-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
18-Aug-2026
ସିନାପାଲି(ଚିନ୍ତାମଣି ନେତାମ )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ୮୦ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀରଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଉତ୍ସବରେ ଛାତ୍ରଛାତ୍ରୀ, ଆଚାର୍ଯ୍ୟ-ଆଚାର୍ଯ୍ୟା, ଅତିଥି ଓ ଅଭିଭାବକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଳିତ କୁମାର ସୁନାରୀ ଯୋଗଦେଇଥିଲେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ, ଶୃଙ୍ଖଳା, ସଂସ୍କାର ଓ ନୈତିକ ମୂଲ୍ୟବୋଧର ମହତ୍ତ୍ୱ ବୁଝାଇଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, “ଛାତ୍ର ଜୀବନ ହେଉଛି ଜଣେ ମଣିଷକୁ ସୁମାନବ ଭାବେ ଗଢ଼ି ତୋଳିବାର ପ୍ରକୃତ ସମୟ।” ଏହି ସମୟରେ ଶିକ୍ଷା ସହିତ ଭଲ ସଂସ୍କାର, ଶୃଙ୍ଖଳା, ଦେଶପ୍ରେମ ଓ ମାନବିକତାକୁ ଜୀବନର ଅଂଶ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଫରସ ରାମ ସା, ଶିଶୁ ମନ୍ଦିର ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଓଁକାର ପାଣ୍ଡେ ଯୋଗଦେଇଥିଲେ। ପୂର୍ବତନ ସମ୍ପାଦକ ତାରାଚନ୍ଦ୍ର ପ୍ରଧାନ ଓ ସଭ୍ୟା କୁମାରୀ ମାଝୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମର ସଂଯୋଜନା ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସାନନ୍ଦ କୁମ୍ଭାର କରିଥିଲେ।
ସ୍ୱାଧୀନତା ଦିବସ ଅବସରରେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଦେଶଭକ୍ତିମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାରେ ଉତ୍ସାହର ସହ ଭାଗ ନେଇଥିଲେ। ଭାରତ ମାତା, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜବାହାରଲାଲ ନେହେରୁ, ଝାନ୍ସୀ ରାଣୀ ଲଷ୍ମୀ ବାଇ ଓ ଶହୀଦ ଭଗତ ସିଂ ଙ୍କ ଭଳି ମହାନ ଦେଶଭକ୍ତଙ୍କ ବେଶଭୂଷାରେ ଛାତ୍ରଛାତ୍ରୀମାନେ ସଜ୍ଜିତ ହୋଇ ଦେଶର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସକୁ ମନେ ପକାଇଥିଲେ। ଛୋଟ ଛୋଟ ଶିଶୁଙ୍କ ଏହି ଦେଶପ୍ରେମଭରା ପ୍ରଦର୍ଶନ ଉପସ୍ଥିତ ସମସ୍ତଙ୍କ ମନ ଜିଣିଥିଲା।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଏଥିସହ ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାର ବିକାଶ ଓ ଦେଶପ୍ରେମର ଭାବନାକୁ ଦୃଢ଼ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଅତିଥିମାନେ ମତ ରଖିଥିଲେ।
କାର୍ଯ୍ୟକ୍ରମକୁ ସଫଳ ଓ ସୁନ୍ଦର ଭାବେ ଆୟୋଜନ କରିବାରେ ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଆଚାର୍ଯ୍ୟ ଶ୍ରୀଯୁକ୍ତ ବୀରଭଦ୍ର ସା ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଶିଶୁମନରେ ଦେଶପ୍ରେମ, ଜାତୀୟତାବୋଧ ଓ ସୁସଂସ୍କାରର ଭାବନା ଜାଗ୍ରତ କରିବା ସହ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା।