-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
06-May-2021
ନୂଆଦିଲ୍ଲୀ: ଆଗାମୀ ଦୁଇ ଦିନ ମଧ୍ୟରେ ବିଶ୍ବସ୍ତ ବନ୍ଧୁ ରୁଷ୍ ଭାରତକୁ ଆହୁରି ୧୫୦,୦୦୦ କୋଭିଡ୍-୧୯ ନିରୋଧୀ ଟିକା ‘ସ୍ପୁଟ୍ନିକ୍-୫’ ପଠାଇବ। ଏହା ବ୍ୟତିରେକେ, ମେ ମାସ ଶେଷ ସୁଦ୍ଧା ହାଇଦ୍ରାବାଦରେ ଥିବା ଅଂଶୀଦାର ‘ଡକ୍ଟର୍ ରେଡିସ୍ ଲାବ୍ରୋଟରି’କୁ ରୁଷ୍ ଆହୁରି ୩ ନିୟୁତ ‘ସ୍ପୁଟ୍ନିକ୍-୫’ ଟିକା ପଠାଇବ ବୋଲି ଜଣାପଡ଼ିଛି।
ଆସନ୍ତା ମାସ ବେଳକୁ ଏହି କୋଭିଡ୍ ଟିକା ଉତ୍ପାଦନ ୫ ନିୟୁତ ଡୋଜ୍କୁ ବୃଦ୍ଧି କରିବା ଲାଗି ରୁଷ୍ ଉଦ୍ୟମ ଚଳାଇଛି। ଜୁଲାଇ ମାସ ଆଡ଼କୁ ପ୍ରତିମାସରେ ୧୦ ନିୟୁତ ଡୋଜ୍ ‘ସ୍ପୁଟ୍ନିକ୍-୫’ ଟିକା ଉତ୍ପାଦନ କରିବ ବୋଲି ମଧ୍ୟ ରୁଷ୍ ଆକଳନ କରିଛି।
ସ୍ମରଣଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ମେ’ ପହିଲା ଦିନ ୧୫୦,୦୦୦ ‘ସ୍ପୁଟ୍ନିକ୍-୫’ ଟିକା ଭାରତକୁ ଆସିଥିଲା। ଏହି ଟିକା ‘ହ୍ୟୁମାନ୍ ଆଡେନୋଭାଇରାଲ୍’ ଉପରେ ଆଧାରିତ ଏବଂ କୋଭିଡ୍-୧୯ ରୋଗ ବିପକ୍ଷରେ ୯୦% ଫଳପ୍ରଦ ହେଉଛି। ଏହିଭଳି ଅନ୍ୟ ଦୁଇଟି ହେଉଛି ‘ଫାଇଜର୍’ ଏବଂ ‘ମଡର୍ଣ୍ଣା’ ନିର୍ମିତ କୋଭିଡ୍ ଟିକା।
ନୂଆଦିଲ୍ଲୀସ୍ଥିତ ମସ୍କୋର କୂଟନୀତିଜ୍ଞଙ୍କ କହିବା ଅନୁସାରେ, ରୁଷ୍ ଅନ୍ୟୂନ ୪ଟି ମଧ୍ୟମଧରଣର ଅକ୍ସିଜେନ୍ ଉତ୍ପାଦନକାରୀ ଟ୍ରକ୍ ପଠାଇବ। ପ୍ରତି ଟ୍ରକ୍ ଡାକ୍ତରଖାନାର ୨୦୦ଟି ଶଯ୍ୟାକୁ ଅକ୍ସିଜେନ୍ ଯୋଗାଇ ପାରିବ। ଘଣ୍ଟାପ୍ରତି ୭୦ କିଲୋଗ୍ରାମ୍ ହିସାବରେ ଏହି ଟ୍ରକ୍ ସବୁ ଦୈନିକ ୫୦,୦୦୦ ଲିଟର୍ ଅକ୍ସିଜେନ୍ ଉତ୍ପାଦନ କରିପାରିବେ।
ସେହିଭଳି, ରୁଷ୍ ଭାରତକୁ ‘ରେମ୍ଡେସିଭିୟର୍’ ଶିଶି ମଧ୍ୟ ପଠାଇବାକୁ ଖୁବ୍ ଆଗ୍ରହୀ ବୋଲି ସେ କହିଛନ୍ତି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)