-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
26-Oct-2020
ଭୁବନେଶ୍ବର, (ପ୍ରେରଣା ଖବର)- ବି˚ଶ ଶତାବ୍ଦୀର ଆଦ୍ୟ ଭାଗରେ ଓଡ଼ିଶାର ସାମାଜିକ, ରାଜନୈତିକ, ସା˚ସ୍କୃତିକ ତଥା ସାହିତ୍ୟ କ୍ଷେତ୍ରକୁ ପ୍ରଭାବିତ କରିଥିବା ଜାତୀୟବାଦୀ ମହାନ୍ ସ୍ରଷ୍ଟାଙ୍କ ମଧ୍ୟରେ ପଣ୍ତିତ ଗୋଦାବରୀଶ ମିଶ୍ର ଅନ୍ୟତମ। ୧୮୮୬ ଅକ୍ଟୋବର୍ ୨୬ରେ ବାଣପୁରର ଶ୍ରୀନିବାସପୁରରେ ସେ ଜନ୍ମ ହୋଇଥିଲେ। ପିତା-ମାତା ଗୋଦାବରୀ ତୀର୍ଥ ଦର୍ଶନ ପରେ, ପୁତ୍ର ଲାଭ କରିଥିବାରୁ, ତାଙ୍କ ନାମ ରଖିଥିଲେ ‘ଗୋଦାବରୀ’। ପରବର୍ତ୍ତୀ କାଳରେ ‘ଭକ୍ତକବି’ ମଧୁସୂଦନ, ଗୋଦାବରୀଶ ପଢ଼ୁଥିବା ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ, ତାଙ୍କ ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ। ‘ଗୋଦାବରୀ’କୁ ଏକ ନାରୀ ନାମ କହି, ସେଥିରେ ‘ଶ’ ଯୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ତାହା ହିଁ ହୋଇଥିଲା*।
*ଗୋଦାବରୀଶ ଶୈଶବରେ ଭଲ ପଢ଼ୁ ନ ଥିଲେ। ଚାହାଳିରେ ଅବଧାନଙ୍କ ଅପେକ୍ଷା ତାଙ୍କ ବେତ ସହ ଗୋଦାବରୀଶଙ୍କ ଅଧିକ ସ˚ପର୍କ ଥିଲା। ବହି ପଢ଼ିବାରେ ତାଙ୍କର ମନ ନ ଥିଲା। ଅବଧାନଙ୍କ ତୁଣ୍ତରୁ ଶୁଣୁଥିବା କଥା ଯାହା ମନେ ରହୁଥିଲା। ‘ଶ’, ‘ଷ’ ଓ ‘ସ’, ‘ଇ’ ଓ ‘ଈ’ ଏବ˚ ‘ଉ’ ଓ ‘ଊ’ ଭିତରେ ଥିବା ଫରକ ସେ ବୁଝିପାରୁ ନ ଥିଲେ। ତେଣୁ ଲେଖିଲା ବେଳେ ସବୁ ବେଳେ ଭୁଲ୍ ଲେଖି ମାଡ଼ ଖାଉଥିଲେ। ଥରେ ପରୀକ୍ଷା ଖାତାରେ ସେ ‘କେଉଟ’ର ବିପରୀତ ଲିଙ୍ଗ ‘କେଉଟୀ’ ଲେଖିଥିଲେ। ‘ହାଡ଼ି ବାଇଦ କୋଶେ, ତୁଣ୍ତ ବାଇଦ ସହସ୍ର କୋଶ’ ପରି କଥାଟା ଚାରିଆଡ଼େ ପ୍ରଚାରିତ ହୋଇଯାଇଥିଲା। ଭାଷା ଜ୍ଞାନ କମ୍ ଥିବାରୁ ସହପାଠୀଙ୍କଠାରୁ ଆରମ୍ଭ କରି ଗୁରୁଜନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଥଟ୍ଟା-ପରିହାସ କରୁଥିଲେ। ସବୁ ବେଳେ ମାଡ଼ ଖାଉଥିଲେ ହେଁ ଅବଧାନଙ୍କ ଉପରେ ସେ ଟିକିଏ ହେଲେ ରାଗ ରଖୁ ନ ଥିଲେ। ଅବଧାନେ ଗିରିଧାରୀ ମହାନ୍ତି ଥିଲେ ସ୍ନେହୀ ସ୍ବଭାବର। ପାଠ ହେଉ ନ ଥିଲା ବୋଲି ସେ ଗୋଦାବରୀଶଙ୍କୁ ମାଡ଼ ମାରୁଥିଲେ। ପାଣି ବେଶି ଥିଲେ ସେ ଗୋଦାବରୀଶଙ୍କୁ କାନ୍ଧରେ ବସାଇ ନଦୀ ପାର କରାଇଦେଉଥିଲେ। ବାଲି ତାତି ଥିଲେ ପିଠିରେ ଲାଉ କରି ବୋହିନେଉଥିଲେ। ବଡ଼ ହେବା ପରେ ଗୋଦାବରୀଶ ନିଜ ପ୍ରିୟ ଅବଧାନଙ୍କୁ ଭୁଲି ନ ଥିଲେ। ବ୍ରାହ୍ମଣ ଘରେ ଜନ୍ମ ହୋଇଥିଲେ ହେଁ, ଧର୍ମ-କର୍ମ, ପୁରୋହିତ କାର୍ଯ୍ୟ ଆଦି ପ୍ରତି ଆଦୌ ଆଗ୍ରହ ନ ଥିଲା। ପଇତା ଛିଣ୍ତାଇ ଏଣେ-ତେଣେ ବୁଲୁଥିବାରୁ ଲୋକେ ‘କଳାପାହାଡ଼’ ଡାକୁଥିଲେ। ଘରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା। ଏହା ସତ୍ତ୍ବେ ବାହ୍ୟ ସହାୟତା ପାଇ କିଶୋର ଗୋଦାବରୀଶ ପୁରୀ ହାଇ ସ୍କୁଲ୍ରେ ଭର୍ତ୍ତିହୋଇପାରିଥିଲେ। କ୍ରମେ ପଢ଼ାରେ ଉନ୍ନତି ହୋଇଥିଲା।*
*ଯୌବନରେ ‘ଉତ୍କଳମଣି’ ଗୋପବନ୍ଧୁଙ୍କ ସ˚ସ୍ପର୍ଶରେ ଆସିବା ପରେ ତାଙ୍କର ଆଚରଣରେ ଆଖିଦୃଶିଆ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ଗୋପବନ୍ଧୁଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେବାକୁ ସେ ଜୀବନର ମୁଖ୍ୟ ବ୍ରତ ଭାବେ ଗ୍ରହଣ କରିଥିଲେ ଏବ˚ ଆଜୀବନ ଜନ-ସେବକ ଭାବେ କାର୍ଯ୍ୟ କରିଥିଲେ। ଗାନ୍ଧୀ ଓ ସୁଭାଷ, ଉଭୟ ଥିଲେ ତାଙ୍କ ଆଦର୍ଶ। ଓଡ଼ିଶାକୁ ଗଢ଼ିବା ପାଇଁ ପଣ୍ତିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର ପ୍ରମୁଖଙ୍କ ସହ ସେ ଭାର୍ଗବୀ ନଦୀ କୂଳରେ ବଜ୍ର ଶପଥ ନେଇଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟରୁ ତାଙ୍କର ଶିକ୍ଷକ ଜୀବନ ଆରମ୍ଭ ହୋଇଥିଲା। ସେ ଥିଲେ ଆଦର୍ଶ ଶିକ୍ଷକ। ଇ˚ରେଜୀ ଭାଷା-ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ପ୍ରବେଶ ଥିଲା। ଶିକ୍ଷକତାରୁ ବିଶେଷ ରୋଜଗାର ହେଉ ନ ଥିବାରୁ ସେ ‘ଲକ୍ଷ୍ମୀ ବୀମା କ˚ପାନି’ର ଏଜେଣ୍ଟ୍ କାମ କରୁଥିଲେ। ପରେ ‘ପ୍ରାଚୀ ବୀମା କ˚ପାନି’ ଗଢ଼ିଥିଲେ। ସେ କିଛି କାଳ କମଳା ଚାଷ କରିଥିବା ମଧ୍ୟ ଜଣାଯାଏ। ତାଙ୍କ ଉଦ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା*।
*ସ୍ବେଚ୍ଛାକୃତ ଭାବେ ଶିକ୍ଷକ ଜୀବନରୁ ଅବସର ନେବା ପରେ ସେ ବିଚ୍ଛିନ୍ନାଞ୍ଚଳରେ ସ˚ଗଠକ ଦାୟିତ୍ବ ତୁଲାଇଥିଲେ। ଏହା ଥିଲା ତାଙ୍କ ରାଜନୈତିକ ଜୀବନର ପ୍ରଥମ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ସେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସାମିଲ ହୋଇଥିଲେ। ସାମୟିକ ଭାବେ କ˚ଗ୍ରେସ୍ ରାଜନୀତି ସହ ସ˚ପୃକ୍ତ ଥିଲେ। ସ୍ବାଧୀନତା ପରବର୍ତ୍ତୀ କାଳରେ କ˚ଗ୍ରେସ୍ଠାରୁ ଦୂରେଇଯାଇ, ଗଢ଼ିଥିଲେ ଗଣତନ୍ତ୍ର ପରିଷଦ। ସୀମା ଆନ୍ଦୋଳନର ସେ ଥିଲେ ଅଗ୍ରଣୀ ସାରଥି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ତଳରେ ସେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ଏହି ସମୟରେ ତାଙ୍କ ଉଦ୍ୟମରେ ‘ଉତ୍କଳ ବିଶ୍ବବିଦ୍ୟାଳୟ’ ସ୍ଥାପିତ ହୋଇଥିଲା। ବିଡ଼ମ୍ବନାର ବିଷୟ ଏହିକି ଯେ, ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସେ ଏହି ବିଶ୍ବବିଦ୍ୟାଳୟର କୁଳପତି ହୋଇପାରି ନ ଥିଲେ। ସେ ଥିଲେ ଆଦର୍ଶବାଦୀ। ମୁଖ୍ୟତଃ, ରାଜ୍ୟ ଓ ରାଜ୍ୟବାସୀଙ୍କ ବିକାଶ ପାଇଁ ସେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ନଚେତ୍, ରାଜନୀତି କ୍ଷେତ୍ର ତାଙ୍କର ପସନ୍ଦ ନ ଥିଲା। ଦୁର୍ନୀତି ସହ ସାମିଲ ନ ହେବାରୁ ରାଜନୀତିର ଶିଖରକୁ ଯାଇପାରି ନ ଥିଲେ। ଏକଦା ଲେଖିଥିଲେ: ‘ରାଜନୀତି କ୍ଷେତ୍ରରେ ବହୁତ ପେଞ୍ଚପାଞ୍ଚ ଚାଲେ। ତାହା ଏକ ବୁଦ୍ଧିର ଖେଳ। ସେହି ବୁଦ୍ଧି ସୁବୁଦ୍ଧି ନୁହେଁ, ପ୍ରାୟ କୁବୁଦ୍ଧି।’ ଏଥିରୁ ତାଙ୍କର ସ୍ବାଧୀନ ଚିନ୍ତାଧାରା ଓ ସ୍ବାଭିମାନର ସ୍ବର ସ୍ପଷ୍ଟ ବାରିହୁଏ। ଅଣ-କ˚ଗ୍ରେସ୍ ମନ୍ତ୍ରିମଣ୍ତଳରେ ଯୋଗଦେଇଥିବାରୁ, ତାଙ୍କୁ କ˚ଗ୍ରେସ୍ ଦଳରୁ ବହିଷ୍କାର କରାଯାଇଥିଲା। ପରେ, ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ହେଁ ସେ ଗ୍ରହଣ କରି ନ ଥିଲେ।
*ପଣ୍ଡିତ ଗୋଦାବରୀଶ ସାରସ୍ବତ କ୍ଷେତ୍ରର ଅବିସ୍ମରଣୀୟ ନାମ। ସାହିତ୍ୟିକ ଭାବେ ଗୋଦାବରୀଶ ଥିଲେ ଏକଧାରରେ କବି, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ଓ ପ୍ରାବନ୍ଧିକ। ସାହିତ୍ୟ କ୍ଷେତ୍ରରେ ସେ ଜଣେ ସଫଳ ସ୍ରଷ୍ଟା। ତାଙ୍କର ସୃଷ୍ଟି ବିପୁଳ। କ୍ଷୁଦ୍ର ଗୀତି କବିତାଠାରୁ ଆରମ୍ଭକରି ଦୀର୍ଘ ଗାଥା କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ, ଜୀବନୀ, ଆତ୍ମଚରିତ ପର୍ଯ୍ୟନ୍ତ ତାଙ୍କ ସାରସ୍ବତ ସୃଷ୍ଟି ବ୍ୟାପ୍ତ। ଆଲୋଚକ ଡ. ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଭାଷାରେ: ‘ତାଙ୍କ ବଳିଷ୍ଠ ସାରସ୍ବତ ସୃଷ୍ଟି ହିଁ ତାଙ୍କୁ ଜୀବନରେ ଯେ ଶ୍ରେଷ୍ଠ ଗୌରବ ଦେଇଛି, ଏଥିରେ ଦ୍ବିମତ ନାହିଁ।’ ପଣ୍ତିତ ଗୋଦାବରୀଶଙ୍କର ସବୁଠାରୁ ଉଲ୍ଲେଖନୀୟ କୃତି ହେଉଛି ଆତ୍ମଚରିତ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ’ର ସ୍ଥାନ’। ଫକୀରମୋହନଙ୍କ ଆତ୍ମଚରିତ ପରେ, ଏହା ଯେଉଁ ଭଳି ମର୍ଯ୍ୟାଦା ଲାଭକରିଛି, ଓଡ଼ିଶାରେ ଦ୍ବିତୀୟ ଦୃଷ୍ଟାନ୍ତ ନାହିଁ। ପଞ୍ଚାଅଶୀ ଅଧ୍ୟାୟ ବିଶିଷ୍ଟ ଆତ୍ମ-ଚରିତ ଲେଖିବା ପାଇଁ ସେ ସୂଚୀପତ୍ର ପ୍ରସ୍ତୁତ କରିଥିଲେ। ତେବେ, ଅକାଳ ବିୟୋଗ ବେଳକୁ ମାତ୍ର ଚଉତିରିଶଟି ଅଧ୍ୟାୟ ସ˚ପୂର୍ଣ୍ଣ ହୋଇପାରିଥିଲା। ୧୯୫୧ରେ ସେ ଏହା ଲେଖିବା ଆରମ୍ଭ କରିଥିଲେ। ୧୯୫୬ରେ ତାଙ୍କର ପରଲୋକ ବେଳକୁ ଏହା ଅସମାପ୍ତ ଥିଲା। ଅସ˚ପୂର୍ଣ୍ଣ ଆତ୍ମଚରିତର ପ୍ରଥମ ଭାଗ ୧୯୫୮ରେ ପ୍ରକାଶ ପାଇଥିଲା। ଆଉ ସେହି ବର୍ଷ ହିଁ କେନ୍ଦ୍ର ସାହିତ୍ୟ ଏକାଡେମି ମରଣୋତ୍ତର ପୁରସ୍କାରରେ ସମ୍ମାନିତ କରିଥିଲା। ଏହା ଦୁଃଖ ଓ ସୁଖର ଜୀବନ୍ତ ଗାଥା। ଏହା ଆବେଗଭରା ଭାଷାରେ ରଚିତ। ମନେହୁଏ, ସତେ ଯେପରି ଏ ଯୁଗର ଅନ୍ୟତମ ଗଦ୍ୟ ମହାକାବ୍ୟ। ପଣ୍ତିତ ଗୋଦାବରୀଶ ଥିଲେ ସତ୍ୟ ଓ ଶିବର ପୂଜାରୀ। ଜୀବନର ଅନେକ ଘଟନାକୁ ଅତ୍ୟନ୍ତ ନିଷ୍କପଟ ଭାବେ ଏଥିରେ ସ୍ଥାନ ଦେଇଥିଲେ। ଦୃଷ୍ଟାନ୍ତ: ‘ମୁଁ ଯେ ନୀଳକଣ୍ଠବାବୁଙ୍କର ବନ୍ଧୁ ବା ସହକର୍ମୀ ଥିଲି ତା’ ନୁହେଁ, ତାଙ୍କର ଅନୁଗତ ଭୃତ୍ୟ ମଧ୍ୟ ଥିଲି। ଦୁହେଁ ଏକାଠି ଗାଧୋଇଲେ, ମୁଁ ତାଙ୍କ ପାଲଟା ଲୁଗା କାନ୍ଧରେ ଧରୁଥିଲି ଏବ˚ ଘରକୁ ଫେରିଲେ, ତାଙ୍କ ଖଡ଼ମ ଓ ପାଣି ଆଣି ଗୋଡ଼ଧୁଆ ଜାଗାରେ ରଖୁଥିଲି।’ ସେ ସାରା ଜୀବନ ଆର୍ଥିକ କଷ୍ଟ ଭୋଗିଥିବା ଏଥିରୁ ସ୍ପଷ୍ଟ ଜଣାଯାଏ। ତାଙ୍କ ଦାରିଦ୍ର୍ୟ ସ˚ପର୍କରେ ପଣ୍ତିତ ନୀଳକଣ୍ଠ ଲେଖିଥିଲେ- ‘ମୁଁ ବରାବର ଦେଖିଛି ସେ ବଡ଼ ଦରିଦ୍ର ହୋଇ ଜନ୍ମ ହୋଇଥିଲେ। ମରିବାର ଶେଷ ବର୍ଷ ପର୍ଯ୍ୟନ୍ତ ମୁଁ ଜାଣେ ପ୍ରତି ମାସର ବମ୍ବେ ଟାଇମ୍ସ ସାପ୍ତାହିକରେ ଶବ୍ଦ ନିର୍ମାଣ ପ୍ରହେଳିକା ପ୍ରତି ଥର ସେ ଦେଖୁଥିଲେ ଏବ˚ ଶବ୍ଦ ଧନ୍ଦାର ଭିନ୍ନ ଭିନ୍ନ ନିର୍ମାଣ ମାନ ପୁରସ୍କାର ଆଶାରେ ପଠାଉଥିଲେ।’ ଏହା ସତ୍ତ୍ବେ ନିଜ କର୍ମମୟ ଜୀବନରେ ଅନାୟ-ଅନୀତି ଦ୍ବାରା ଅର୍ଥ ଉପାର୍ଜନ ପାଇଁ ଗୋଦାବରୀଶ କେବେ ହେଲେ ଚେଷ୍ଟା କରି ନ ଥିଲେ। ଏଥିରୁ ତାଙ୍କ ମହାନତାର ପରିଚୟ ମିଳେ। ୧୯୫୬ ଜୁଲାଇ ୨୬ରେ ପଣ୍ତିତ ଗୋଦାବରୀଶ ଇହଲୋକରୁ ବିଦାୟ ନେଇଥିଲେ।*