-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ବରପାଲି (ସୁଦାମ ଦୀପ) ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଛତୁ ଚାଷ ପ୍ରତି ଆକୃଷ୍ଟ କରିବା ସହ ଏହାକୁ ଏକ ବିକଳ୍ପ ଆୟକାରୀ ଉଦ୍ୟମ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଆୟୋଜିତ ଦ୍ୱିଦିବସୀୟ ଛତୁ ଚାଷ ତାଲିମ ଶିବିର ଶେଷ ହୋଇଛି। ଏହି ଅବସରରେ ତାଲିମ ନେଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ସହ ଛତୁ ବିହନ ବଣ୍ଟନ କରାଯାଇଥିଲା।ବରପାଲି ବ୍ଲକର ଚାରୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ତାଲିମ ଶିବିରରେ ଯୋଗଦେଇଥିଲେ। ତାଲିମ ସମୟରେ ପ୍ରଶିକ୍ଷାର୍ଥୀମାନଙ୍କୁ ପାଳ ଛତୁ, ଢ଼ୀଙ୍ଗରି ଛତୁ ଓ ବଟମ୍ ଛତୁ ଚାଷର ବିଭିନ୍ନ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ଦିଆଯାଇଥିଲା। ଛତୁ ଚାଷ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ କିପରି ନିଜ ଘର ନିକଟରେ ରହି ରୋଜଗାର ସୃଷ୍ଟି କରିପାରିବେ, ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।ସମାପନୀ କାର୍ଯ୍ୟକ୍ରମରେ ଧୀରୋଜ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କୃଷି ସୂଚନା ପରାମର୍ଶ କେନ୍ଦ୍ରର ଆବାହକ ଦିଲୀପ କୁମାର ମାଝୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିହାର କାନ୍ତ ଭୋଇ ଏବଂ ଭବେଶ କୁମାର ଦଳେଇ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଭଟଲି ଯୋଗଦେଇଥିଲେ। ସେମାନେ ଉଦ୍ୟାନ କୃଷି ଅଧୀନରେ ଛତୁ ଚାଷର ବିଭିନ୍ନ ସୁଯୋଗ, ଏହାର ଆବଶ୍ୟକତା ଓ ଚାଷୀମାନେ ଏଥିରୁ କିପରି ଆର୍ଥିକ ଭାବେ ଲାଭବାନ ହୋଇପାରିବେ, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ସହକାରୀ କୃଷି ଅଧିକାରୀ ଋତୁପର୍ଣ୍ଣା ତ୍ରିପାଠୀ ଏବଂ ସୁବଲ ପଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଶିକ୍ଷକ ଦିବ୍ୟ କିଶୋର ପଧାନ ତାଲିମ ଶିବିରରେ ପ୍ରଶିକ୍ଷାର୍ଥୀମାନଙ୍କୁ ଛତୁ ଚାଷର ବିଭିନ୍ନ ବୈଷୟିକ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଛତୁ ଚାଷ ପାଇଁ ଉପଯୁକ୍ତ ପରିବେଶ ପ୍ରସ୍ତୁତି, ଆବଶ୍ୟକ ସାମଗ୍ରୀ, ବିହନ ବ୍ୟବହାର, ଚାଷ ପ୍ରଣାଳୀ, ଆର୍ଦ୍ରତା ଓ ତାପମାତ୍ରା ନିୟନ୍ତ୍ରଣ, ଛତୁର ଯତ୍ନ, ରୋଗପୋକ ନିୟନ୍ତ୍ରଣ, ଉତ୍ପାଦିତ ଛତୁର ସଠିକ୍ ସଂରକ୍ଷଣ ଏବଂ ବଜାରଜାତକରଣ ଆଦି ବିଷୟରେ ବିସ୍ତୃତ ତାଲିମ ଦିଆଯାଇଥିଲା।ତାଲିମରେ କେବଳ ତାତ୍ତ୍ୱିକ ଜ୍ଞାନ ନୁହେଁ, ପ୍ରଶିକ୍ଷାର୍ଥୀମାନଙ୍କୁ ବ୍ୟବହାରିକ ଭାବେ ଛତୁ ଚାଷର ବିଭିନ୍ନ ପର୍ଯ୍ୟାୟ ବୁଝାଇ ଦିଆଯାଇଥିଲା। ବିହନ ପ୍ରସ୍ତୁତିଠାରୁ ଆରମ୍ଭ କରି ଛତୁ ଉତ୍ପାଦନ ଓ ସଂରକ୍ଷଣ ପର୍ଯ୍ୟନ୍ତ କିପରି ସତର୍କତାର ସହ କାମ କରିବାକୁ ପଡ଼େ, ତାହାର ପ୍ରାୟୋଗିକ ଦିଗ ମଧ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ଦେଖାଯାଇଥିଲା।
ବିଶେଷକରି ଛତୁ ଚାଷ ପାଇଁ ବହୁ ପରିମାଣର ଜମିର ଆବଶ୍ୟକତା ନଥିବା ଏବଂ ଅପେକ୍ଷାକୃତ କମ୍ ପୁଞ୍ଜିରେ ଏହା ଆରମ୍ଭ କରାଯାଇପାରୁଥିବାରୁ ଏହା ଛୋଟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଏକ ଉପଯୋଗୀ ଆୟକାରୀ ଉଦ୍ୟମ ହୋଇପାରିବ ବୋଲି ଅଧିକାରୀମାନେ କହିଥିଲେ। ଛତୁ ଚାଷକୁ କେବଳ ଏକ ଚାଷ ଭାବେ ନ ନେଇ ଏହାକୁ ଏକ କ୍ଷୁଦ୍ର ଉଦ୍ୟୋଗ ଭାବେ ବିକଶିତ କରିବା ପାଇଁ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆଗକୁ ଆସିବାକୁ ଅଧିକାରୀମାନେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମକୁ ବିଟିଏମ୍ ଶୁକଦେବ ମହାରଣା ପରିଚାଳନା କରିଥିଲେ। ମାନସ ରଞ୍ଜନ ପଧାନ, ଜଗଦିଶ ପାଣ୍ଡେ ଓ ଜଗଦାନନ୍ଦ ଦିଶ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।