-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଗଜପତି, ଗୋଷାଣି(ପ୍ରେରଣା ଖବର) : ଝିଅ ଦୁଇଦିନ ପରେ ହାତରୁ ଦି ହାତ ହୋଇଥାନ୍ତା । ଶାଶୂ ଘରକୁ ଯାଇଥାନ୍ତା । କିନ୍ତୁ ରବିବାର ସନ୍ଧ୍ୟାରେ ଘଟିଲା ଅଘଟଣା। ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଝିଅ ସହ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ଝିଅ ଘରୁ ମିଳିଛି ମୃତଦେହ। ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଗୁରାଣ୍ଡି ଥାନା ଅଧୀନ କାଣ୍ଟ୍ରାଗଡ଼ ପଞ୍ଚାୟତର ଆରିବା ଗ୍ରାମରେ ଘଟିଛି ଏହି ଦୃଦୟ ବିଦାରକ ଘଟଣା ।
ମୃତ ଯୁବତୀ ଓ ଯୁବକ ହେଲେ ହେଲେ ଗ୍ରାମର ଏସ୍.ବାବୁ ରାଓଙ୍କ ଝିଅ ଏସ୍.ଦିଲ୍ଲେଶ୍ୱରୀ(୨୧) ଓ ଉକ୍ତ ସାହିର ସ୍ୱର୍ଗତ ପି.ଆପ୍ପା ରାଓଙ୍କ ପୁଅ ପି.ତାଲୁରୁ ଶ୍ରୀନୁ(୨୫) । କାଣ୍ଟ୍ରାଗଡ଼ ସରପଞ୍ଚଙ୍କ ସ୍ୱାମୀ ସନ୍ମୁଖ ରାଓଙ୍କ ଠାରୁ ଖବର ପାଇ ଗୁରାଣ୍ଡି ଥାନା ଏସ୍ଆଇ ଲୋକନାଥ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ରାତି ହୋଇଯାଇଥିବାରୁ ସୋମବାର ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବ ଏବଂ ତଦନ୍ତ ପରେ ଯାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍ଆଇ ଲୋକନାଥ ବେହେରା ସୂଚନା ଦେଇଛନ୍ତି ।
ପୋଲିସର କହିବାନୁସାରେ, ଆରିବା ଗ୍ରାମର ଏସ୍.ବାବୁ ରାଓ ଓ ତାଙ୍କ ପତ୍ନୀ ଜମିକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରି ଦେଖନ୍ତି ତ ଝିଅ ଏସ୍.ଦିଲ୍ଲେଶ୍ୱରୀ ଓ ତାଙ୍କ ସାହିର ଅଟୋ ଚାଳକ ପି.ତାଲୁରୁ ଶ୍ରୀନୁର ରକ୍ତାକ୍ତ ମୃତଦେହ ଗୋଟିଏ ସ୍ଥାନରେ ପଡ଼ିଛି । ଏ ନେଇ ରାତି ପ୍ରାୟ ୮ଟା ସମୟରେ ଏସ୍.ବାବୁ ରାଓ ସରପଞ୍ଚଙ୍କୁ ଖବର ଦେଇଥିଲେ । ପରେ ସରପଞ୍ଚଙ୍କ ସ୍ୱାମୀ ଗୁରାଣ୍ଡି ଥାନାକୁ ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ଦିଲ୍ଲେଶ୍ୱରୀଙ୍କ ବାହାଘର ଅନ୍ୟତ୍ର ହେବାର ଥିଲା । ବିବାହର ଦୁଇଦିନ ପୂର୍ବରୁ ଦିଲ୍ଲେଶ୍ୱରୀଙ୍କ ସହ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।