-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ଖପ୍ରାଖୋଲ (ପ୍ରେପଣା ଖବର): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଂଚଳରେ ମହାବଳ ବାଘ ବୁଲୁଥିବା ନେଇ ଗତ ତିନିଦିନ ହେଲା ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି। ଖପ୍ରାଖୋଲ ଗାଁର କ୍ଷେତରେ ରହୁଥିବା ଦେବରାଜ ବନଛୋର ଖପ୍ରାଖୋଲ- ପାଟଣାଗଡ଼ ରାସ୍ତା ପୁରୁଣା ଗୋଦାମ ସାମନା ପଟୁ ମହାବଳ ବାଘ ଗତ ଗୁରୁବାର ଭୋରରେ ରାସ୍ତା ପାରି ହେବା ବେଳେ ଦେଖିଥିବା କହୁଛନ୍ତି। ବାଘର ପାଦ ଚିହ୍ନ ମଧ୍ୟ ଦେଖିଥିବା ସେ ପ୍ରକାଶ କରିଛନ୍ତି। ଏ ଖବର ପ୍ରଚାର ହେବା ପରେ ଖପ୍ରାଖୋଲ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖପ୍ରାଖୋଲର ଗୋଟିଏ ପଟେ ଥିବା ବାଘେନ ସଂରକ୍ଷିତ ଜଙ୍ଗଲ, ଥୁଟା ସଂରକ୍ଷିତ ଜଙ୍ଗଲ ଗନ୍ଧମାର୍ଦ୍ଦନ ପାହାଡ଼କୁ ଲାଗିଛି। ଖପ୍ରାଖୋଲର ଚାନ୍ଦିଲି ସଂରକ୍ଷିତ ଜଙ୍ଗଲ, ବେନ୍ଦେର ସଂରକ୍ଷିତ ଜଙ୍ଗଲ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ବ୍ୟାଘ୍ର ଅଭୟାରଣ୍ୟକୁ ସଂଯୋଗ କରୁଛି। ୩ ବର୍ଷ ତଳେ ଖପ୍ରାଖୋଲ ବ୍ଲକ୍ ଲାଠୋର ରେଂଜର ଚୋରମୁଣ୍ତା ଗାଁ ନିକଟରେ ଏକ ମହାବଳ ବାଘର ମୃତଦେହ ଉଦ୍ଧାର ହୋଇଥିଲା। ୨ ବର୍ଷ ତଳେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଥିଲା। ସେହିପରି ୨ ମାସ ତଳେ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ରେଙ୍ଗାଲି ଗାଁରେ ଏକ କଲରାପତରିଆ ବାଘ କିଛି କୁକୁଡ଼ା ଖାଇଥିବା ମଧ୍ୟ ଜଣାଯାଇଥିଲା। ଏବେ ଖପ୍ରାଖୋଲ ପାଖରେ ମହାବଳ ବାଘ ବୁଲିବା ଘଟଣାକୁ ଲୋକେ ଅସ୍ବୀକାର ମଧ୍ୟ କରୁ ନାହାଁନ୍ତି। ସେହିପରି ଖପ୍ରାଖୋଲ ପାଖ ଭେଲୁଆଖୋଲ ଥୁଟା ଜଙ୍ଗଲରେ କିଛି ବାର୍ହାଙ୍କ ମୃତଦେହର ଅବଶିଷ୍ଟାଂଶ ପଡ଼ିଥିବା କେତେକ ପ୍ରତକ୍ଷଦର୍ଶୀ କହିଛନ୍ତି। ଯାହାକୁ ନେଇ ଅଂଚଳରେ ବାଘ ବୁଲିବା ଚର୍ଚ୍ଚା ଜୋର ଧରିଛି। ଏ ସଂପର୍କରେ ହରିଶଙ୍କର ଜଙ୍ଗଲ ବିଭାଗ ରେଂଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ଖପ୍ରାଖୋଲ ନିକଟରେ ମହାବଳ ବାଘ ବୁଲିବା ଘଟଣାକୁ ଅସ୍ବୀକାର କରିଥିଲେ। ଖବର ଶୁଣିଲା ପରେ ସେ କର୍ମଚାରୀଙ୍କୁ ପଠାଇ ପଞ୍ଝା ଚିହ୍ନଟ କରିବାକୁ କହିଥିଲେ। ହେଲେ ସେପରି କୌଣସି ଚିହ୍ନ ମିଳି ନଥିଲା ବୋଲି ସେ କହିଥିଲେ।