-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-May-2026
କଟକ,(ତପନ ମହାନ୍ତି): ପଡ଼ିଆ ସାରା କୁଡ଼କୁଡ଼ ଭଙ୍ଗା ମଦ ବୋତଲ। ଖେଳ ଦେଖିବା କିମ୍ବା ବିଶ୍ରାମ ନେବା ପାଇଁ ଥିବା ସିମେଣ୍ଟ୍ ବେଞ୍ଚ୍ ନିକଟରେ ବି ଗଦାଗଦା ଆବର୍ଜନା। ଚାଉଳିଆଗଞ୍ଜ ଖେଳପଡ଼ିଆରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଠାରେ ଦିନେ ଜାତୀୟ ସ୍ତରୀୟ ଖେଳ ଆୟୋଜିତ ହେଉଥିଲା, ସେହି ପଡ଼ିଆ ଏବେ ଅସାମାଜିକଙ୍କ ଆଡ଼ାସ୍ଥଳ ପାଲଟିଛି। ଚାଉଳିଆଗଞ୍ଜ ଖେଳପଡ଼ିଆରେ କ୍ରିକେଟ୍, ଫୁଟବଲ୍ ମ୍ୟାଚ୍ ଆୟୋଜନ ସହ ଯୁବ ଓ ବରିଷ୍ଠ ଲୋକମାନେ ସକାଳ ଓ ସନ୍ଧ୍ୟାରେ ଚଲାବୁଲା କରିଥାନ୍ତି। ଏଠାରେ ଖେଳ ଅଭ୍ୟାସ କରି ବହୁ କ୍ରୀଡ଼ାବିତ୍ ନାଁ କମାଇଛନ୍ତି| ହେଲେ ପଡ଼ିଆର ରକ୍ଷଣାବେକ୍ଷଣ ଅଭାବରୁ ଏହି ପଡ଼ିଆର ଚିତ୍ର ବଦଳି ଯାଇଛି। ଏଠାରେ ଖେଳକୁଦ ପାଇଁ ଖେଳାଳିମାନେ ନାକ ଟେକୁଛନ୍ତି। ଏହି ପଡ଼ିଆ ପାର୍ଶ୍ଵରେ ଥିବା କ୍ଲବ୍ କୋଠା
ଉପରେ କମ୍ୟୁନିଟି ସେଣ୍ଟର୍ ଓ ପାଖରେ ଥିବା ଆଉ ଏକ କୋଠାଘର କାମ ଅଧା ରହିଛି ଫଳରେ ଅସାମାଜିକମାନେ ଏଠାରେ ଯାବତୀୟ ନିଶା କାରବାର କରିବା ସହ ଆଡ଼ା ଜମାଉଥିବା ଅଭିଯୋଗ ହେଉଛି। ମଦ୍ୟପମାନେ
ମଦ ବୋତଲ ଭାଙ୍ଗି ସେଗୁଡ଼ିକୁ ପଡ଼ିଆରେ ଫିଙ୍ଗି ଦେଉଛନ୍ତି। ଫଳରେ ଲୋକମାନେ ସକାଳ ଓ ସନ୍ଧ୍ୟା ଭ୍ରମଣ କରିପାରୁ ନାହାନ୍ତି। ବିଶେଷ କରି ବରିଷ୍ଠ ଲୋକମାନେ ହଇରାଣ ହେଉଛନ୍ତି। ଏହି ପଡ଼ିଆରେ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ଆୟୋଜିତ ହୋଇଥାଏ। ପଡ଼ିଆ ପାଖରେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ କଲୋନି ରହିଛି। ସନ୍ଧ୍ୟା ହେଲେ ଏଠାରେ ନିଶାଡ଼ିମାନେ ଏକାଠି ହୋଇ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।