-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Apr-2022
ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ): ତିନିଦିନତଳେ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିଲେ କେନ୍ଦ୍ର ଖାଦ୍ଯଯୋଗାଣ ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି । ଏହାର ଦିନକ ପରେ ଅର୍ଥାତ୍ କାଲି ଗଣମାଧ୍ୟମର ମୁଖପୃଷ୍ଠ ଖବର ପାଲଟିଛି ଦୁଇମାସତଳେ ଗତ ଫେବୃଆରୀରେ କେନ୍ଦ୍ର ଚାଉଳ ଯାଞ୍ଚ କମିଟିର ରିପୋର୍ଟ । ଏଥିରେ କୁହାଯାଇଛି , ସମ୍ବଲପୁର ଓ ଟିଟିଲାଗଡ ଦୁଇଟି ଡିଭିଜନର ୯ ଟି ଜିଲ୍ଲାର ସରକାରୀ ଯୋଜନାର ଉତ୍ପାଦିତ ଓ ବିତରିତ ଚାଉଳର ଶତକଡା ନବେ ଭାଗ ନିମ୍ନମାନର ଓ ଶତକଡା ଅଣଚାଳିଶ ଭାଗ ଖାଇବା ଉପଯୋଗୀ ନୁହେଁ । ଏଥିପାଇଁ ଯୋଗାଣବିଭାଗର ବଡଅଧିକାରୀ ସିଏସଓ ମାନଙ୍କୁ ନିଲମ୍ବନ କରାଯାଇନାହିଁ ଓ ୬୦ଟି ମିଲର୍ସଙ୍କୁ କଳାତାଲିକାଭୁକ୍ତ କରିଦିଆଯିବାର ସମ୍ଭାବନା ରହିଛି ।
ତେବେ ଏଠି ପ୍ରଶ୍ନ ଉଠେ ଯେ , ଏଥିପାଇଁ ଦାୟୀ କିଏ ? ଦଶନ୍ଧି ଦଶନ୍ଧି ଧରି ସରକାରୀ ରିହାତି ଚାଉଳର କଳାବଜାରୀ , ହେରଫେର ଓ ବାଟମାରଣା ସହିତ ରିସାଇକ୍ଲିଂ , ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଓ ଚାଷୀଙ୍କ ଅଭାବୀ ବିକ୍ରି , ପେକ୍ସ ଦୁର୍ନୀତି , ଗୋଦାରେ ଅପମିଶ୍ରଣ , ପଞ୍ଚାୟତରେ ନଷ୍ଟପଚା ଚାଉଳ ବଣ୍ଟନ ,ଓ ମିଲର୍ସମାନଙ୍କ ଧାନକିଣା ଓ ଚାଉଳ ଦାଖଲରେ ଅଭିଯୋଗ ସହିତ ବଡ ବଡ ଟ୍ରକ୍ ଟ୍ରକ୍ ଚାଉଳ ଧରାପଡିବା ଓ ପ୍ରଶାସନର କ୍ଲିନ୍ ଚିଟ୍ ରେ ଛାଡିଦିଆଯିବା , ବିଧାନସଭାରେ ବିଧାୟକଙ୍କ ଦ୍ବାରା ଅସ୍ଥାୟୀ ଡ୍ରାଇଭରରୁ କୋଟିପତି ଏଜେଣ୍ଟ ପ୍ରସଙ୍ଗ ଇତ୍ୟାଦି ପରେ ଆଉ ବୁଝିବାକୁ କ'ଣ ବାକି ରହିଲା ଯେ , ଏଥିପାଇଁ କିଏ ଦାୟୀ ?
ଆମ ଆଖିଆଗରେ ସେଇ ଭିଜିଲାନ୍ସ ହାତରେ ଧରାପଡିଥିବା , ଅସାଧୁ ଯୋଗାଣ କର୍ମଚାରୀଙ୍କ ପଦୋନ୍ନତି ପରେ ପୁଣି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇ ଆସିବା , ବହୁ ମିଲ୍ ରେ ଧାନଚାଉଳର ଅନିୟମିତତା ସତ୍ତ୍ୱେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା , ଗୋଟିଏ ମିଲ୍ ରୁ ଏକାଧିକ ମିଲ୍ ବଢିଚାଲିବା , ମିଥ୍ୟାଚାଷୀଙ୍କ ଧାନବିକ୍ରିଠୁଁ ଫସଲବୀମା ହଡପଯାଏ ସବୁ ଚାଲିଛି । ଆର ଆର ସି ରେ ଚାଉଳର ଗୁଣାତ୍ମକମାନ ପରୀକ୍ଷାପାଇଁ କ୍ବାଲିଟିକଣ୍ଟ୍ରୋଲ୍ ଇନିସପେକ୍ଟର ନିଯୁକ୍ତ କରାଯାଇଛି । ରାଜ୍ୟ ପଣ୍ୟାଗାର ନିଗମର ଗୋଦାମଠୁଁ କେନ୍ଦ୍ର ଏଫସିଆଇ ଗୋଦାମରେ ପଚାଚାଉଳର ଅପମିଶ୍ରଣଠାରୁ ପାଣି ଛିଞ୍ଚି ଧରାପଡିବା , ଖୁଦ ଅପମିଶ୍ରିତ ଚାଉଳ ଦେବା ଓ ପରିବହନରେ ଓଜନ କମ୍ ଇତ୍ୟାଦି ଏହାର କାରଣ ।
ମୁଖ୍ୟମନ୍ତ୍ରୀ ଆଉ ଛଅମାସ ମାଗଣା ଚାଉଳ ଦେବାକୁ କେନ୍ଦ୍ରକୁ ଚିଠି ଲେଖିବା , କେନ୍ଦ୍ରର ଏ ଗୁଣାତ୍ମକମାନ ପରୀକ୍ଷା ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବା ରିପୋର୍ଟ ଧମକ ; କିଛି ଗୋଟେ କେନ୍ଦ୍ର- ରାଜ୍ୟ ମଧ୍ୟରେ ଚାଉଳ ରାଜନୀତିର ଗନ୍ଧ ଆସୁଛି କି ? ଆଗରୁ କୁଆଡେ ଥିଲା ଏ ତତ୍ପରତା ?
ଆଉ ଏକ ପ୍ରସଙ୍ଗ ହେଲା , ଏ ଯାବତୀୟ ସରକାରୀ ଯୋଜନାର ରିହାତିଚାଉଳର ଡିଲରଙ୍କ ନିଯୁକ୍ତିରେ ପୂର୍ବ ସରକାର ଅମଳରୁ ଏଯାବତ୍ କିଛି ଅଦଳବଦଳ ହୋଇଛି କି ? ନିୟମ ଓ ବ୍ୟକ୍ତିରେ ? ସେଇ ବୋତଲ , ସେଇ ପାନୀୟ ।
ତେବେ ସରକାରୀ ଯୋଜନାର ଚାଉଳର ନିମ୍ନମାନର କାରଣ ସେଇ ଚାଉଳର ରିସାଇକ୍ଲିଂ ବୋଲି କୁହାଯିବାରେ ଅତ୍ୟକ୍ତି ଅଛି କି ? ଖୁଦ , କଣଖି , ପାଣିଭିଜା , କଳାମଳା ମାଟିଗୋଡି ବାଲି ଓ ଗୋଦାମରଦ୍ଦି ପଚାଚାଉଳକୁ ଗରିବଗୁରୁବା , ସ୍କୁଲ୍ ପିଲା , ଅଙ୍ଗନବାଡି ଛୁଆଙ୍କ ମୁହଁରେ ଗେଞ୍ଜିଦେଇ କୋଟି କୋଟି ମୁନାଫାର ଅଂଶୀଦାର ସମସ୍ତେ । ଜୟ କଳା !