-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
11-Oct-2026
ପାଟଣାଗଡ଼/ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲେଇ ନିକଟସ୍ଥ ଗଣ୍ଡାମେଲ ଠାରେ ଅବସ୍ଥିତ ଆଦିବାସୀ ଶବର ସମାଜର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀନୀଳମାଧବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱାବସୁ ଶବର ସମାଜ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ–୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ଓ ଛତିଶଗଡ଼ର ଶବର ଏବଂ ସହରା ସମାଜର ପ୍ରତିନିଧି, ସମାଜସେବୀ, ଶିକ୍ଷାବିତ୍, ସରକାରୀ ଅଧିକାରୀ, ସାଂସ୍କୃତିକ କର୍ମୀ ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଏହି ଭବ୍ୟ ସାମାଜିକ ଓ ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପଦ୍ମଶ୍ରୀ ଲୋକକବି ହଳଧର ନାଗ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ଛତିଶଗଡ଼ ରାଜ୍ୟ ଶବର ସମାଜର ସଭାପତି ଶ୍ରୀ ପ୍ରେମଲାଲ ସିଦ୍ଦାର, ଅଖିଳ ଭାରତୀୟ ଶବର ସମାଜ ମହାସଂଘର ଜାତୀୟ ସଂଯୋଜକ ଶ୍ରୀ ଫଣୀନ୍ଦ୍ର ଭୋଇ ଏବଂ ରାୟପୁରର ଶିକ୍ଷାବିତ୍ ପ୍ରଫେସର ଶ୍ରୀ ଗଜାନନ ଭୋଇ ବିଶିଷ୍ଟ ବକ୍ତା ଭାବେ ଯୋଗଦେଇଥିଲେ।
ଶବର ସମାଜର ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ
ମୁଖ୍ୟ ବକ୍ତା ପଦ୍ମଶ୍ରୀ ହଳଧର ନାଗ ଶବର ସମାଜର ପ୍ରାଚୀନ ଇତିହାସ, ସମୃଦ୍ଧ ଲୋକସଂସ୍କୃତି, ଭାଷା, ସାହିତ୍ୟ, ଲୋକକଳା, ପର୍ବପର୍ବାଣି, ରୀତିନୀତି, ଧର୍ମୀୟ ବିଶ୍ୱାସ ଓ ପାରମ୍ପରିକ ଜୀବନଶୈଳୀ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
ସେ ଶବର ବଂଶର ଗୌରବମୟ ପରମ୍ପରା, ଶବରୀନାରାୟଣ ସଂସ୍କୃତି, ପ୍ରଭୁ ଶ୍ରୀନୀଳମାଧବଙ୍କ ଉପାସନା ପରମ୍ପରା, ବିଶ୍ୱାବସୁ ଶବର ଓ ଜlରା ଶବରଙ୍କ
ସହ ଜଡ଼ିତ ପୌରାଣିକ କଥା ଏବଂ ଲୋକବିଶ୍ୱାସ ସମ୍ପର୍କରେ ଆଲୋଚନା କରିଥିଲେ।
ଏଥିସହ ମା' ସମଲେଇ, ମା' ଚନ୍ଦ୍ରହାସିନୀ, ମା' ମାଣିକେଶ୍ୱରୀ, ମା' ମେଟାକାନି ଓ ମା' ସୁରେଶ୍ୱରୀଙ୍କ ଉପାସନା ସହ ଆଦିବାସୀ ଲୋକଜୀବନ ଓ ସଂସ୍କୃତିର ଐତିହାସିକ ସମ୍ପର୍କ ବିଷୟରେ ମତ ରଖିଥିଲେ।
ଆଦିବାସୀ ସମାଜର ଭାଷା, ସଂସ୍କୃତି, ଜଳ, ଜଙ୍ଗଲ, ଜମି, ପାରମ୍ପରିକ ଜୀବିକା ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ନିଜର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟକୁ ଅକ୍ଷୁଣ୍ଣ ରଖି ଶିକ୍ଷା, ସଚେତନତା ଓ ସାମାଜିକ ଏକତା ମାଧ୍ୟମରେ ଆଦିବାସୀ ସମାଜ ଜାତୀୟ ବିକାଶର ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗକୁ ବଢ଼ିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।
ଶିକ୍ଷା, ସଂଗଠନ ଓ ସାମାଜିକ ଏକତା ହିଁ ବିକାଶର ମୂଳମନ୍ତ୍ର
ଛତିଶଗଡ଼ ଶବର ସମାଜର ରାଜ୍ୟ ସଭାପତି ଶ୍ରୀ ପ୍ରେମଲାଲ ସିଦ୍ଦାର ନିଜ ବକ୍ତବ୍ୟରେ କହିଥିଲେ ଯେ, ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଶବର, ସହରା ଓ ସଓରା, ଲୋଧା, ଭୀଲ ସମୁଦାୟର ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ବିକାଶ ପାଇଁ ସର୍ବଭାରତୀୟ ସ୍ତରରେ ସୁଦୃଢ଼ ସଂଗଠନ ଗଠନ କରିବା ଅପରିହାର୍ଯ୍ୟ।
‘ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ଅଧିକାର ପାଇଁ ସଂଘର୍ଷ କର’ ମନ୍ତ୍ରକୁ ଆପଣାଇ ସମାଜର ଯୁବପିଢ଼ି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।
ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଶବର ସମୁଦାୟ ମଧ୍ୟରେ ଭ୍ରାତୃଭାବ, ସାଂସ୍କୃତିକ ସମନ୍ୱୟ, ପାରସ୍ପରିକ ସହଯୋଗ ଓ ସଂଗଠନର ଶକ୍ତି ବୃଦ୍ଧି କରିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଆଦିବାସୀ ସମାଜର ସାମ୍ବିଧାନିକ ସୁରକ୍ଷା, ଶିକ୍ଷାର ପ୍ରସାର, ନାରୀ ସଶକ୍ତୀକରଣ, ଯୁବ ସମାଜର ବିକାଶ, ଜଙ୍ଗଲ ଓ ଜମି ଅଧିକାର, ସାମାଜିକ ନ୍ୟାୟ ଏବଂ ପାରମ୍ପରିକ ସଂସ୍କୃତିର ସଂରକ୍ଷଣ ଭଳି ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା।
ବିଶ୍ୱାବସୁ ଶବର ସଂଘ ର ଜ଼ିଲ୍ଲା ସଭାପତି ସାରଥି ବାଗ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ବିଶିଷ୍ଟ ଅତିଥି ଶଙ୍କର ବାଗ, ଭୂଗୋଳ ବାଙ୍ଗୁଲା, ଶ୍ରୀମତୀ ସୂର୍ଯ୍ୟଭାନୁ ଭୋଇ, ରୂପେଶ୍ୱର ବିଶି, ସରେଇପାଲିର ଅନନ୍ତରାମ ବିଶି, ବିଳାସପୁରର ଶ୍ରୀମତୀ ଚନ୍ଦ୍ରକାନ୍ତି ଭୋଇ, ଲୋକନାଥ ଭୋଇ, ଶ୍ରୀମତୀ ସନ୍ତୋଷିନୀ ବିଶି, ଶ୍ରୀ ଶ୍ୟାମସୁନ୍ଦର ବିଶ୍ୱାଳ, ଶ୍ରୀ ସଞ୍ଜୀବ ବନଗୁଲା, ଅଜିତ ଶବର, ଆଇନଜୀବୀ ଦିରେଶ ରାମ ଶବର ଓ ଶ୍ରୀ
ତେଜରାଜ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ସେହିପରି ବିଶ୍ୱାବସୁ ଶବର ସମାଜ ସଂଘ,ଉପ ସଭାପତି ଶ୍ରୀ ଚନ୍ଦ୍ର ଶବର, ଶ୍ରୀ ପାଲେଶ୍ୱର ଭୋଇ, ଶ୍ରୀ ସନ୍ତୋଷ ବିଶି, ଶ୍ରୀ ପ୍ରଫୁଲ୍ଲ ତୁମୁନିଆ ଓ ଛତିଶଗଡ଼ର ସାଙ୍ଗଠନିକ ସମ୍ପାଦକ ଶ୍ରୀ ଜୟଦେବ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗୁରୁତ୍ୱ ବୃଦ୍ଧି କରିଥିଲେ।
ପାରମ୍ପରିକ ଶୋଭାଯାତ୍ରା ଓ ଭାଇଚାରାର ଅନନ୍ୟ ନିଦର୍ଶନ
ସଭା ପୂର୍ବରୁ ଆୟୋଜିତ ଶୋଭାଯାତ୍ରାର ପରିଚାଳନା ଓ ସମନ୍ୱୟ କାର୍ଯ୍ୟରେ ଶ୍ରୀ ମେନାରାମ ବିଶି ସହଯୋଗ କରିଥିଲେ।
ସମଗ୍ର ଉତ୍ସବ ଶବର ସମାଜର ଭାଇଚାରା, ସାମାଜିକ ସଂହତି, ପାରମ୍ପରିକ ଐତିହ୍ୟ ଓ ସାଂସ୍କୃତିକ ଅସ୍ମିତାର ଏକ ଅନନ୍ୟ ନିଦର୍ଶନ ପାଲଟିଥିଲା।
ଶ୍ରୀ ଗୋଲାପ ବିଶ୍ୱାଳ ମଞ୍ଚ ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶ୍ରୀ ମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।