-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
05-Oct-2026
ବରପାଲି (ସୁଦାମ ଦୀପ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଜାରିଂ ହାଇସ୍କୁଲ ପରିସରରେ ରକ୍ତଦାନ ଶିବିର ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଜାରିଂ ମଣ୍ଡଳ ଓ ବିଜେପୁର ନଗର ମଣ୍ଡଳର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସେବାମୂଳକ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା, କର୍ମୀ ଓ ସ୍ଥାନୀୟ ଯୁବକମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବରଗଡ଼ ରକ୍ତ ଭଣ୍ଡାରର କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ ଦ୍ୱାରା ଆବଶ୍ୟକ ସମୟରେ ଅନେକ ଜୀବନ ରକ୍ଷା କରାଯାଇପାରିବ ବୋଲି ଆୟୋଜକମାନେ କହିଥିଲେ।କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ଯୋଗଦେଇ ବିଦ୍ୟାଳୟ ପରିସରରେ ଚାରାରୋପଣ କରିଥିଲେ। ଏଥିସହ ସେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ସେବା ମନୋଭାବକୁ ପ୍ରଶଂସା କରିଥିଲେ। ରକ୍ତଦାନ ମାଧ୍ୟମରେ ମଣିଷର ଜୀବନ ରକ୍ଷା ଏବଂ ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା ଉଭୟ କାର୍ଯ୍ୟ ସମାଜ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଫଳ, ଔଷଧୀୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା। ପରିବେଶର ସନ୍ତୁଳନ ରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ସୃଷ୍ଟି ଦିଗରେ ବୃକ୍ଷରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ।ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡ଼ତୀୟା, ମଣ୍ଡଳ ସଭାପତି ଆନନ୍ଦ ବାରିକ, ବିଜେପୁର ନଗର ମଣ୍ଡଳ ସଭାପତି ମହେଶ ଦେବତା, ସରପଞ୍ଚ ପ୍ରଭାସିନୀ ବିଭାର, ପୂର୍ବତନ ମଣ୍ଡଳ ସଭାପତି ଯୋଗୀନ୍ଦ୍ର ପଧାନଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା, କର୍ମୀ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ସାମ୍ବାଦିକ ମାନଙ୍କୁ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ସମ୍ମାନିତ କରିଥିଲେ। ସାମାଜିକ ସଚେତନତା ସୃଷ୍ଟି ଓ ଜନସେବା କ୍ଷେତ୍ରରେ ସାମ୍ବାଦିକମାନଙ୍କ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ରକ୍ତଦାନ, ବୃକ୍ଷରୋପଣ ଓ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟର ବାର୍ତ୍ତା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସମାଜରେ ସେବା ଓ ଦାୟିତ୍ୱବୋଧର ମନୋଭାବ ବୃଦ୍ଧି କରିବାକୁ ପ୍ରୟାସ କରାଯାଉଥିବା ଆୟୋଜକମାନେ କହିଥିଲେ।