-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Apr-2022
ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ଏବେ ପୁଣି ଧୂମାଭଟା ବସ୍ ଷ୍ଟାଣ୍ଡ୍ ରୁ ଅବକାରୀବିଭାଗର ଗଠିତ ସ୍ବତନ୍ତ୍ର ଟିମ୍ ଧରିଛି ୪୨ ବୋତଲ ଏସ୍ କଫ୍ କଫସିରଫ ସହ ଜଣେ ୪ ମାସତଳେ ଏଇ ମାମଲାରେ ଜେଲ୍ ରୁ ଆସିଥିବା ଅଭିଯୁକ୍ତକୁ । ତା'ଠାରୁ ଜଣାପଡିଥିଲା ଯେ ସେ ଏହି ମାଲ୍ ଆଣିଥିଲା ବେଲପଡାର ଜଣକଠାରୁ । ତେବେ ଏଇ ଅଭିଯୁକ୍ତ ଧରଣୀଧର ପ୍ରଧାନ ହେଉ ବା ତା'ରି ସୂଚନାର ସେ ଟପୁ ପୁଟେଲ ହେଉ ; ଏଇ ଚିଲର୍ ମାନଙ୍କୁ ଧରି ମାମଲା ଋଜୁ କରି କୋର୍ଟ ଫରୁଆର୍ଡ କରିଦେଲେ , ଏ କାରବାରକୁ ରୋକି ହେବନାହିଁ ; ଏକଥା ବିଗତ ଏତେବର୍ଷ ହେଲାଣି ବିଶେଷତଃ ବଲାଙ୍ଗୀର , ସୋନପୁର , ନୂଆପଡା , ବରଗଡ ବା ସମ୍ବଲପୁର ଆଦି ପଶ୍ଚିମାଞ୍ଚଳର ଜିଲ୍ଲାରେ ପ୍ରମାଣିତ ହୋଇସାରିଛି । ରାଜ୍ୟବାହାରୁ ଲମ୍ବିଥିବା ଏସ୍ କଫ୍ କଫସିରଫର ଚୋରାଚାଲାଣର ଚେର ସହରାଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସଂପ୍ରସାରିତ ହୋଇସାରିଲାଣି । ପୁଲିସ୍ ଓ ଅବକାରୀବିଭାଗ ତରଫରୁ ମଧ୍ୟ ବହୁବାର ଧରପଗଡ ଅବ୍ୟାହତ ରହିଛି । ତେବେ ପୁଲିସ୍ ଓ ଅବକାରୀବିଭାଗରେ ଭିନ୍ନ ଭିନ୍ନ ଦଫାରେ ମାମଲାଋଜୁ କରାଯାଉଛି । ପୂର୍ବରୁ ଅଦ୍ୟାବଧି ଏହି ଚୋରା ମାରାତ୍ମକ ନିଶାଦ୍ରବ୍ଯର ଧରପଗଡ , ମାଲ୍ ଜବତ , ଅଭିଯୁକ୍ତଙ୍କୁ ଗିରଫ ଓ ଚାର୍ଜଫ୍ରେମ୍ ପ୍ରସ୍ତୁତିର ପ୍ରକ୍ରିୟା କିଭଳି କରାଯାଇଆସୁଛି ଯେ , ସେଇ ସେଇ ଅଭିଯୁକ୍ତମାନେ ବାରମ୍ବାର ଏଇ କାରବାରରେ ଜଡିତ ହେଉଛନ୍ତି , ଏହା ସମୀକ୍ଷାସାପେକ୍ଷ । ସେହିପରି ଉତ୍କଟବେକାରୀ ସମସ୍ୟା , ମୁଖ୍ୟତଃ ଯୁବକମାନଙ୍କୁ ଉପଯୁକ୍ତ କର୍ମଯୋଗାଣରେ ଥଇଥାନ , ଅସାଧୁ ଦଣ୍ଡାଧିକାରୀ ବା ଦୁର୍ନୀତିଗ୍ରସ୍ତ ପୁଲିସ୍ / ଅବକାରୀ କର୍ମଚାରୀଙ୍କ ଭିତିରି ସହଯୋଗ ଇତ୍ୟାଦି ଏହା କମୁ ନଥିବାର କାରଣ କି ?
କିଛିଦିନତଳେ ଏଥିପାଇଁ ଜଣେ ବରିଷ୍ଠ ଡାକ୍ତର ଓ ବଲାଙ୍ଗୀରରେ ଜଣେ ସାମ୍ବାଦିକଙ୍କୁ ନିଶାସକ୍ତଯୁବକମାନଙ୍କ ଦ୍ବାରା ନୃଶଂସହତ୍ୟା , ବହୁ ଗଣ୍ଡଗୋଳ ଓ ଅନେକ ଅପରାଧଘଟଣା ଘଟିଚାଲିଥିବାର ଉଦାହରଣ ରହିଛି । ବଲାଙ୍ଗୀର ଏସ ପିଙ୍କ ନିର୍ଦ୍ଦେଶକ୍ରମେ ସେଥର ରେଳଷ୍ଟେସନ ରାସ୍ତାରେ 'ସମାଜ 'ର ପ୍ରସାର ଅଧିକାରୀଙ୍କ ହତ୍ୟାକାଣ୍ଡ ପରେ ଏହି କାରବାରରେ ଜଡିତ ମାଫିଆଙ୍କୁ ଧରିବାକୁ ଏକ ସ୍ବତନ୍ତ୍ରସ୍କ୍ବାର୍ଡ ଗଠନ କରିଯାଇ ଦିନାକେତେ ତନାଘନା ପରେ ସବୁ ନୀରବ ହେଇଗଲା । ସେହିପରି ନିର୍ବାଚନବେଳେ ରାଜ୍ୟ ଅବକାରୀ କମିଶନରଙ୍କ ସ୍ବତନ୍ତ୍ରବୈଠକରେ ନିର୍ଦ୍ଦେଶକ୍ରମେ ପୁଲିସ୍ ସହ ମିଶି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚୋରାଚାଲାଣ ହେଉଥିବା ନିଶାଦ୍ରବ୍ଯର ଯାନବାହାନ ଉପରେ କଡାକଡି ନଜର ରଖାଯିବାରୁ ବଲାଙ୍ଗୀର ଉପକଣ୍ଠର ପଥରଚେପାଠାରେ ଲୁହାସିଂହାର କୁଖ୍ୟାତ ଗୋଲୁ ଓରଫ ଲକ୍ଷ୍ମୀ ନାରାୟଣ ଅଗ୍ରବାଲ ଭଳି ଆନ୍ତଃରାଜ୍ୟ ଆନ୍ତଃରାଜ୍ୟ କଫସିରଫ ମାଫିଆକୁ ଧରାଯାଇପାରିଥିଲା । ଏହାପୂର୍ବରୁ ଗତବର୍ଷମାନଙ୍କରେ ବଲାଙ୍ଗୀର ସହରର ସାନ ନେଗୀ ଗ୍ୟାଙ୍ଗ୍ ଏକାଧିକବାର ଗିରଫ ହୋଇଥିଲେ । ତାହା ପୂର୍ବରୁ ଖପ୍ରାଖୋଲର ଧଣ୍ଡାମୁଣ୍ଡାର ଦୁଇଭାଇ କୋମନାରୁ ଆଣୁଥିବା କଫସିରଫ ବା କିଛିମାସ ତଳେ ତୁରେକେଲା ନିକଟରେ ରାଜ୍ୟବାହାରୁ ଆସିଥିବା ଏକ ଟ୍ରକ୍ ଭର୍ତ୍ତି କଫସିରଫ ଜବତ ହୋଇଥିଲା । ଏହାପରେ ବେଲପଡା , ପାଟଣାଗଡ , ଜୁରିଆ- ଧଣ୍ଡାମୁଣ୍ଡା ରାସ୍ତାରେ ଜଣକୁ ଧରାଯାଇଥିଲା । ଆଗରୁ ସୋନପୁର ରାସ୍ତାରେ ଗାଡିରେ ଏହା ଆସୁଥିବାବେଳେ ପୁଇଁତଳା ପୁଲିସ୍ ସହ ଚୋରାଚାଲାଣକାରୀମାନଙ୍କର ଗୋଡିଆଗୋଡି ଧରପଗଡ ଭଳି ଘଟଣାମାନ ଘଟି ଆସିଛି । ତେବେ ଏସବୁଥିରେ ଗୋଟିଏ ନିର୍ଦ୍ଦିଷ୍ଟକଥା ଜଣାପଡିଛି ଯେ , ସେହି ଅଭ୍ୟାସଗତ ଚୋରାବେପାରୀମାନେ ଏହି କାରବାରରେ ଜଡିତ ରହିଆସିଛନ୍ତି । ସେମାନଙ୍କୁ ସୁଧାରିବା ଦାୟିତ୍ୱ କାହାର ?
ସବୁଠାରୁ ଚିନ୍ତାଜନକ ବିଷୟ ଏହା ଯେ , ଏହି ମାରାତ୍ମକ ଚୋରା ନିଶା କାରବାରକୁ ସୁରକ୍ଷା ଦେବାରେ କେତେକ ସାମ୍ବାଦିକ , ଓକିଲ , ପୁଲିସ୍ ଓ ପ୍ରଭାବଶାଳୀ ନେତା ଜଡିତ ରହିଥିବା ବିଗତବର୍ଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଣୁ ଏହାର ନିୟନ୍ତ୍ରଣ ସକାଶେ ସରକାର ଏକ ସମନ୍ବିତ ଅଭିଯାନ ଆରମ୍ଭ କରିବା ନିହାତି ଜରୁରୀ ହୋଇପଡିଛି ।