-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
ନୂଆପଡା(ପ୍ରେରଣା ଖବର ବ୍ୟୁରୋ) : ସୁନାର ସଂସାର ଗଢ଼ିବା ପୂର୍ବରୁ ମାଡି ଆସିଲା ଦୁଃଖର ପାହାଡ। ବାହାଘରର ୪ ଦିନ ପରେ ସ୍ବାମୀ-ସ୍ତ୍ରୀଙ୍କୁ ଅପହରଣ କରି ନେଲେ ଦୁର୍ବୃତ୍ତ। ମୁକ ଅବସ୍ଥାରେ ଉଦ୍ଧାର ହେଲେ ସ୍ବାମୀ ହେଲେ ମିଳି ନାହିଁ ସ୍ତ୍ରୀଙ୍କ ପତ୍ତା। ହାତରୁ ହଳଦୀ ଲିଭି ନାହିଁ। ନୂଆ ସଂସାର ଗଢ଼ି ତୋଳିବା ଆଶାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ୨ ଜଣ । ଫିଲ୍ମ ଷ୍ଟାଇଲରେ ଅଧା ରାସ୍ତାରୁ ସ୍ବାମୀ-ସ୍ତ୍ରୀଙ୍କୁ ଅପହରଣ କରି ନେଲେ ଦୁର୍ବୃତ୍ତ। ସଂପର୍କୀୟଙ୍କ ଦେହ ଅସୁସ୍ଥ ଥିବା କହି ଫେକ୍ କଲ ଆସିଥିଲା। ସ୍ବାମୀ-ସ୍ତ୍ରୀ ୨ ଜଣ ଆଗପଛ ନ ଭାବି ବାଇକରେ ହସ୍ପିଟାଲ ଅଭିମୁଖେ ବାହାରି ଯାଇଥିଲେ। କିନ୍ତୁ ପୂର୍ବ ଯୋଜନା ମୁତାବକ, ଦୁର୍ବୃତ୍ତମାନେ ନବ ଦମ୍ପତିଙ୍କୁ ଅପହରଣ କରି ନେଇଥିଲେ। ଏହି ଚାଞ୍ଚଲ୍ୟକର ଘଟଣା ନୂଆପଡା ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି।
ସୂଚନଯୋଗ୍ୟ ଯେ, ଗତ ବୁଧବାର ବୈଦିକ ରିତି ରିବାଜରେ କୋମନା ବ୍ଲକର ରମେଶ ମାଝୀ ଓନୂଆପଡା ବ୍ଲକର ପଣ୍ଡରିପାଣି ଗାଁର ଜନୈକ ଯୁବତୀଙ୍କୁ ବିବାହ କରିଥିଲେ। ବାହାଘରର ଠିକ୍ ୪ ଦିନ ପରେ ଅର୍ଥାତ ଗତ ରବିବାର ତାଙ୍କ ସଂପର୍କୀୟ କେହି ଜଣେ ହସ୍ପିଟାଲରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ସ୍ବାମୀ-ସ୍ତ୍ରୀ ୨ ଜଣ ଅସ୍ତବ୍ୟସ୍ତ ହୋଇ ହସ୍ପିଟାଲ ବାହାରି ଯାଇଥିଲେ। କିନ୍ତୁ ଯିବା ରାସ୍ତାରେ ଘଟିଥିଲା ଏହି ଘଟଣା।
ରମେଶଙ୍କ ମୋବାଇଲରୁ ଏକ ଟେକ୍ସ ମେସେଜ୍ ଆସିଥିଲା। ଯେଉଁଥିରେ ଲେଖାଥିଲା ଥିଲା, ‘ଆମେ ସାଙ୍ଗ ଘରକୁ ଯାଉଛୁ, ଶୀଘ୍ର ଫେରି ଆସିବୁ’। ବହୁ ଖୋଜାଖୋଜି ପରେ ବି ସନ୍ଧ୍ୟା ପର୍ଯ୍ୟନ୍ତ ୨ ଜଣଙ୍କ ସନ୍ଧାନ ମିଳିନଥିଲା। ପରବର୍ତ୍ତୀ ସମୟରେ ଏକ ଅଜଣା ନମ୍ବରରୁ କଲ ଆସିଥିଲା, ମୋତେ ମାରି ଦେବେ, ମୋତେ ଉଦ୍ଧାର କର ବୋଲି ରମେଶ କହିଥିଲେ। ବହୁ କଷ୍ଟରେ ୨ଜଣଙ୍କ ସନ୍ଧାନ ପାଇଥିଲେ ପରିବାର ଲୋକେ। ଛତିଶଗଡ଼ ଦୁର୍ଗଠାରୁ ୧୮ କିଲୋମିଟର ଦୂରରେ ମୁକ ଅବସ୍ଥାରେ ରମେଶଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଏପର୍ଯ୍ୟନ୍ତ ରମେଶଙ୍କ ସ୍ତ୍ରୀଙ୍କ ପତ୍ତା ମିଳି ନାହିଁ।
ବାହାଘର ଚାରିଦିନ ପରେ କିଏ ଓ କାହିଁକି ତାଙ୍କୁ ଅପହରଣ କଲା ? ସ୍ବାମୀଙ୍କୁ ଛାଡି ଦେଲେ ସ୍ତ୍ରୀଙ୍କୁ କୁଆଡେ ନେଇଗଲେ? ପୂର୍ବ ଶତ୍ରୁତା କେନ୍ଦ୍ର କରି ଏଭଳି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହାକୁ ନେଇ ସ୍ଥାନୀୟ ପୋଲିସ ଖୋଳତାଡ ଆରମ୍ଭ କରିଛି।