-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଭଞ୍ଜନଗର:(ପ୍ରେରଣା ଖବର): ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା। ନା ଅଛି ବଡ଼ ଗାଡ଼ି ଓ ନା କୋଠାବାଡ଼ି। ଆଜିର ଯୁଗରେ ବି ତାଙ୍କ ପାଖରେ ମୋବାଇଲ୍ ଖଣ୍ଡେ ବୋଲି ନାହିଁ। ସହରୀ ଜୀବନର ଆଡ୍ଡାଚଉଡ଼ା ନୁହେଁ ତାଙ୍କ ପାଇଁ ବଡ଼ ତାଙ୍କର ଆଦର୍ଶ। ଚାକିରିରୁ ଅବସର ପରେ ଗାଁରେ ନିରାଡ଼ମ୍ବର ଜୀବନଯାପନ କାଟୁଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ। ଆଦର୍ଶ ଓ ସଂସ୍କାରକୁ ନେଇ ଜୀବନ ବିତାଉଥିବା ଏହି ଅବସରପ୍ରାପ୍ତ ଉଚ୍ଚପଦସ୍ଥ ଅଫିସର ଏବେ ଜନ୍ମ ମାଟିକୁ ଫେରି ସମାଜରେ ପରିବର୍ତ୍ତନର ଧାରା ଆଣିବାକୁ ଚିନ୍ତା କରୁଛନ୍ତି। ଭାରତୀୟ ପ୍ରାଶାସନିକ ସେବାର ଜଣେ ଅଧିକାରୀଙ୍କ ଏଭଳି ସାଦାସିଧା ଜୀବନଶୈଳୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଥରେ ସରକାରୀ ଚାକିରିଟିଏ ମିଳିଗଲେ, ଆଜିକାଲି ଲୋକ ଆଉ ଇନ୍ଦ୍ରଚନ୍ଦ୍ର ମାନନ୍ତି ନାହିଁ। ଘରର ଆଦବ କାଏଦା ବଦଳି ଯାଏ। ହେଲେ ଗାଁ ଦାଣ୍ଡରେ ସାଇକେଲ ଖଣ୍ଡେ ଧରି ବୁଲୁଥିବା ବ୍ୟକ୍ତିଙ୍କୁ ଦେଖିଲେ ଆପଣଙ୍କ ଧାରଣା ବଦଳିଯିବ। ଆପଣ ଭାବିବେ ସେ ଜଣେ ସାଧାରଣ ଚାଷୀ। ଏହି ଜଣେ ନିଆରା ମଣିଷ ହେଲେ ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମର ଶଙ୍କର ନାରାୟଣ ପାଣିଗ୍ରାହୀ। ଦୁଇ ବର୍ଷ ହେଲା ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେବା ପରେ ନିଜ ଜନ୍ମ ମାଟିକୁ ଫେରି ନିଜ ଘରେ ଏକାକୀ ରହି ସାଧାରଣ ଜୀବନ ବିତାଉଛନ୍ତି। ନିଜର ବୋଲେ ଗୋଟିଏ ପୁରୁଣା ଘର,ଘରେ ଦୁଇ ଟି କାଠ ଚେୟାର,ପୁରୁଣା ସାଇକେଲ ଓ କିଛି ଆସବାବପତ୍ର ଛାଡିଦେଲେ ଘରେ କିଛିବି ସୌଖିନ ସାମଗ୍ରୀ ରଖିନାହାନ୍ତି।ଏମିତିକି ସେ ଆଜି ଯାଏଁ ପାଖରେ ମୋବାଇଲ ଟିଏ ବି ରଖିନାହାନ୍ତି।ତଳେ ବିଛଣା ପକାଇ ଶୁଅନ୍ତି।ଘରେ ଏକାକୀ ରହୁଥିବାରୁ ମାର୍କେଟ ଯାଇ ପରିବା ଆଣିବା ଠୁ ରୋଷେଇ ପଯ୍ୟନ୍ତ ସେ ନିଜେ ହିଁ କରନ୍ତି।
ସଂକୃତ ଶିକ୍ଷାରୁ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବାର ଲମ୍ବା ଯାତ୍ରା ରେ ପଦବୀର କ୍ଷମତା କି ଗାରିମା ତାଙ୍କୁ ନୀତି,ଆଦର୍ଶ ଓ ଲକ୍ଷରୁ ବିଚ୍ୟୁତ କରିପାରିନାହିଁ।ତାଙ୍କ ଠାରେ ନାହିଁ ସୌଖିନ ଭାବେ ବଞ୍ଚିବାର ଚିନ୍ତାଧାରା।ସ୍ଥାନୀୟ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରାଇବା,ଓଡ଼ିଶାର ପାରମ୍ପରିକ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି। ମା ବ୍ୟାଘ୍ରଦେବୀଙ୍କ ନିକଟରେ ଦିଆ ଯାଉଥିବା ପଶୁବଳୀକୁ ସମ୍ପୂର୍ଣ ବନ୍ଦ କରିବା ସହ ସମାଜରୁ ଅନ୍ଧବିଶ୍ୱାସ,କୁସଂସ୍କାରକୁ ଦୂର କରିବାକୁ ଅହରହ ଉଦ୍ୟମ ଚଳାଇଛନ୍ତି ।ଏହି ନିରାଡ଼ମ୍ବର ଜୀବନ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେ କାହାକୁ ଉଚ୍ଚ ନୀଚ ଧନୀ ଗରିବ ବୋଲି ବାଛ ବିଚାର କରନ୍ତିନି।