-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ପୁରୀ(ସମୀର ରଞ୍ଜନ ନାୟକ ): ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଆସନ୍ତା ଡିସେମ୍ବର ୨୨ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୨୨ ତାରିଖରୁ ପ୍ରଥମେ ପିପିଲି ଓ ନିମାପଡା ବ୍ଲକ ଏବଂ ଜାନୁୟାରୀ ୨ ତାରିଖରୁ ଅନ୍ୟ ବ୍ଲକ ଗୁଡିକ ନିମନ୍ତେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଧାନ ସଂଗ୍ରହ ନିମନ୍ତେ ୧୧ଟି ବ୍ଲକର ୧୯୧ଟି ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜିକରଣ କରିଥିବା ବେଳେ ୧୮୪ଟି ସମିତିର ପଞ୍ଜିକରଣ ବୈଧ ରହିଛି । ସେହିଭଳି ଧାନ ବିକ୍ରୟ ନିମନ୍ତେ ୪୭ ହଜାର ୧୧୯ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୪୬ ହଜାର ୧୩୦ ଜଣଙ୍କ ପଞ୍ଜିକରଣ ବୈଧ ରହିଛି । ଚଳିତ ଖରିଫ ଋତୁ ନିମନ୍ତେ ୬୬ ହଜାର ମେଟ୍ରିକ ଟନ ଚାଉଳ ଓ ୯୭ ହଜାର ମେଟିକ୍ ଟନ ଧାନ ସଂଗ୍ରହ କରିବା ଲକ୍ଷଧାର୍ଯ୍ୟ କରାଯାଇଛି । ସାଧାରଣ କିସମ ଧାନ ପାଇଁ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ଓ ଗ୍ରେଡ ଏ ଧାନ ପାଇଁ ୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହ ନିମନ୍ତେ ସ୍ବଚ୍ଛତା ଅବଲମ୍ବନ ସହ ଚାଷୀମାନେ ଯେପରି ଉପଯୁକ୍ତ ପ୍ରାପ୍ୟ ପାଇବେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିନିମନ୍ତେ ସଂପୃକ୍ତ ସମବାୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ବର୍ମା କହିଛନ୍ତି । କୃଷ୍ଣପ୍ରସାଦ ବ୍ଲକର ଚିଲିକା ପାର୍ଶ୍ବରେ ଥିବା ୮ଟି ସମବାୟ ନିମନ୍ତେ ଧାନ ସଂଗ୍ରହ ପାଇଁ ଅନ୍ୟ ଜିଲ୍ଲାର ମିଲର ମାନଙ୍କୁ ନିଯୁକ୍ତ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ, ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା, ଯୋଗାଣ ଅଧିକାରୀ ଶ୍ରୀ ସୁବୋଧ ହୋତା, ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ବସନ୍ତ ପଣ୍ତା, ସମବାୟ ସମିତି ସମୂହ ଉପ ନିବନ୍ଧକ ଶ୍ରୀ ଭୀମସେନ ସାହୁ, ନିୟନ୍ତ୍ରିତ ବଜାର କମିଟି ସଂପାଦକ, ମିଲର, ଚାଷୀ ପ୍ରତିନିଧି ପମୁଖ ଉପସ୍ଥିତ ଥିଲେ ।