-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
04-Oct-2020
ସ୍ବାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ସକ୍ରିୟ ମଙ୍ଗୁଆଳ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଏବ˚ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଲକ୍ଷ୍ୟ ସ୍ଥଳୀରେ ପହଞ୍ଚାଇବା ପାଇଁ ନିଷ୍ଠାପର ଉଦ୍ୟମ କରିଥିବା ରାଜନେତାଙ୍କ ମଧ୍ୟରେ ନୀଳମଣି ରାଉତରାୟ ଅନ୍ୟତମ। ଓଡ଼ିଶା ତଥା ଓଡ଼ିଆ ଜାତିର ସେବା ଥିଲା, ତାଙ୍କ ଜୀବନର ଏକମାତ୍ର ବ୍ରତ। ଆଲୋଚକ ଡ. ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଭାଷାରେ ନିର୍ଭୀକ ଛାତ୍ରନେତା ଓ ଅମାୟିକ ଜନନାୟକ ନୀଳମଣି ରାଉତରାୟ ଥିଲେ ଓଡ଼ିଶା ରାଜନୀତିର ଶେଷସ୍ତମ୍ଭ ଓ ଗାନ୍ଧୀବାଦୀ ଆଦର୍ଶର ଶେଷ ଦୀପଶିଖା। ସ୍କୁଲ୍ରେ ପଢ଼ିବା ବେଳୁ ସେ ଥିଲେ ନେତା। ଖଦଡ଼ ପିନ୍ଧା ଅଭ୍ୟାସ ସ୍କୁଲ୍ ବେଳୁ ଆରମ୍ଭ ହୋଇଥିଲା। ଛାତ୍ର-ରାଜନୀତି ସହ ଅତ୍ୟଧିକ ସ˚ପୃକ୍ତି ଯୋଗୁଁ ତାଙ୍କର ଶିକ୍ଷାର୍ଥୀ ଜୀବନ ଅତିଶୟ ବିଶୃଙ୍ଖଳିତ ଥିଲା। ସେ କୌଣସି ସମୟରେ ମେଧାବୀ ଛାତ୍ର ନ ଥିଲେ। ପଟନା ବିଶ୍ବବିଦ୍ୟାଳୟରୁ ତୃତୀୟ ଶ୍ରେଣୀରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହେବା ପରେ ସେ ରାଭେନ୍ସା ମହାବିଦ୍ୟାଳୟରେ ଭର୍ତ୍ତିହୋଇଥିଲେ। ଏହା ପ୍ରାକ୍-ସ୍ବାଧୀନତାକାଳୀନ କଥା। ରାଭେନ୍ସା କଲେଜ୍ରୁ ବହିଷ୍କୃତ ହୋଇଥିବା ପ୍ରଥମ ଛାତ୍ର ହେଉଛନ୍ତି ନୀଳମଣି। ତାଙ୍କୁ ବହିଷ୍କାର କଲା ବେଳେ ରାଭେନ୍ସାର ତତ୍କାଳୀନ ଅଧ୍ୟକ୍ଷ ଡ. ପ୍ରାଣକୃଷ୍ଣ ପରିଜା ତାଙ୍କ ଚରିତ୍ର ସାର୍ଟିଫିକେଟ୍ରେ ଲେଖିଥିଲେ: ନୀଳମଣି ଚାରି ବର୍ଷର ଛାତ୍ର ଜୀବନରେ ଧ୍ବ˚ସମୂଳକ କାର୍ଯ୍ୟକ୍ରମ ଦ୍ବାରା କଲେଜ୍କୁ ଏକ ମରୁଭୂମିରେ ପରିଣତ କରିଦେଇଥିଲେ ଏବ˚ ଏ ପ୍ରକାର ଛାତ୍ରକୁ ନେଇ ପୃଥିବୀର କୌଣସି ଶିକ୍ଷାନୁଷ୍ଠାନ ଚାଲିପାରିବନାହିଁ। ଏ ପରି ନକାରାତ୍ମକ ଟିପ୍ପନୀ ସତ୍ତ୍ବେ ସେ କଲକାତାର ବିଦ୍ୟାସାଗର କଲେଜ୍ରୁ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ। ବିଦ୍ୟାସାଗର କଲେଜ୍ରେ ଭର୍ତ୍ତିକରାଇବାରେ ସାହାଯ୍ୟ କରିଥିଲେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ। ପରବର୍ତ୍ତୀ କାଳରେ ଆଇନ ଓ ରାଜନୀତି ବିଜ୍ଞାନରେ ଏମ୍ଏ ପଢ଼ିବା ପାଇଁ ସେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ମଧ୍ୟ ଆନ୍ଦୋଳନାତ୍ମକ କାର୍ଯ୍ୟରେ ମାତ୍ରାଧିକ ସ˚ପୃକ୍ତି ଯୋଗୁଁ ବହିଷ୍କୃତ ହୋଇଥିଲେ। ଘଟନାକ୍ରମେ ସେ କଲକାତା ବିଶ୍ବବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରି, କଟକ ଫେରିଥିଲେ ଏବ˚ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ।
‘ପ୍ରଜାତନ୍ତ୍ର’ର ସେ ଥିଲେ ପ୍ରଥମ ମୁଖ୍ୟ ପରିଚାଳକ। ଏହି ଖବରକାଗଜର ପ୍ରଚାର-ପ୍ରସାର ପାଇଁ ବହୁ ଉଦ୍ୟମ କରିଥିଲେ। ନୀଳମଣିଙ୍କ ସ˚ପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ରାଜନୈତିକ ଜୀବନର ପ୍ରଥମ ବିଧାନସଭା ନିର୍ବାଚନ ତାଙ୍କୁ ଲଢ଼ିବାକୁ ପଡ଼ି ନ ଥିଲା। ତାଙ୍କ ବିରୋଧରେ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ, ୧୨ ଜୁଲାଇ ୧୯୪୮ରେ ବିଧାନସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। ୧୯୫୨ର ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ତଳରେ ସେ ଥିଲେ ଘରୋଇ ବିଭାଗର ଉପ-ମନ୍ତ୍ରୀ; ତତ୍କାଳୀନ କନିଷ୍ଠତମ। କେନ୍ଦ୍ର ନିର୍ଦେଶରେ ବୀରେନ ମିତ୍ର ଇସ୍ତଫା ଦେବା ପରେ ସେ ମୁଖ୍ୟ ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଥିଲା। ତେବେ, ମୁଖ୍ୟ ମନ୍ତ୍ରୀ ହୋଇଥିଲେ ସଦାଶିବ ତ୍ରିପାଠୀ ଏବ˚ ସେ ଉପ-ମୁଖ୍ୟ ମନ୍ତ୍ରୀ। ୧୯୭୭ରେ ସେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ହୋଇଥିଲେ। ୧୯୮୦ ପର୍ଯ୍ୟନ୍ତ ମୁଖ୍ୟ ମନ୍ତ୍ରୀ ଥିଲେ। ନାନା ବିବାଦୀୟ ପରିସ୍ଥିତିରେ ସକ୍ରିୟ ରାଜନୀତିରୁ ଅବସର ନେବା ପରେ ବନ୍ଧୁ ଓ ଶୁଭକା˚କ୍ଷୀଙ୍କ ଅନୁରୋଧ ଏଡ଼ାଇ ନ ପାରି ନୀଳମଣି ଆତ୍ମଚରିତ ରଚନାରେ ମନଦେଇଥିଲେ। ତାଙ୍କ ଆତ୍ମଚରିତ ‘ସ୍ମୃତି ଓ ଅନୁଭୂତି’କୁ କେହି କେହି ଓଡ଼ିଶାବାସୀଙ୍କୁ ନୀଳମଣିଙ୍କର ସର୍ବଶ୍ରେଷ୍ଠ ଅବଦାନ ବୋଲି କହନ୍ତି। ତାଙ୍କ ଆତ୍ମଚରିତ ସ˚ପର୍କରେ ସେ ନିଜେ ଲେଖିଛନ୍ତି: ..ଏହା ମୋ’ର ଜୀବନ ବୃତ୍ତାନ୍ତ ନୁହେଁ, ଐତିହାସିକ ପ୍ରବାହର ଏକ କ୍ରମିକ ବିବରଣୀ ମଧ୍ୟ ନୁହେଁ। ଏହା କେବଳ ମୋ’ର ସ୍ମୃତି ଓ ଅନୁଭୂତିର ବୃତ୍ତାନ୍ତ। ୧୯୨୦ ମେ ୨୪ରେ ତିହିଡ଼ି ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଜନ୍ମ ହୋଇଥିଲେ, ଓଡ଼ିଶାର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ। ୪ ଅକ୍ଟୋବର୍ ୨୦୦୪ରେ ତାଙ୍କର ପରଲୋକ ହୋଇଥିଲା।