-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : କେନ୍ଦ୍ର ସରକାର ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ ଓ ଏମଏକ୍ସ ପ୍ଲେୟର ଭଳି ଓଟିଟି ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆ ଉପରେ ନଜର ରଖିବା ଲାଗି ନିୟମଗୁଡିକୁ ଦେ ରେ କଡ଼ାକଡ଼ି କରିଛନ୍ତି। ଫଳରେ ଷ୍ଟ୍ରିମିଂ କମ୍ପାନୀମାନଙ୍କୁ ଆପତ୍ତିଜନକ କଣ୍ଟେଣ୍ଟ ଲାଗି ବାରମ୍ବାର ମିଳୁଥିବା ଅଭିଯୋଗ ଏବେ ହଟାଇବାକୁ ପଡିବ।
ସେହିପରି ଫେସବୁକ୍, ହ୍ୱାଟସ୍ଆପ୍, ଇଂଷ୍ଟାଗ୍ରାମ ଓ ଟ୍ୱିଟର ଭଳି କମ୍ପାନୀଙ୍କୁ କଣ୍ଟେଣ୍ଟ ଉପରେ ନଜର ରଖିବା ଲାଗି ଅଭିଯୋଗ ସମାଧାନ ଅଧିକାରୀଙ୍କୁ ନିଯୁକ୍ତ କରିବା ସାଙ୍ଗକୁ ସରକାରୀ ଯାଞ୍ଚକୁ ସହଯୋଗ କରିବାକୁ ହେବ। ଓଟିଟି ପ୍ଲାଟଫର୍ମ ଓ ସୋସିଆଲ ମିଡିଆ କମ୍ପାନୀମାନଙ୍କ ମନମୁଖୀ କାରବାର ସମାପ୍ତ କରିବାକୁ ସରକାର କୌଣସି ନୂଆ ଆଇନ ଆଣି ନାହାନ୍ତି। ଏଥିଲାଗି ଥିବା ଆଇଟି ଆକ୍ଟ ୨୦୦୦ରେ କିଛି ନୂଆ ନିୟମ ସଂଯୁକ୍ତ କରିଛନ୍ତି।
ଏହି ଆଇନରେ ୩ ପ୍ରକାର ପ୍ଲାଟଫର୍ମ ସମ୍ପର୍କରେ ସୂଚିତ କରାଯାଇଛି। ଏଗୁଡିକ ହେଲା ସୋସିଆଲ ମିଡିଆ, ଡିଜିଟାଲ ନ୍ୟୁଜ୍ ଏବଂ ଓଟିଟି ପ୍ଲାଟଫର୍ମ। ଏଥିରେ ସୋସିଆଲ ମିଡିଆରେ ଏପରି କୌଣସି ପୋଷ୍ଟ ଯାହା ନଗ୍ନତା, ଅଶ୍ଲିଳତା ଓ ଫଟୋ ପରିବର୍ତ୍ତନ କରି ଉପଯୋଗ କରିଥିଲେ ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିବ।
ଏଭଳି ପୋଷ୍ଟ ଅଭିଯୋଗ ନ ମିଳିଥିଲେ ବି ହଟାଇବାକୁ ପଡିବ। ସେହିପରି ଅଭିଯୋଗର ସମାଧାନ ଲାଗି ଏବେ ଏପରି ସଂସ୍ଥାଙ୍କୁ ଅଧିକାରୀ ନିଯୁକ୍ତି କରିବାକୁ ହେବ। ଯିଏ ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ସ୍ୱୀକାର କରି ୧୫ ଦିନ ମଧ୍ୟରେ ମାମାଲାର ସମାଧାନ କରିବେ।
ଆପଣଙ୍କ ଉପରେ ପଡିବ ଏପରି ପ୍ରଭାବ
ଯଦି ଆପଣ ସୋସିଆଲ ମିଡିଆର ଉପଯୋଗ କର୍ତ୍ତା ତେବେ ନିଜ ପେଜ୍ରେ କୌଣସି କଣ୍ଟେଣ୍ଟ ପୋଷ୍ଟିଂ ପୂର୍ବରୁ ସବୁଦୃଷ୍ଟିରୁ ଚିନ୍ତା କରି ପୋଷ୍ଟିଂ କରିବା ଜରୁରି। ଆପଣ ଯେପରି କୌଣସି ଫେକ୍ ନ୍ୟୁଜ, ଗୁଜବ ଅଥବା ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟିଂ ନ କରନ୍ତି ସେଥିଲାଗି ସତର୍କ ରହିବାକୁ ହେବ।
ଶେଷ ହେବ ହ୍ୱାଟସ୍ ଆପ୍ର ଏଣ୍ଡ ଟୁ ଏଣ୍ଟ ଇନକ୍ରିପ୍ସନ
ଗାଇଡଲାଇନ ଜାରି କରି ସରକାର କହିଛନ୍ତି ଯେ ଲୋକେ ସୋସିଆଲ ମିଡିଆକୁ ହିଂସା ଓ ଗୁଜବ ରଟାଇବାକୁ ଉପଯୋଗ କରୁଛନ୍ତି। ତେବେ କୌଣସି କଣ୍ଟେଣ୍ଟ ଯୋଗୁ ଯଦି ଏପରି ପରିସ୍ଥିତି ଉପୁଜେ ତେବେ ଫେସବୁକ୍, ଇଂଷ୍ଟା, ଟ୍ୱିଟର, ସିଗ୍ନାଲ ଓ ହ୍ୱାଟସ୍ ଆପଙ୍କୁ ଭାଇରାଲ ପୋଷ୍ଟର ଅରିଜିନେଟରଙ୍କ ତଥ୍ୟ ଏବେ ସରକାର ହାସଲ କରିପାରିବେ। ଏଣ୍ଡ ଟୁ ଏଣ୍ଡ ଇକ୍ରିପ୍ସନ ଯୋଗୁ ଏପର୍ଯ୍ୟନ୍ତ ହ୍ୱାଟସ୍ଆପ୍ ଭଳି ସଂସ୍ଥା ଅରିଜିନେଟରଙ୍କ ସୂଚନା ଦେଉ ନଥିଲେ।