-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Oct-2026
ସମ୍ବଲପୁର-(ସଂଜୀବ ପାଣିଗ୍ରାହୀ ): ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ଡାକ୍ତର ଅଭାବ ସମସ୍ୟାର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଓ ପଦସ୍ଥାପନ କରାଯାଇଛି। ଏହାଦ୍ୱାରା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ ହେବା ସହ ସାଧାରଣ ଲୋକଙ୍କୁ ନିଜ ଅଞ୍ଚଳରେ ଚିକିତ୍ସା ସୁବିଧା ମିଳିବାର ଆଶା ସୃଷ୍ଟି ହୋଇଛି।
ସମ୍ବଲପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୨ ଅକ୍ଟୋବର ୨୦୨୬ ତାରିଖରେ ଜାରି ହୋଇଥିବା ଆଦେଶ ଅନୁଯାୟୀ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୨ ଅକ୍ଟୋବରରେ ଅନୁଷ୍ଠିତ କମିଟି ବୈଠକର ସୁପାରିସ ଆଧାରରେ ଏହି ପଦସ୍ଥାପନ କରାଯାଇଛି। ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିସକ୍ରମେ ଗ୍ରୁପ୍-ଏ, ଜୁନିୟର ବ୍ରାଞ୍ଚ ପାହ୍ୟାରେ ନିଯୁକ୍ତ ଏହି ଡାକ୍ତରମାନଙ୍କୁ ଜିଲ୍ଲାର ବିଭିନ୍ନ ଖାଲି ପଦବିରେ ଅବସ୍ଥାପିତ କରାଯାଇଛି।
ପଦସ୍ଥାପନ ଅନୁଯାୟୀ, ପରମାଣପୁର, ରେଙ୍ଗାଲି, ପଡ଼ିଆବାହାଲ, କତରବଗା, ମେଘପାଳ, ବଡ଼ମାଳ, କେନାଢ଼ିପା, ବାବୁଖିଣ୍ଡା, ବଞ୍ଜାରୀ ଓ ମହୁଲପାଲିର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ନାକଟିଦେଉଳ, ଫାଶିମାଲ, ଯୁଯୋମୁରା ଓ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତ ହୋଇଛନ୍ତି।
ଜିଲ୍ଲାର ଗ୍ରାମାଞ୍ଚଳରେ ଦୀର୍ଘବର୍ଷ ଧରି ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ଉପଯୁକ୍ତ ସମୟରେ ଚିକିତ୍ସା ପାଇବାରେ ଅସୁବିଧା ଭୋଗୁଥିଲେ। ଏପରି ସ୍ଥିତିରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଓ ଉଦ୍ୟମ ଫଳରେ ଡାକ୍ତର ନିଯୁକ୍ତି ସମ୍ଭବ ହୋଇଥିବା ମତ ପ୍ରକାଶ କରି ଏହାକୁ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ବୋଲି ଅଭିହିତ କରିଛନ୍ତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ମିତ୍ରଭାନୁ ପ୍ରଧାନ ଓ ଅଞ୍ଚଳର ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ।ଏହି ଅବସରରେ ଉଭୟେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାରେ ଡାକ୍ତର ନିଯୁକ୍ତି ପ୍ରକ୍ରିୟାକୁ ସଫଳ କରିବା ଦିଗରେ ପ୍ରଶାସନିକ ପଦକ୍ଷେପ ପାଇଁ ଜିଲ୍ଲାପାଳ ଡା. ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।ନୂତନ ଡାକ୍ତରମାନଙ୍କ ପଦସ୍ଥାପନ ଦ୍ୱାରା ଗ୍ରାମାଞ୍ଚଳର ରୋଗୀମାନେ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ପାଇବେ ବୋଲି ଆଶା ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତିର ପ୍ରକୃତ ସଫଳତା ନବନିଯୁକ୍ତ ଡାକ୍ତରମାନେ ନିଜ ନିଜ କାର୍ଯ୍ୟସ୍ଥଳରେ ନିୟମିତ ଉପସ୍ଥିତ ରହି ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା ଉପରେ ନିର୍ଭର କରିବ।