-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2026
ନୂଆପଡ଼ା (ଡୋଲେଶ୍ବର ବାଗ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଗୋପୀନାଥ ଉଚ୍ଚ ବିଦ୍ୟାଳୟ, ଲିଟିସର୍ଗିର ବରିଷ୍ଠ କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୮ ବର୍ଷ ଧରି ଏହି ବିଦ୍ୟାଳୟରେ ନିଷ୍ଠା ଓ ଆନ୍ତରିକତାର ସହ ଶିକ୍ଷକତା କରିବା ପରେ ଶ୍ରୀ ପଣ୍ଡା ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ପଣ୍ଡା
୧୯୮୮ ମସିହାରୁ ଗୋପୀନାଥ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ, ଶୃଙ୍ଖଳା, ଖେଳୁଆଡ଼ ମନୋଭାବ ଓ ନେତୃତ୍ୱର ଗୁଣ ବିକାଶ ଦିଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସିଥିଲେ । ତାଙ୍କର ଦୀର୍ଘ ବର୍ଷର ସେବା, କର୍ତ୍ତବ୍ୟନିଷ୍ଠା ଓ ଛାତ୍ରବତ୍ସଳ ମନୋଭାବକୁ ମନେ ପକାଇ ବିଦ୍ୟାଳୟ ପରିବାର ଓ ପୂର୍ବତନ ଶିକ୍ଷାର୍ଥୀମାନେ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ । ଶେଷଦେବ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡା ମୁଖ୍ୟ ଅତିଥି ଏବଂ ଚନ୍ଦାହାଣ୍ଡିର ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ୱିତୀବାହନ ଖମାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁର୍ଜୁ ହଂସ, ହଜାରୀ ବାଗ,ଜୟ ଭଗବାନ ହରିଜନ ଓ ପ୍ରଦୀପ ପଣ୍ଡା ଯୋଗଦେଇଥିଲେ । ଏଥିସହ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ମାତା ପ୍ରେମମଞ୍ଜରୀ ପଣ୍ଡା ଓ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପଣ୍ଡା ଭାବ ବିହ୍ୱଳ ପୂର୍ଣ୍ଣ ପରିବେଶରେ ମଞ୍ଚାସୀନ ଥିଲେ । ସଭାରେ ବକ୍ତାମାନେ ଶ୍ରୀ ପଣ୍ଡାଙ୍କ ଶିକ୍ଷକତା ଜୀବନ, କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅବଦାନ ଓ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ତାଙ୍କର ଭୂମିକାର ସ୍ମୃତିଚାରଣ କରିଥିଲେ । ଜଣେ ଶିକ୍ଷକଙ୍କ ଅବସର କେବଳ ଚାକିରିରୁ ବିଦାୟ ନୁହେଁ ବରଂ ତାଙ୍କର ଅନୁଭବ, ଆଦର୍ଶ ଓ ଅବଦାନକୁ ସ୍ମରଣ କରିବାର ଏକ ଅବସର ବୋଲି ମତ ପ୍ରକାଶ ପାଇଥିଲା । ବହୁ ସଂଖ୍ୟାରେ ପୂର୍ବତନ ଶିକ୍ଷାର୍ଥୀ ଯୋଗଦେଇ ନିଜର ପ୍ରିୟ ଗୁରୁଜୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଲକ୍ଷ୍ମଣ ଜାଲ, ଦିନନାଥ ନାଗ, ରମେଶ ପଣ୍ଡା, ପ୍ରସନ୍ନ ବାଗ, ରଇବାରୁ ବାଗଙ୍କ ସମେତ ଅନ୍ୟ ପୂର୍ବତନ ଶିକ୍ଷାର୍ଥୀମାନେ ତାଙ୍କର ଗୁଣଗାନ କରିଥିଲେ । ପରେ ପୂର୍ବତନ ଶିକ୍ଷାର୍ଥୀ ଓ ଶୁଭେଚ୍ଛୁମାନେ ବିଦ୍ୟାଳୟରୁ ଶ୍ରୀ ପଣ୍ଡାଙ୍କ ବାସଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ ।
ସମଗ୍ର କାର୍ଯ୍ୟକ୍ରମକୁ ଜାମାତା ନିରୋଜ କୁମାର ଖମାରୀ ଓ ଝିଅ ଅଞ୍ଜଳି ପଣ୍ଡା ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ପୁତ୍ର ବଧୂ ଶିବାନୀ ଖମାରୀ ଓ ପୁଅ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ । ଶ୍ରୀ ପଣ୍ଡାଙ୍କ ଅବସର ଗ୍ରହଣ ଅବସରରେ ତାଙ୍କର ଆଗାମୀ ଜୀବନ ସୁଖମୟ, ଶାନ୍ତିମୟ ଓ ସୁସ୍ଥ ହେଉ ବୋଲି ଉପସ୍ଥିତ ସମସ୍ତେ କାମନା କରିଥିଲେ । ତାଙ୍କର ଦୀର୍ଘ ବର୍ଷର ନିଷ୍ଠାପର ସେବା ଓ ଛାତ୍ରଛାତ୍ରୀଙ୍କ ହୃଦୟରେ ଛାଡ଼ିଯାଇଥିବା ସ୍ମୃତି ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣା ହୋଇ ରହିବ ।