-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ମୁମ୍ବାଇ (ପ୍ରେରଣା ଖବର ବ୍ୟୁରୋ): ଏକତରଫା ପ୍ରେମର ଦୁଃଖଦ ଅନ୍ତ। ବିବାହ ପାଇଁ ମନା କରିବାରୁ ଯୁବତୀଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ପ୍ରେମିକ। ଯୁବତୀଙ୍କ ଶରୀର ହୁତୁ ହୁତୁ ହୋଇ ଜଳୁଥିବା ବେଳେ ପାଖରେ ଛିଡ଼ା ହୋଇ ଯନ୍ତ୍ରଣାକୁ ଉପଭୋଗ କରୁଥିଲା ଅଭିଯୁକ୍ତ । କିନ୍ତୁ କିଏ ଜାଣିଥିଲା ପ୍ରତିଶୋଧର ପ୍ରତିଦାନ ଏତେ ଭୟଙ୍କର ହେବ। ସେୟା ହିଁ ହେଲା ନିଜେ ଲଗାଇଥିବା ନିଆଁ ତା ପାଇଁ ସାଜିଲା ଯମ ଦୂତ।
ଏଭଳି ଏକ ଛାତିଥରା ଘଟଣା ମୁମ୍ବାଇର ଜୋଗେଶ୍ବର ଇଷ୍ଟ ଅଞ୍ଚଳରେ ଘଟିଛି। ଏକତରଫା ପ୍ରେମିକ ନିଜର ପ୍ରେମିକାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲା। ଯୁବତୀ ମୃତ୍ୟୁ ସହ ଲଢ଼େଇ କରୁଥିବା ବେଳେ ଏହାକୁ ପାଖରୁ ଦେଖି ଉପଭୋଗ କରୁଥିଲା ପ୍ରେମିକ । ଠିକ୍ ସେତିକି ବେଳେ ଜଳୁଥିବା ଯୁବତୀ ଦୌଡ଼ି ଦୌଡ଼ି ଯାଇ ଅଭିଯୁକ୍ତକୁ ଜାବୁଡ଼ି ଧରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ରବିବାର ଅଭିଯୁକ୍ତର ମୃତ୍ୟୁ ହୋଇଛି। ସେପଟେ ଯୁବତୀଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଥିବା ବେଳେ ସେ ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମୃତକ ବିଜୟ କାମ୍ବଲେ ନିଜ ଭାଉଜଙ୍କ ଭଉଣୀଙ୍କୁ ଅଢ଼େଇ ବର୍ଷ ହେଲା ଏକତରଫା ପ୍ରେମ କରିଆସୁଥିଲା। ସବୁ ବେଳେ ଜବରଦସ୍ତି ବିବାହ ପାଇଁ ଯୁବତୀଙ୍କ ଉପରେ ଚାପ ପକାଉଥିଲା ବିଜୟ। ସେ ଅନେକ ସମୟରେ ମଦ ନିଶାରେ ରହୁଥିବାରୁ ଯୁବତୀଙ୍କ ପରିବାର ଲୋକେ ବିବାହ ପାଇଁ ମନା କରିଦେଇଥିଲେ । ବିଜୟ ସବୁ ବେଳେ ହଇରାଣ କରିବାରୁ ଯୁବତୀ ପୂର୍ବରୁ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଯୁବତୀ ସୁସ୍ଥ ହେବା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି।