-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ବଣାଇଁଗଡ଼ (ପ୍ରେରଣା ଖବର): ନବବର୍ଷର ପ୍ରଥମ ଦିନ ପରି ଆଜି ମଧ୍ୟ ବଣାଇଁ ବିଭିନ୍ନ ସ୍ଥାନରେ ୩ଟି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ଆଜି ସଂଧ୍ୟା ୭ଟାରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବାହାଡାପୋଷି-କଲେଇପୋଷ ରାସ୍ତାର ବିଛଣାପଟି ଗାଁ ମତୁଆଲି ପୋଲ ନିକଟରେ ଓଡି୧୬ବି ୦୧୫୯ ନମ୍ବର ଟ୍ରକ୍ ଛିଡା ହୋଇ ଟାୟାର ବଦଳୁଥିଲା। ଏହି ସମୟରେ ସୁଆରପାଲି ପଟୁ ଓଡି୧୪ଭି ୭୯୯୧ ନମ୍ବର ସ୍କୁଟିରେ ତିନିଜଣ ବସି ଦ୍ରୁତ ଗତିରେ ଆସି ଟ୍ରକ୍ ଭିତରକୁ ପଶି ଯାଇଥିଲେ।ଏଥିରେ ବିଛଣାପଟି ଗ୍ରାମର ସଦାନନ୍ଦ ମୁଣ୍ତା ଓରଫ ନନ୍ଦଲାଲ (୧୮)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମନୀଷ କିସାନ ଗୁରୁତର ଅବସ୍ଥାରେ ପ୍ରଥମେ ବଣାଇଁ ଉପଖଣ୍ତ ଚିକିତ୍ସାଳୟ ଓ ପରେ ରାଉରକେଲାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ ହୋଇଛି। ଅନ୍ୟଜଣେ ଯୁବକ ସୁରକ୍ଷିତ ଅଛନ୍ତି। ସେହିପରି ଆଜି ସଂଧ୍ୟାରେ ବଣାଇଁ ଥାନା ଅନ୍ତର୍ଗତ ଲଲେଇ ବ୍ରାହ୍ମଣୀ ସେତୁ ମଧ୍ୟଭାଗରେ ଦୁଇ ବାଇକ ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଥିଲା। ବାଇକ୍ ନମ୍ବର ଓଆର୧୪ ପି ୦୫୨୭ ଏବଂ ଓଡି୧୫ଡି ୪୧୬୪ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଦୁଇ ବାଇକ୍ରେ ବସିଥିବା ନରେନ୍ଦ୍ର ଗ୍ରାମପଞ୍ଚାୟତର ସରପଞ୍ଚ ଗହ୍ମା ମୁଣ୍ତା, ମୋଇମନ ମୁଣ୍ତା ଓ ଜୁସାମ ମୁଣ୍ତା ତଳକୁ ଛିଟିକି ପଡି ଗୁରୁତର ହୋଇଛନ୍ତି। ବଣାଇଁ ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ ଘଟଣା ସ୍ଥଳକୁ ଯାଇ ଗୁରୁତର ମାନଙ୍କୁ ଚିକିତ୍ସା ବଣାଇଁ ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ରାଉରକେଲାକୁ ପଠାଯାଇଛି। ଅନ୍ୟ ଏକ ଦୁର୍ଘଟଣାରେ ବଣାଇଁ ଥାନା ଅନ୍ତର୍ଗତ ରାଉତାଣି–ଝାରବେଡା ରାସ୍ତା ମଧ୍ୟରେ ଏକ ଟିପର ଓଆର୧୪ଏନ ୬୩୬୫ ଦ୍ରୁତ ଗତିରେ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଠାତ୍ ରାସ୍ତା ତଳକୁ ଓଲଟି ପଡିଥିଲା। ଏଥିରେ ଚାଳକ ଅନନ୍ତ ନାୟକ (୩୫) ଗୁରୁତର ଆହତ ହୋଇ ବଣାଇଁ ଉପଖଣ୍ତ ଚିକିତ୍ସାଳୟ ଓ ପରେ ରାଉରକେଲାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ବଣାଇଁ ଓ ଲହୁଣିପଡା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡିକୁ ଜବତ କରିଥିବା ବେଳେ ମୃତ ଯୁବକଙ୍କ ଶବ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।