-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
22-Apr-2026
ପୁରୀ /ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ଗତକାଲି ଅକ୍ଷୟ ତୃତୀୟାରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥିଲା। ରଥଖଳାରେ ଆଜି ତିନିରଥ ପାଇଁ ତିନୋଟି ତୁମ୍ବ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ବଡ଼ ବଡ଼ ଫାଶୀ କାଠରେ ମହାରଣାମାନେ ତୁମ୍ବରେ କୁଆଁର କରିବା ପରେ ବାରିସି ସାହାଯ୍ୟରେ ଗୋଲେଇ କରାଯିବ।ରଥନିର୍ମାଣର ଇଷ୍ଟଦେବୀ ମା’ ଚର୍ଚ୍ଚିକାଙ୍କୁ ମୁଣ୍ଡିଆ ମାରି ଓ ନଡିଆ ଫଟାଇ ଆରମ୍ଭ ହୋଇଛି ରଥ ନିର୍ମାଣର ମହାଯଜ୍ଞ । ନନ୍ଦିଘୋଷ ରଥ ପାଇଁ ୧୬ଟି ତୁମ୍ଭ, ତାଳଧ୍ଵଜ ରଥ ପାଇଁ ୧୪ଟି ଓ ଦେବୀଦଳନ ରଥ ପାଇଁ ୧୨ଟି ତୁମ୍ଭ ନିର୍ମାଣ କରାଯିବାର ବିଧି ରହିଛି । ଏହିଭଳି ମୋଟ ୪୨ଟି ତୁମ୍ଭ ପାଇଁ କାଠ ଚିରଟ କରାଯିବ । ଏହାପରେ ସୂତା ବାଡିଆ ହୋଇ ବିନ୍ଧ ହେବ । ଭୋଇ ସେବକ ମାନେ ଆବଶ୍ୟକ ରଥ କାଠକୁ ଆଣି ଖଳାରେ ଯୋଗାଇ ଦେଉଛନ୍ତି । କରତିଆ ସେବକ ଓ ମହାରଣା ସେବକଙ୍କ ଉପସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପ୍ରସ୍ତୁତ ହୋଇଥିବା ୧୧ ବଖରା ଚାଳିରେ ଜାରି ରହିବ ରଥ ନିର୍ମାଣ କାର୍ଯ୍ୟ ।ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ପରେ ପ୍ରାୟ ସନ୍ଧ୍ୟା ୫ଟା ୨୦ରେ ଚନ୍ଦନ ଯାତ୍ରା ପାଇଁ ବିମାନ ଉଠିବା ପରେ ୫ଟା ୪୩ରେ ଆଚାର୍ଯ୍ୟଙ୍କ ଦ୍ଵାରା ତିନି କାଠରେ ସୁନା କୁରାଢୀ ସ୍ପର୍ଶ ବିଧି ସହ ରଥକାଠ ଅନୁକୂଳ ହୋଇଥିଲା । ସେପଟେ ଗତକାଲି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ୨୧ ଦିନର ବାହାର ଚନ୍ଦନ ଯାତ୍ରାର ପ୍ରଥମ ଦିନରେ ଚାପ ଖେଳିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ।