-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର)- ପଶ୍ଚିମ ଓଡ଼ିଶାର ଚାଷ, ବନ୍ୟା ନିୟନ୍ତ୍ରଣ ଏବଂ ବିଦ୍ୟୁତ୍ ଉତ୍ପାଦନକୁ ଦୃଷ୍ଟିରେ ରଖ୍ ୧୯୪୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ
ଜବାହାରଲାଲ ନେହେରୁ ହୀରାକୁଦର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ୧୯୫୭ରେ ଏହା ପୂର୍ଣାଙ୍ଗ ହୋଇଥିଲା | ହୀରାକୁଦର ଆରମ୍ଭ ସମ୍ବଲପୁର ଜିଲାରୁ ହୋଇଥିବା ବେଳେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି, ବିନିକା ଟେଲ ଏରିଆ। ଚାଷୀର ଚାଷ ପାଇଁ ହୀରାକୁଦ ପାଣି ତଳମୁଣ୍ଡକୁ ଆସୁଥିଲା। ଅତ୍ୟଧୂକ ପାଣି ହେଲେ କପାସିରାରର ଗୁରାଣ୍ଡି, ଶୁଖା, ଇଚ୍ଛାପୁର, କର୍ଲାଯୁରୀ ଆଦି ଅଞ୍ଚଳରୁ ଅଙ୍ଗନଦୀ ଏବଂ ବିନିକା ଅଞ୍ଚଳରେ ମହାନଦୀରେ ପଡୁଥିଲା । କିନ୍ତୁ ଆଜି ବି ସେହି ହୀରାକୁଦ ଥୂବାବେଳେ କେନାଲ ବି ସେମିତି ରହିଛି। ହେଲେ ଏହି ସବୁ ଅଞ୍ଚଳକୁ ପୂର୍ବଭଳି ପାଣି ଆଉ ପହଞ୍ଚିପାରୁ ନାହିଁ । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ
ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଅଧିକାରୀମାନେ ଚାଷୀଙ୍କୁ ହେୟ ମନେ କରି ଉପେକ୍ଷା କରିବା ଯୋଗୁଁ ଚାଷୀମାନେ ବିଷମ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ବିଗତ ଦିନରେ ଏହି ଅଞ୍ଚଳରେ ପାଣି ପାଇଁ ଚାଷ କାର୍ଯ୍ୟ ହୋଇପାରୁଥିଲା । ଲରିଆବାହାଲ
ମାଇନରର ଶେଷ ରାଜସ୍ବ ଗ୍ରାମ ଜାମପାଲିରେ ପାଣି ପହଞ୍ଚି ଚାଷ ହେଉଥିଲା। ସେହିପରି ଶୁଖା ମାଇନରେ ହଲଦୀ, କର୍ଲାଯୁଗା, ଇଚ୍ଛାପୁର, ସାହାଜବାହଲ, ତିଲେଇମାଲ, କନ୍ଦୁମୁଣ୍ଡା, ଡୁମେରପାଲି, ସହଲା ମାଇନରେ ସୁନାପାଲି, ଚେରୁପାଲି, ପହଣ୍ଡି ଦିଗସିରା, ଇନ୍ଦିରାନଗର, ଡାହୁକବୁଡ, ବଡଫଟାମୁଣ୍ଡା,କପାସିରାରେ ପାଣି ମାଡି ଚାଷ ହେଉଥିବା ବେଳେ ଧୀରେ ଧୀରେ ଏହି ଅଞ୍ଚଳକୁ ଆଉ ପାଣି ମାଡିପାରୁ ନାହିଁ । ବିଭିନ୍ନ ସମୟରେ କେତେକ ଗ୍ରାମକୁ ଆଉ କେନାଲ ପାଣି ଆସିବ ନାହିଁ ବୋଲି ଏକ ‘କ୍ରସବନ୍ଧ’
ସୃଷ୍ଟି କରିଛନ୍ତି। ଏହାର ଅର୍ଥ ହେଲା ଯେଉଁ ଗ୍ରାମ କେନାଲ ତଳ ମୁଣ୍ଡରେ ଅଛି, ସେହି ଗ୍ରାମର କେନାଲ ପାଣି ଆସିବ ନାହିଁ । ସେହି ଗ୍ରାମର କେନାଲ ମୁଣ୍ଡରେ ମାଟି ବନ୍ଧ କରାଯାଇ କେନାଲକୁ ସେଠାରେ ବନ୍ଦ କରି ଦିଆଯାଉଛି। ଯାହାଦ୍ବାରା ସେଠାରୁ କେନାଲ ପାଣି ଆଗକୁ ଆଉ ଯାଇପାରେ ନାହିଁ। ପଳରେ ବିଚରା ଚାଷୀ କର୍ମକୁ ଆଦରି ଚାଷ ବନ୍ଦ କରୁଛି। କିନ୍ତୁ କାଗଜ କଲମରେ ଚାଷ ହେଉଥିବାରୁ ରାଜସ୍ବ ବିଭାଗ ଖଜଣା ଆଦାୟ କରୁଛନ୍ତି। ଏବେ ଯେଉଁଆଡେ ଦେଖୁବ କେନାଲ ଭିତରେ ମଇଳା, ଲଟାବୁଦା ସାଙ୍ଗକୁ ଅନାବନା ଘାସ ଉଠିଛି।
ଯାହାଦ୍ବାର ପାଣି ତଳକୁ ଯାଇପାରୁନାହିଁ । ମରାମତି ଓ ସଫେଇ ଆଳରେ ଜେସିବି ବୁଲାଇ ମିଥ୍ୟା ବିଲ୍ କରି ଟଙ୍କା ଉଠାଯାଉଥିବା ଚାଷୀ ମହଲରେ ଅଭିଯୋଗ ମଧ୍ୟ ହେଉଛି। ଏହାକୁ ନେଇ ଏହି ଅଞ୍ଚଳର ଚାଷୀଙ୍କ ମଧ୍ୟର ପ୍ରତିକ୍ରୟା ଦେଖା ଦେଇଛି। ଏଭଳି ସ୍ଥିତିରେ ଚାଷୀମାନେ ଚଳିତ ବର୍ଷ କୌଣସି ସଫେଇ କାମ ହୋଇନାହିଁ ବୋଲି କହିଛନ୍ତି।
ହୀରାକୁଦ ପାଇଁ କେନାଲ ଅଛି- ହେଲେ ପାଣି ପୂର୍ବଭଳି ଆଉ ଆସୁନାହିଁ I ମରାମତି, ସପେଇ ନାଁରେ ଲକ୍ଷାଧିକ ଟଙ୍କା ଚଳୁ ହେଉଛି। ଯେଉଁ ଠାରେ କାମ ହେବା କଥା ସେଠାରେ ହୁଏ ନାହିଁ, ଯେଉଁ ସ୍ଥାନରେ କାମର ଆବଶ୍ୟକତା ନାହିଁ, ସେହି ସ୍ଥାନରେ କାମ ହୋଇଥାଏ। କେତେକ କାମ ଖୁବ୍ କମ୍ ଦିନରେ ସରିଯାଉଥିବା ବେଳେ ଆଉ କେତେକ କାମ ବର୍ଷ ବର୍ଷ ଧରି ପଡ଼ି ରହିଛି। ଏହାକୁ ଆଳକରି ପାଣି ବନ୍ଦ କରି ଦିଆଯାଉଛି। ରୋଟେସନ ମାଧ୍ୟମରେ ପାଣି ଯୋଗାଣ ଯୋଗୁଁ ଚାଷୀର ଫସଲ ନଷ୍ଟ ହେଉଛି । କେନାଲ ବିଭାଗର ଅଧିକାରୀଙ୍କ ଦେଖା ମିଳୁନାହିଁ । ଚାଷ ଏବଂ ଚାଷୀଙ୍କ ପାଇଁ କେନାଲ ବିଭାଗ ଆଖ୍ ବୁଜି ଦେଇଛି। ପାଣି ପଞ୍ଚାଯତ ମାଧ୍ୟମ ରେ କୋଟି କୋଟି ଟଙ୍କାର କାମର ଦୁର୍ନୀତି ହେଉଥିବା ଚାଷୀମହଲରେ ଆଲୋଚନା ହେଉଛି।ନିରୀହ ଚାଷୀଙ୍କ ସରଳତାରେ ସୁଯୋଗ ନେଇ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ବାଟମାରଣାରେ ଲିପ୍ତ ହେଉଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ନଚେତ ଚାଷୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବ l