-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ବଲାଙ୍ଗୀର(ପ୍ରେରଣା ଖବର): ଭାରତୀୟ ଜ୍ଞାନ, ସଂସ୍କୃତି ଓ ମୂଲ୍ୟବୋଧର ଅମୂଲ୍ୟ ଭଣ୍ଡାର ତଥା ଦେବଭାଷା ସଂସ୍କୃତର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବର ସମାରୋପ ସମାରୋହ ଅତ୍ୟନ୍ତ ଆନନ୍ଦମୟ, ଗୌରବମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ସଂସ୍କୃତ ଭାଷା ପ୍ରତି ସେମାନଙ୍କର ଆଗ୍ରହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଲଘୁ କଥାକଥନ, ଏକପାତ୍ରାଭିନୟ, ନୃତ୍ୟ, ଚିତ୍ରବର୍ଣ୍ଣନ ଓ ଶ୍ଲୋକୋଚ୍ଚାରଣ ଆଦି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ ଥିଲା। ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆଗ୍ରହ ଓ ନିଷ୍ଠାର ସହିତ ଏହି ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭାର ସୁନ୍ଦର ପରିଚୟ ପ୍ରଦାନ କରିଥିଲେ।
ସମାରୋହର ଶୁଭାରମ୍ଭ ପାରମ୍ପରିକ ରୀତିରେ ଦୀପ ପ୍ରଜ୍ଜ୍ୱଳନ ଓ ମଙ୍ଗଳାଚରଣ ମାଧ୍ୟମରେ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟଙ୍କ ସହ ମଞ୍ଚାସୀନ ଶିକ୍ଷକମାନେ ଦୀପ ପ୍ରଜ୍ଜ୍ୱଳନ କରି ଜ୍ଞାନର ଆଲୋକ ପ୍ରଜ୍ୱଳିତ କରିଥିଲେ।
ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସାଦର ସ୍ୱାଗତ ଜଣାଇଥିଲେ। ସେ ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଏହାର ସାଂସ୍କୃତିକ ମହତ୍ତ୍ୱ ତଥା ଆଧୁନିକ ଯୁଗରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପରେ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ନିଜର ଆଶୀର୍ବଚନ ପ୍ରଦାନ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତ ଭାଷା ଅଧ୍ୟୟନ ପ୍ରତି ଆଗ୍ରହୀ ହେବା ସହିତ ଭାରତୀୟ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧକୁ ଆପଣେଇବା ପାଇଁ ପ୍ରେରଣା ଦେଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ପ୍ରାପ୍ତିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ଲହରୀ ଖେଳି ଯାଇଥିଲା।
ଶେଷରେ ବିଦ୍ୟାଳୟର ଇଂରାଜୀ ଭାଷା ଶିକ୍ଷୟିତ୍ରୀ ସିପ୍ଲିସା ଦାଶ କୃତଜ୍ଞତା ଜ୍ଞାପନ କରିଥିଲେ। ଶାନ୍ତିପାଠର ପବିତ୍ର ଧ୍ୱନି ସହିତ ସଂସ୍କୃତ ସପ୍ତାହୋତ୍ସବର ଏହି ସ୍ମରଣୀୟ ସମାରୋପ ସମାରୋହ ସଫଳତାର ସହ ସମାପ୍ତ ହୋଇଥିଲା। ଏହି ସମାରୋହ ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀମାନଙ୍କ ମନରେ ନୂତନ ଆଗ୍ରହ ଓ ଉତ୍ସାହ ସୃଷ୍ଟି କରିବା ସହିତ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ଅନୁରାଗକୁ ଆହୁରି ସୁଦୃଢ଼ କରିଥିଲା।