-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): କେବଳ ଶିଳ୍ପ ଅଭିବୃଦ୍ଧି ନୁହେଁ, ନିବେଶ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସାରା ଦେଶରେ ଏକ ନମ୍ବର ସ୍ଥାନ ଦଖଲ କରିଛି। ୨୦୨୩ ମସିହାରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମସ୍ଥାନ ଅଧିକାର କରିଛି। ୨୦୨୩ ବର୍ଷରେ ସାରା ଦେଶର ବିଭିନ୍ନ ରାଜ୍ୟକୁ ୫ ଲକ୍ଷ ୧୦ ହଜାର ୮୫୨ କୋଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ ଏଥିରୁ ଓଡ଼ିଶାକୁ ସର୍ବାଧିକ ୨ ଲକ୍ଷ ୧୦ ହଜାର ୮୩୭ କୋଟି ଟଙ୍କାର ପ୍ରସ୍ତାବ ମିଳିଛି। ଯାହା ମୋଟ ନିବେଶ ପ୍ରସ୍ତାବର ପ୍ରାୟ ୪୦%। ଯାହା ମୋଟ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କ୍ଷେତ୍ରରେ ସିଂହଭାଗ ହୋଇଥିବା ବେଳେ ଅନ୍ୟ ରାଜ୍ୟମାନେ ଏହାଠାରୁ ବହୁ ପଛରେ ରହିଥିବା ନ୍ୟୁଜ୍ ବଜ୍ ରିପୋର୍ଟରେ ପ୍ରକାଶ ପାଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରିପୋର୍ଟକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ‘ଏକ୍ସ’ରେ ନବୀନ ଟ୍ୱିଟ୍ କରି କହିଛନ୍ତି ଯେ ସାରା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ପ୍ରସ୍ତାବ (୨୦୨୩ ମସିହା) କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିବା ଗୌରବର ବିଷୟ। ନିବେଶକମାନେ ଅଭିବୃଦ୍ଧିର ସମ୍ଭାବନାକୁ ଆହୁରି ବ୍ୟାପକ କରି ପୁଞ୍ଜି ନିବେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଓଡ଼ିଶା ଉପରେ ନିରନ୍ତର ବିଶ୍ୱାସ ରଖି ଆସିଥିବାରୁ ସମସ୍ତଙ୍କୁ
ଧନ୍ୟବାଦ ଏବଂ ସମ୍ମାନ ଜଣାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ନ୍ୟୁଜ୍ ବଜ୍ ରିପୋର୍ଟ ଅନୁଯାୟୀ ଓଡ଼ିଶା ପରେ ନିବେଶ କ୍ଷେତ୍ରରେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ସାରା ଦେଶର ମୋଟ ନିବେଶ ପ୍ରସ୍ତାବର ୧୨% ଗୁଜରାଟ ଭାଗରେ ପଡ଼ିଛି। ଏହି ରାଜ୍ୟକୁ ୨୦୨୩ରେ ମୋଟ ୬୨୫୩୫ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଛି। ସେହିପରି ତୃତୀୟ ସ୍ଥାନରେ ଥିବା ମହାରାଷ୍ଟ୍ରକୁ ୫୯୫୫୧ କୋଟି ଟଙ୍କାର ପ୍ରସ୍ତାବ ମିଳିଥିବା ବେଳେ ମଧ୍ୟପ୍ରଦେଶକୁ ୨୨୧୬୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଅନୁରୂପ ଭାବରେ ୨୦୨୩ରେ ତେଲେଙ୍ଗାନାକୁ ୧୩୨୪୨ କୋଟି, ଆନ୍ଧ୍ରପ୍ରଦେଶକୁ ୧୨୨୩୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପ୍ରାପ୍ତ ହୋଇଛି।