟ ଫିଟିଥିଲା। ହେଲେ ପୂର୍ବରୁ ଯେଉଁମାନେ ଆପାର୍ଟମେଣ୍ଟ କିଣିଥିଲେ ସେମାନଙ୍କ ପାଇଁ ଫ୍ଲାଟ୍ ବିକିବା ବାଟ ପୂରା ବନ୍ଦ ହୋଇଯାଇଛି। ଲକ୍ଷାଧିକ ଟଙ୍କା ଦେଇ ଫ୍ଲାଟ୍ କିଣିଥିଲେ ବି ଯେପରି ନିଜ ଘରକୁ ନିଜେ ବିକି ପାରିବେନି ସେଭଳି ନିୟମରେ ସରକାର ଛନ୍ଦି ଦେଇଛନ୍ତି।
ଏବେ ଫ୍ଲାଟ୍ ବିକିବା ଲାଗି ଘର ମାଲିକମାନେ ଗଲାବେଳକୁ କୁହାଯାଉଛି ଯେ ତୁମେ କମ୍ପିଟେଣ୍ଟ ଅଥରିଟି (ଉନ୍ନୟନ କର୍ତ୍ତୃପକ୍ଷ, ମହାନଗର ନିଗମ, ପୌର ସଂସ୍ଥା) ପାଖରେ ଓନର୍ସ ଆସୋସିଏସନ୍ର (ଘର ଆବଣ୍ଟିତ ହୋଇଥିବା ବ୍ୟକ୍ତିଙ୍କୁ ନେଇ) ପଞ୍ଜୀକରଣ କର। ଏହା କରିବାକୁ ହେଲେ ଅକୁପାନ୍ସି ସାର୍ଟିଫିକେଟ୍ (ଦଖଲ ପ୍ରମାଣପତ୍ର) ଦେବାକୁ ପଡ଼ିବ। ଅକୁପାନ୍ସି ସାର୍ଟିଫିକେଟ୍ ପାଇବାକୁ ହେଲେ ବିଲଡର୍ ବା ପ୍ରମୋଟର ଦ୍ବାରା ଆପାର୍ଟମେଣ୍ଟର ସମସ୍ତ କମନ୍ ଏରିଆକୁ (ସର୍ବସାଧାରଣ ସ୍ଥାନ) ଓନର୍ସ ଆସୋସିଏସନ୍ ନାମରେ ପଞ୍ଜୀକରଣ କରିବାକୁ ହେବ। ଏହି ନିୟମ ପାଇଁ ଏବେ ଆପାର୍ଟମେଣ୍ଟ ମାଲିକ ବିଲ୍ଡରଙ୍କ ପାଖକୁ ଧାଉଁଛନ୍ତି। ହେଲେ କେଉଁଠି ବିଲଡର୍ ଅଛନ୍ତି ତ କେଉଁଠି ମରିଗଲେଣି କିମ୍ବା ବ୍ୟବସାୟ ବନ୍ଦ କରି ଅନ୍ୟ ବ୍ୟବସାୟ କଲେଣି। କେତେକ ସ୍ଥାନରେ ବିଲଡର୍ ଥିଲେ ବି ପ୍ରକୃତ ଜମି ମାଲିକ (ଯାହାଠାରୁ ପାୱାର ଅଫ୍ ଆଟର୍ଣ୍ଣି ଆଣି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଥିଲା) ନାହାନ୍ତି। କିଛି କ୍ଷେତ୍ରରେ ଏକାଧିକ ଲିଗାଲ୍ ହେୟାର (ଆଇନଗତ ଉତ୍ତରାଧିକାରୀ) ଆସିଲେଣି କିମ୍ବା ଜମି ମାଲିକ ଥିବା ସ୍ଥାନରେ ବିଲଡର୍ ଓ ଜମି ମାଲିକଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ଆଉ ସବୁଠୁ ବଡ଼ କଥା ହେଉଛି ପୂର୍ବରୁ ବିଲଡର୍ମାନେ
ସର୍ବସାଧାରଣ ସ୍ଥାନଗୁଡ଼ିକୁ ଫ୍ଲାଟ୍ ମାଲିକମାନଙ୍କ ନାମରେ କିଛି କିଛି ଅଞ୍ଚଳ ଭାଗ କରି ସମାନ ଭାବେ ପଞ୍ଜୀକରଣ କରିଦେଇଛନ୍ତି। ଏବେ ଯେଉଁ ଅଞ୍ଚଳଗୁଡ଼ିକ ମାଲିକମାନଙ୍କ ନାଁରେ ଅଛି ତାହା ପୁଣି କିପରି ଓନର୍ସ ଆସସୋସିଏସନ୍ ନାଁରେ ହେବ? ୨୦୧୫ରେ ଅକୁପାନ୍ସି ସାର୍ଟିଫିକେଟ୍ ନେବା ନିୟମ ଆସିଲା, ହେଲେ ଏହା ପୂର୍ବରୁ ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟ ପାଇଁ କିପରି ଅକୁପାନ୍ସି ସାର୍ଟିଫିକେଟ୍ ଆଣିବେ? ତାହା କେହି ବୁଝିପାରୁନାହାନ୍ତି।
ନଗର ଉନ୍ନୟନ ବିଭାଗର ଏଭଳି ନିୟମରେ ରାଜ୍ୟର ପ୍ରାୟ ୪ ହଜାରରୁ ଅଧିକ ଆପାର୍ଟମେଣ୍ଟରେ ରହୁଥିବା ୫୦ହଜାରରୁ ଅଧିକ ଘର ମାଲିକ ଧନ୍ଦି ହୋଇଯାଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ବାହାର ରାଜ୍ୟକୁ କିମ୍ବା ବିଦେଶକୁ ଯିବାକୁ ଚାହୁଁଥିବା ଲୋକ, ଝିଅ ବାହାଘର କି ପରିବାରର ଆବଶ୍ୟକତା ମେଣ୍ଟାଇବା କିମ୍ବା ଅନ୍ୟ କୌଣସି କାରଣ ପାଇଁ କେହି ଯଦି ଫ୍ଲାଟ୍ ବିକିବାକୁ ଚାହୁଁଛନ୍ତି ତେବେ ବିକିପାରୁନାହାନ୍ତି। ନଚେତ୍ ଏଗ୍ରିମେଣ୍ଟ୍ କରି ଶାଗ ମାଛ ଦରରେ ଫ୍ଲାଟ୍ ଅନ୍ୟକୁ ହସ୍ତାନ୍ତର କରୁଛନ୍ତି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ୨୦୧୫ ମସିହାରେ ଆପାର୍ଟମେଣ୍ଟ କିଣାବିକା ପାଇଁ ‘ଅକୁପାନ୍ସି ସାର୍ଟିଫିକେଟ୍’ ନେବା ନିୟମ ଆସିଲା। ଏହା ପୂର୍ବରୁ ନିର୍ମାଣ ହେଉଥିବା ଆପାର୍ଟମେଣ୍ଟଗୁଡ଼ିକ ପାଇଁ କମ୍ପ୍ଲିସନ୍ ସାର୍ଟିଫିକେଟ୍ ଦରକାର ପଡ଼ୁଥିଲା। ଏହାକୁ ଦେଖାଇ ଫ୍ଲାଟ୍ କିଣାବିକା ହେଉଥିଲା। ଏହାକୁ ଆର୍କିଟେକ୍ଟମାନେ ଦେଉଥିଲେ। କିନ୍ତୁ ୨୦୨୧-୨୨ରେ ରାଜ୍ୟ ସରକାର ସମସ୍ତ ନୂଆ, ପୁରୁଣା ଆପାର୍ଟମେଣ୍ଟ କିଣାବିକା ଉପରେ ରୋକ୍ ଲଗାଇଦେଲେ। ହାଇକୋର୍ଟରେ ମାମଲା ଦାୟର ହେବା ଏବଂ ବହୁ ଆଲୋଚନା ପରେ ରାଜ୍ୟ ସରକାର ଗତ ଫେବ୍ରୁଆରିରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍-୨୦୨୪ ଆଣିଥିଲେ। ସେହିପରି କ୍ରେଡାଇ ଭୁବନେଶ୍ବରର ସମ୍ପାଦକ ଉମେଶ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ନୂଆ ନିୟମ ଆଣିଛନ୍ତି ତାହା କେବଳ ନୂଆ ପ୍ରକଳ୍ପ ପାଇଁ ଲାଗୁ ହେଉ। ପୁରୁଣା ପ୍ରକଳ୍ପ ପାଇଁ ଲାଗୁ କରି ଲୋକଙ୍କୁ ହଇରାଣ କରାନଯାଉ। ସୋସାଇଟି ପଞ୍ଜୀକରଣ ନିୟମ ଠିକ୍ ଅଛି। କିନ୍ତୁ ଫ୍ଲାଟ୍ ବିକ୍ରି କରିନପାରିବା ବ୍ୟବସ୍ଥା ଠିକ୍ ନୁହେଁ। ୨୦୧୭ ପୂର୍ବରୁ ଯେଉଁମାନେ ସେଲ୍ଡିଡ୍ କରି ଫ୍ଲାଟ୍ କିଣିଛନ୍ତି ତାଙ୍କୁ ସେହି ସେଲ୍ଡିଡ୍ ଉପରେ ଫ୍ଲାଟ୍ ବିକିବାକୁ ଅନୁମତି ଦିଆଯାଉ।