-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
08-Sep-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର ): ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂ ଆର୍ଯ୍ୟ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସି ଅନୁସୂଚିତ ଜନଜାତିଙ୍କ ବିକାଶ ଓ କଲ୍ୟାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀ ଆର୍ଯ୍ୟ ଗତକାଲି ପୁରୀ ଗସ୍ତ କରିଥିବା ବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।
ଉକ୍ତ ବୈଠକରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଆଦିବାସୀ ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ନିର୍ଦ୍ଦିଷ୍ଟ ଅନୁଶାସନ ଆଧାରିତ ହୋଇଥିବାରୁ ଏହାର ସୁରକ୍ଷା ଓ ମୌଳିକତା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଆଦିବାସୀ ଅଞ୍ଚଳର ଜମି ଓ ଜଙ୍ଗଲ ସୁରକ୍ଷା ଉପରେ ସେ ପ୍ରାଧାନ୍ୟ ଦେବା ସହ ବନ ରକ୍ଷା ସମିତି ଓ ବନ ଅଧିକାର ହିତାଗ୍ରାହୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ଅନୁରୂପ ଭାବେ ଖୋରଧା ଜିଲ୍ଲାରେ ଅନୁସୂଚିତ ଜନଜାତି କଲ୍ୟାଣ, ବିକାଶ ତଥା ଉନ୍ନୟନ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଆୟୋଗଙ୍କୁ ସୂଚନା ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପୂର୍ବରୁ ଏକ ପେଡ ମା କେ ନାମ ଅଭିଯାନର ଅଂଶ ସ୍ୱରୂପ ବୃକ୍ଷ ରୋପଣ କରିବା ସହ ରକ୍ତଶିକୁଳି ସମ୍ପର୍କିତ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇଥିଲେ । ଏଥିସହ ବିଭିନ୍ନ ଉଦ୍ୟୋଗ ଓ ସଂସ୍ଥାରେ କାର୍ଯ୍ୟରତ ଅନୁସୂଚିତ ଜନଜାତି ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା,ଆୟୋଗଙ୍କ ନିର୍ଦ୍ଦେଶକ ପୁର୍ଣ୍ଣେନ୍ଦୁ କାନ୍ତ, ଖୋରଧା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ, ଖୋରାଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ,ବିଏମସି ଅତିରିକ୍ତ କମିଶସନର ଶ୍ରୀ ସସ୍ମିତା ନାୟକ, କୈଳାଶ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୀତାଂଶୁ ମୋହନ ଦାଶ, ରାଜ୍ୟ ତଥା ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।