-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମାବେଶୀ ସମାଜଦର୍ଶନର ଅନନ୍ୟ ପ୍ରୟୋଗଶାଳା । ଏହି ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ଦେଉଥିବା ଏକ ଶିକ୍ଷାନୁଷ୍ଠାନ ନୁହେଁ ; ଏହା ଏପରି ଏକ କେନ୍ଦ୍ର ଯେଉଁଠାରେ ଶିକ୍ଷା ଗ୍ରହଣ କରି ବିଦ୍ୟାର୍ଥୀମାନେ ସମାଜର ସବୁ ବର୍ଗର ଲୋକଙ୍କୁ ସାଙ୍ଗରେ ନେଇ ଚାଲିବା ଏବଂ ସମାଜର ସେବା କରିବାର ସଂସ୍କାର ଓ ଦକ୍ଷତା ଶିଖିଥାନ୍ତି । ସୋମବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଏପରି ମତପ୍ରକାଶ କରିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗଙ୍ଗାଧର ମେହେର କଲେଜରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏହି ଅନୁଷ୍ଠାନର ଯାତ୍ରା ବହୁତ ଗୌରବମୟ। ଏହି ବିଶ୍ୱବିଦ୍ୟାଳୟ ଅନେକ ସୁନାମଧନ୍ୟ ବ୍ୟକ୍ତିମାନଙ୍କୁ ତିଆରି କରିଛି। ସମାବର୍ତ୍ତନ ଉତ୍ସବର ମୂଳ ଉଦ୍ଦେଶ୍ୟ କେବଳ ନିଜ ପରିବାର ମଧ୍ୟରେ ସୀମିତ ରହିବା ନୁହେଁ, ବରଂ ସମାଜର ଦାୟିତ୍ୱ ନେଇ ଦେଶ ଓ ଜାତି ପାଇଁ ଗୌରବ ଆଣିବା। ସମୟାନୁସାରେ ପୁରୁଣାର ରୂପାନ୍ତର ହୁଏ ଏବଂ ଜିଏମ୍ୟୁ ନିଜର ସମାବେଶୀ ସମାଜଦର୍ଶନ ବଳରେ ବିଶ୍ୱବିଦ୍ୟାଳୟ ଭାବେ ଆଗକୁ ବଢ଼ିବା ଏହାର ନିୟତିରେ ଲିଖିତ।
ସମ୍ବଲପୁର ଓ ଆଖପାଖ ଅଞ୍ଚଳର ଐତିହାସିକ ଗୁରୁତ୍ୱ ଦର୍ଶାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ମାଟିରେ ପ୍ରସ୍ତର ଯୁଗର ପ୍ରମାଣ ମିଳୁଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ନିଜ ନେତୃତ୍ୱରେ ବରଗଡ଼ର ଅସୁରଗଡ଼ରେ ୨୦୦୦ ବର୍ଷର ପ୍ରାଚୀନ ସଭ୍ୟତା ଓ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ଆବିର୍ଭାବ ସମ୍ପର୍କିତ ବୌଦ୍ଧ ଉପାସନା ପଦ୍ଧତିର ପ୍ରମାଣ ଉନ୍ମୋଚନ କରୁଛି, ଯାହା ଏହି ଅନୁଷ୍ଠାନର ଏକ ବଡ଼ ବିଶେଷତ୍ୱ ।
ସେ ଆହୁରି କହିଛନ୍ତି ଯେ, ଗୋଟିଏ ସମୟରେ ଆମେ ଗୁରୁଙ୍କଠାରୁ ଜ୍ଞାନ ପାଉଥିଲେ, କିନ୍ତୁ ଆଜିର ବଦଳୁଥିବା ଯୁଗରେ ଇଣ୍ଟରନେଟ୍, ଏଆଇ ଓ ଚାଟଜିପିଟି ଜ୍ଞାନ ଦେଉଛି । ଏପରି ସମୟରେ କେବଳ ଡିଗ୍ରୀ ଯଥେଷ୍ଟ ନୁହେଁ; ଜ୍ଞାନ ସହ କୌଶଳ ମିଶିଲେ ହିଁ ପ୍ରକୃତ ଦକ୍ଷତା ବାହାରିଥାଏ। ଜିଏମ୍ୟୁରେ ପ୍ରତିଷ୍ଠା ହେଉଥିବା ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ ପବ୍ଲିକ୍ ପଲିସି’ ଆଗାମୀ ଦିନରେ ଆମ ଅଞ୍ଚଳ, ରାଜ୍ୟ, ଦେଶ ଓ ମାନବସମାଜର ଭବିଷ୍ୟତ ଆବଶ୍ୟକତାକୁ ନେଇ ନୀତିଗତ ଗବେଷଣା କରିବ ।
ଶ୍ରୀ ପ୍ରଧାନ କହିଛନ୍ତି, ଆଜି ବିଶ୍ୱବ୍ୟାପୀ ମାନସିକ ସ୍ୱାସ୍ଥ୍ୟ, ରୋଜଗାର ଓ ମୂଲ୍ୟବୋଧ ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି। ସମାଜର ଗରିବ ଓ କଷ୍ଟରେ ଥିବା ଲୋକଙ୍କ କଥା ଭାବିବା ହିଁ ପ୍ରକୃତ ବିଦ୍ୟାର୍ଥୀର ଲକ୍ଷ୍ୟ। ଆଜି ଡିଗ୍ରୀ ଓ ପଦକ ନେଉଥିବା ଛାତ୍ରଛାତ୍ରୀମାନେ ନିଜର ଦାୟିତ୍ୱବୋଧ ବଳରେ ଏହି ଅଞ୍ଚଳକୁ ଅର୍ଥନୈତିକ, ସାମାଜିକ, ବୈଷୟିକ ଓ ମାନସିକ ବିକାଶର ନୂଆ ଉଚ୍ଚତାକୁ ନେବେ ବୋଲି ଶ୍ରୀ ପ୍ରଧାନ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି।
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏବଂ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସମାରୋହରେ ଯୋଗଦେଇଥିଲେ । ଏହି ଅବସରରେ ସ୍ନାତକ, ସ୍ନାତକୋତ୍ତର ଓ ଅନ୍ୟ ଡିଗ୍ରୀ ଓ ସ୍ୱର୍ଣ୍ଣପଦକ ହାସଲ କରିଥିବା ସମସ୍ତ ଯୁବ ପ୍ରତିଭାଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ନୂତନ ଜୀବନର ଅଭିଯାତ୍ରା ପାଇଁ ଶୁଭେଚ୍ଛା ପ୍ରକାଶ କରିଛନ୍ତି।