-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
ଅହମଦାବାଦ (ପ୍ରେରଣା ଖବର ବ୍ୟୁରୋ) :ଅହମଦାବାଦରେ ପ୍ରସ୍ତୁତ ହୋଇଥିବା ଦୁନିଆର ସବୁଠାରୁ ବଡ ଷ୍ଟାଡିୟମ ମୋଟେରା ଷ୍ଟାଡିୟମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଛନ୍ତି। ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କ୍ରୀଡା ମନ୍ତ୍ରୀ କେତନ ରିଜିଜୁ ଏବଂ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଉପସ୍ଥିତ ଥିଲେ। ନୂଆ ସୁବିଧା ଓ ସାଜସଜ୍ଜା ସହ ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ। ଖାସ କଥା ହେଲା, ଏହି ନୂଆ ଷ୍ଟାଡିୟମର ନାଁ ବଦଳାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ହୋଇଛି।
ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତ୍ନୀଙ୍କ ସହ ସଦର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟ୍ସ ଏନକ୍ଳେଭର ଭୂମିପୂଜନ କରିଛନ୍ତି। ଗତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ଓ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋଟେରାରେ ଏକ ସଂଯୁକ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଫେବୃଆରୀ ୨୪ ତାରିଖରେ ଅହମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ। ଏହା ଡେ-ନାଇଟ ଟେଷ୍ଟ ମ୍ୟାଚ। ନୂଆ ଷ୍ଟାଡିୟମ ହେବା ପରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ମଧ୍ୟ ମୋଟେରା ଷ୍ଟାଡିୟମରେ ଖେଳାଯିବ।
ଏହାପରେ ଦୁଇ ଟିମ ମଧ୍ୟରେ ୫ଟି ଏକଦିବସୀୟ ମ୍ୟାଚ ହେବ। ମୋଟେରା ଷ୍ଟାଡିୟମକୁ ସରଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ଭାବେ ମଧ୍ୟ ଜଣାଶୁଣା। ଏହା ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ। ଏହାର ଦର୍ଶକ କ୍ଷମତା ୧ ଲକ୍ଷ ୧୦ ହଜାର।
ଅହମଦାବାଦ ସ୍ଥିତ ଏହି ଷ୍ଟାଡିୟମ ୬୩ ଏକର ଜମିରେ ନିର୍ମିତ ହୋଇଛି। ଏହା ପୂର୍ବରୁ ମେଲବର୍ନ ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ଥିଲା
ଯେଉଁଠାରେ ୯୦ ହଜାର ଦର୍ଶକ ବସି ପାରନ୍ତି। ରିପୋର୍ଟ ଅନୁଯାୟୀ, ଏହି ଷ୍ଟାଡିୟମ ନିର୍ମାଣ ପାଇଁ ଆନୁମାନିକ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଷ୍ଟାଡିୟମ ଲାର୍ସନ ଆଣ୍ଡ ଟର୍ବୋ କମ୍ପାନୀ ନିର୍ମାଣ କରିଛି।