-+91-9937148622 |
prerana_bgr@rediffmail.com |
Tuesday 25th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
ବଲାଙ୍ଗିର,(ପ୍ରେରଣା ଖବର) ଯେତେବେଳେ ସମାଜରେ ବୁଦ୍ଧିଜୀବୀ ନୀରବ ରୁହନ୍ତି ଓ ବ୍ୟବସ୍ଥା ଭୁଷୁଡିବା ଅବସ୍ଥା ହୁଏ ସେତେବେଳେ ଗଣମାଧ୍ୟମର ଦାୟୀତ୍ୱ ବଢାଯାଏ । ସେହି ସମୟରେ ଗଣମାଧ୍ୟମ ସାମାଜିକ ଚେତନା ଜାଗ୍ରତ କରାଇଥାଏ । ସଂପାଦକମାନେ ଉତ୍ତରଦାୟୀତ୍ୱ ନେଇ ବ୍ୟବସ୍ଥା ପରିବର୍ତ୍ତନ ପାଇଁ କଲମକୁ ମଜବୁତ କରିଥାନ୍ତି ବୋଲି ଗତକାଲି ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣାର ୧୭ତମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଦିଲ୍ଲୀରୁ ଆସିଥିବା ପ୍ରଫେସର ଡ.ସୁଜୀତ ପୃଷେଠ କହିଥିଲେ । ସେ ଆହୁରି କହିଲେ ଯେ,ମହାତ୍ମାଗାନ୍ଧୀ ଭାରତକୁ ପରାଧିନତାରୁ ମୁକୁଳାଇବାକୁ ହରିଜନ ପତ୍ରିକ ମାଧ୍ୟମରେ ଆନ୍ଦୋଳନ ସୃଷ୍ଟି କରିଥିଲେ । ଠିକ ସେହିପରି ଗୋପବନ୍ଧୁ, ହରେକୃଷ୍ଣ ମହତାଭଠାରୁ ଆରମ୍ଭ କରି ବଲାଙ୍ଗୀରର ଶିବପ୍ରସାଦ ପାଣ୍ଡିଆ ପର୍ଯ୍ୟନ୍ତ ସମସ୍ତେ ସଂପାଦକ ରହି ସାମାଜିକ ଆନ୍ଦୋଳନରେ ସାମିଲ ଥିଲେ । ୧୮୩୦ ମସିହାରେ
ଓଡିଶା ମାଟିର କିଜିବୁରୁରୁ ଆରମ୍ଭ ହୋଇଥିବା ହାତଲେଖା ପତ୍ରୀକାଠାରୁ ଆଜି ପ୍ରକାଶିତ ହେଉଥିବା ପ୍ରେରଣା ଭଳି ପତ୍ରିକାର ଯଥେଷ୍ଟ ଭୂମିକା ରହିଛି ବୋଲି ଡ.ପୃଷେଠ କହିଥିଲେ । ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁଙ୍କ ସଭାପତିତ୍ୱ ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପାଟଣାଗଡ ବିଧାୟକ ସରୋଜ ମେହେର ଓ ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ ବଲାଙ୍ଗୀର ଜିଲ୍ଲାରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ଦେବା ସହିତ ପ୍ରେରଣା ଖବରକାଗଜର ଉତ୍ତରୋତ୍ତର କାମନା କରିଥିଲେ । ପ୍ରେରଣାର ସଂପାଦକ ରଘୁନନ୍ଦନ
ସିଂହ ସ୍ୱାଗତ ଭାଷଣ ସହିତ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ସଭାପୂର୍ବରୁ ଏକ କବିତା ପାଠୋତ୍ସବ ହୋଇଥିଲା । କବି ସଂଦୀପ କୁଅଁରଙ୍କ ସଭାପତିତ୍ୱ ଓ କବି ରତ୍ନମୟ ତ୍ରୀପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତାପାଠୋତ୍ସବରେ ବଲାଙ୍ଗୀରର ବହୁସଂଖ୍ୟାରେ କବିମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦର ବଲାଙ୍ଗୀର ଜିଲ୍ଲାପ୍ରତିନିଧି ବିଶ୍ୱଜିତ ଦାସ,କଳିଙ୍ଗଟିଭିର ବଲାଙ୍ଗୀର ବ୍ୟୁରୋହେଡ ଚିତ୍ତରଂଜନ ମିଶ୍ର,ପ୍ରେରଣା ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ, ।ନୀଲ ପୃଷ୍ଟି, ନିରଂଜନ ତ୍ରିପାଠୀ, କଣ୍ଟାବାଞ୍ଜି ପ୍ରେସକ୍ଲବ, ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ପିସୟୁନିସନ ଅନୁଷ୍ଠାନ,ପ୍ରତାପ ରଥ, ସମାଜସେବୀ, ଅନୂପ ଜୈନ ଓ ଅନ୍ୟକିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ ସେହିପରି ବାର୍ଷିିର୍କୋତ୍ସବ ଉପଲକ୍ଷେ ଆୟୋଜିତ ବକ୍ତୃତା କଲେଜସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ପ୍ରେରଣାର ବାର୍ଷିକ ସ୍ମରଣୀକା ଏବଂ ଡ.ଗୋବର୍ଦ୍ଧନ ସାହୁଙ୍କ ଲିଖିତ ‘କଁଷି ଆମ୍ର ଝୁପା’ ପୁସ୍ତକକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ଶେଷରେ ସାମ୍ବାଦିକ ଗୋପବନ୍ଧୁ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସମାଜସେବୀ ବାବୁ ପୂଜାରୀ, ହିମାନୀ ତ୍ରିପାଠୀ, ଶିବାନୀ ନାଏକ, ରାଧାକ୍ରିଷ୍ଣ ମିଶ୍ର, ରଂଜିତ ମିଶ୍ର, ରାମନାରାୟଣ ଦାସ, ଆଇନଜୀବୀ ସୁମିତ ଖୁଆସ ପ୍ରମୁଖ ସହଯୋଗ କରିଥିଲେ ।