-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ଗୋଦାବରୀଶ ମହାପାତ୍ର(ଜନ୍ମ: ୦୧.୧୦.୧୮୮୯; ମୃତ୍ୟୁ: ୨୫.୧୧.୧୯୬୫) ନାମ ଉଚ୍ଚାରଣ କଲା ମାତ୍ରେ ମନେପଡ଼େ ‘ନିଅଁାଖୁଣ୍ଟା’। ତାଙ୍କ ଦ୍ବାରା ପ୍ରତିଷ୍ଠିତ, ପ୍ରକାଶିତ ଓ ସ˚ପାଦିତ ଏହି ସମାଲୋଚନାଧର୍ମୀ ବ୍ୟଙ୍ଗ ପତ୍ରିକା ସମାଜକୁ ଠିକଣା ବାଟରେ ଚଳାଇବା ପାଇଁ ଜାଗ୍ରତ ପ୍ରହରୀର ଭୂମିକା ତୁଲାଉଥିଲା। ବେଶ୍ କେତେ ଦଶନ୍ଧି ମୁଣ୍ତ ଟେକି ଛିଡ଼ାହୋଇଥିବା ଏହି ପତ୍ରିକାର ସେ ଥିଲେ ସର୍ବସ୍ବ; ଆଉ ଏହା ପାଇଁ ଆର୍ଥିକ ଦୃଷ୍ଟିରୁ ସେ ହୋଇଥିଲେ ସର୍ବସ୍ବାନ୍ତ। ହେଲେ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ପତ୍ରିକାଟିକୁ ବଞ୍ଚାଇରଖିବା ସହ ଲେଖନୀ ଚାଳନା କରିଥିଲେ। ଅଦ୍ୟାବଧି ଏହି ପତ୍ରିକାର ବିକଳ୍ପ ନାହିଁ ବୋଲି କହାଯାଇପାରେ। ଏହି ପତ୍ରିକାର ଉତ୍କୃଷ୍ଟତମ ଅ˚ଶ ଥିଲା ଗୋଦାବରୀଶଙ୍କ ରାଜନୈତିକ ବ୍ୟଙ୍ଗ-ବିଦ୍ରୂପ। ‘ନିଅଁାଖୁଣ୍ଟା’ରେ ପ୍ରକାଶିତ ‘ଡାମରାକାଉ’ ଗୋଦାବରୀଶଙ୍କ ସାମ୍ବାଦିକ ପ୍ରତିଭାର ଏକ ଚମତ୍କାର ପରିପ୍ରକାଶ ଓ ଅଭିନବ ଉଦ୍ଭାବନ। ଓଡ଼ିଆ ପଲ୍ଲିଗୀତ ଅବଲମ୍ବନରେ ସେ ଏଥିରେ ସମାଜ, ରାଜନୀତି ଓ ପ୍ରଶାସନର ଅନ୍ଦି-କନ୍ଦି ଅନୁସନ୍ଧାନ କରୁଥିଲେ। ‘ଡାମରାକାଉ’ ହେଉଛି, କେଉଁଥିରେ ସ˚ପୃକ୍ତି ନ ରଖି ଅପ୍ରିୟ ସତ୍ୟ କହୁଥିବା ଚରିତ୍ର। ଅତୀତର କୌଣସି ଲୋକପ୍ରିୟ ରଚନାର ବ୍ୟଙ୍ଗାନୁକରଣକୁ ‘ଲାଳିକା’ କହାଯାଏ। ଓଡ଼ିଆ ସାହିତ୍ୟରେ ଏହାର ପ୍ରବର୍ତ୍ତକ ଫକୀରମୋହନ ସେନାପତି। ପରେ ଏହାକୁ ଲୋକପ୍ରିୟ କରାଇଥିଲେ ଗୋଦାବରୀଶ, ‘କାନ୍ତକବି’ ଲକ୍ଷ୍ମୀକାନ୍ତ ଓ ଫତୁରାନନ୍ଦ। ବଜାରରେ ହେଉଥିବା କୃତ୍ରିମ ଅଭାବ, ଦରବୃଦ୍ଧି ଓ ଅପମିଶ୍ରଣକୁ ଲକ୍ଷ୍ୟ କରି ଏକଦା ବ୍ୟଙ୍ଗ କରିଥିଲେ ସେ: ‘ବର˚ ନିବାସ ଭଲ କାରାଗାରରେ, ଖାଣ୍ଟି ସୋରିଷ ତେଲ ଯେଉଁଠି ମିଳେ, ଖୋଲା ବଜାରେ କିନ୍ତୁ ହୋଇ ସ୍ବାଧୀନ, ନିପଟ ବୋକା ଛଡ଼ା ନ ହେବ ଆନ।’*
*ଗୋଦାବରୀଶଙ୍କ ଲେଖନୀ ଥିଲା ନିର୍ଭୀକ, ଦୃଢ଼ ଭାବାପନ୍ନ। ‘ନିଅଁାଖୁଣ୍ଟା’ ମାଧ୍ୟମରେ ସେ ଦୁର୍ନୀତି ବିରୋଧରେ ଲଢ଼ୁଥିଲେ; ରାଜନୀତି ଓ ନେତାଙ୍କୁ ବିଦ୍ରୂପ କରୁଥିଲେ। ଓଡ଼ିଶାର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ବିଦ୍ରୂପ କରି ଲେଖିଥିଲେ: ‘ମୂର୍ଖ ଦେଶରେ ଡାକ୍ତର ହେଲି କାହିଁରେ ନ କରି ପାସ୍; ଡୁଡ଼ୁମାକୁ ମୁହିଁ ଆନ୍ଧ୍ରକୁ ଦେଲି ଗଡ଼ଜାତ କରି ଖାସ୍।’ ଆଉ ଜଣେ ବିଶିଷ୍ଟ ରାଜନେତାଙ୍କୁ ସମାଲୋଚନା କରି ଏକ ଗଳ୍ପରେ ଲେଖିଥିଲେ: ‘‘ମୋ ପାଖରେ ‘ପ୍ରତିଭା’ ନାହିଁ, ‘ଟାଉଟର’ ଅଛି, ହାତରୁ ପଇସା ଦେଇ କିଣିଛି।’ ଓଡ଼ିଆ କମ୍ୟୁନିଷ୍ଟ୍ ନେତାଏ ସୁଦ୍ଧା ତାଙ୍କ ବ୍ୟଙ୍ଗରୁ ବାଦ୍ପଡ଼ି ନ ଥିଲେ। ସାମସମୟିକ କେତେକ କମ୍ୟୁନିଷ୍ଟ୍ ନେତାଙ୍କ ନାମକୁ ଏକତ୍ର କରି ଲେଖିଥିଲେ: ‘ରାମ˚ ଗୋବିନ୍ଦ ପୂର୍ବଜ˚ ଦଳପତି˚ ନେତା ଗତି ମୋହନ˚; ଚୀନଜ˚ ଶ୍ରୀଗୁରୁଚରଣ˚ ପେକି˚ପ୍ରିୟ ଧାର୍ମିକ; ବ୍ୟାଜେନ୍ଦ୍ର˚ ସାଠ୍ୟସନ୍ଧ˚ ମାଉଚାଉ ତନୟ କାମଳ˚ ଭ୍ରାନ୍ତମୂର୍ତ୍ତି; ନିନ୍ଦେ ଲୋକଦିରାମ˚ ଚୀନକୁଳ ତିଳକ˚ ଦାନବ˚ ଭାରତାରିମ୍।’ ଏସବୁ ପାଇଁ ଜୀବନରେ ବହୁ ବାର ଆକ୍ରମଣର ଶିକାର ହୋଇଥିଲେ। ବ୍ରହ୍ମପୁରର ଜଣେ ବିତ୍ତଶାଳୀ ବ୍ୟକ୍ତି ଚାହା ପାନ ଆଳରେ ତାଙ୍କୁ ଘରକୁ ଡାକି ମାଡ଼ ଦେବା ପାଇଁ ଉଦ୍ୟମ କରିଥିଲେ। ଓଡ଼ିଶାର ଜଣେ ନେତାଙ୍କ ପ୍ରରୋଚନାରେ ଗୁଣ୍ତାମାନେ କଟକସ୍ଥିତ ଚୌଧୁରୀ ବଜାରରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଆକ୍ରମଣ କରି କ୍ଷତ-ବିକ୍ଷତ କରିଥିଲେ। ଏସବୁ ସତ୍ତ୍ବେ ତାଙ୍କ କଲମ କେବେ ଥମି ନ ଥିଲା। ତାଙ୍କର ଦୃଢ଼ଭାବର ପରିଚୟ ମିଳେ ‘ହେ ମୋ’ର କଲମ’ କବିତାରେ: ‘ତୁମେ ତ ଚାଲିନ ଛଳନାରେ କେବେ ଥକିନ ଗୁଣ୍ତାମିରେ; ପେଷଣ, ଶୋଷଣ, ଦୂଷଣ ଦେଇନ ଏଡ଼େଇ ଏକର ଗାରେ; ଛେଦନ କରିଛ ବନ୍ଧନ ଯେତେ ଅନ୍ଧେ ଦେଇଛ ଆଖି; କାଳ ବକ୍ଷରେ ମହା ଅକ୍ଷରେ ପଦେ ପଦେ ଲେଖିଲେଖି।’ଗେ
ଗୋଦାବରୀଶ ଥିଲେ ଏକଧାରରେ ବ୍ୟଙ୍ଗକାର, ସମାଲୋଚକ, କବି, ଗାଳ୍ପିକ, ଔପନ୍ୟାସିକ, ଶିଶୁ-ସାହିତ୍ୟିକ, ନାଟ୍ୟକାର, ପ୍ରାବନ୍ଧିକ, ସାମ୍ବାଦିକ ଓ ସ˚ସ୍କାରକ। ସେ ମଧ୍ୟ ଥିଲେ ଜଣେ ରସବନ୍ତ ପ୍ରାଣର କବି। ଲେଖିଛନ୍ତି: ‘ଏ ଘରେ ଝୁଲେ ସେମିଜି ସାୟା, ସେ ଘରେ ତା’ର ବେଣୀ, ଆହା କେମିତି ଗଢ଼ା ଚଳେ, ଏ ପାଖେ ହସେ ମାନିନୀ ମାୟା, ସେ ପଟେ ରାଧାରାଣୀ, ମୁଁ ଗୋ ଦଉଡ଼ି ଦେବି ଗଳେ।’ ଉଭୟ ଗଦ୍ୟ ଓ ପଦ୍ୟ ରଚନାରେ ସେ ଥିଲେ ଅଦ୍ବିତୀୟ। ସେ ବ୍ୟକ୍ତି ନ ଥିଲେ, ଥିଲେ ଏକ ଅନୁଷ୍ଠାନ। ପାଖରେ ଡିଗ୍ରି ନ ଥିଲା, ଥିଲା କେବଳ ଶକ୍ତିଶାଳୀ ଲେଖନୀ। ଆଉ ସେହି ଲେଖନୀର ଏ ଭଳି ଆଲୋଡ଼ନକାରୀ ଶକ୍ତି ଥିଲା, ଯାହାକୁ କେହି ଅସ୍ବୀକାର କରିପାରୁ ନ ଥିଲେ। ପୁଣି, ସେ ଜଣେ ଏ ଭଳି ସାହିତ୍ୟିକ, ଯିଏ ନିଜ ଜୀବନରେ ପ୍ରମାଣିତ କରିଯାଇଛନ୍ତି ଯେ, ସାହିତ୍ୟ-ଚର୍ଚ୍ଚା ଏକ ସମ୍ମାନଜନକ ଜୀବିକା ହୋଇପାରେ। ‘ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି’ -ଗୋଦାବରୀଶ ମହାପାତ୍ରଙ୍କ ଏହି କାଳଜୟୀ କବିତା ‘ଉଠ କଙ୍କାଳ’ ହୀନମନ୍ୟତା ଦୂର କରି, ନିଜର ଅସଲ ରୂପ ପ୍ରକାଶ କରି, ବିକାଶ ପଥରେ ଅଗ୍ରଗତି କରିବା ପାଇଁ ସଦା-ସର୍ବଦା ଓଡ଼ିଆଙ୍କୁ ଆହ୍ବାନ ଦେଉଥିବ। ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ଏହି ମହାନ୍ ଓଡ଼ିଆ ଜନ୍ମ ହୋଇଥିଲେ।