-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2026
ବଲାଙ୍ଗିର(ଦେବାଶିଷ ବହିଦାର): ୨୩ତମ ବଲାଙ୍ଗିର ଲୋକଉତ୍ସବ ର ମୁଖ୍ୟ ସମାରୋହ କୋଶଳ କଳା ମଣ୍ଡପରେ ଉଦ୍ଘାଟିତ ହୋଇଛି । ସକାଳେ ମଞ୍ଚ ପୂଜା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ସହର ପରିକ୍ରମା କରି ମାଁ ସମଲେଇ, ମାଁ ପାଟଣେଶ୍ୱରୀ, ମାଁ ଦୂର୍ଗାଙ୍କ ଦର୍ଶନ କରିଥିଲା ଶୋଭାଯାତ୍ରା । ତେବେ ଜିଲ୍ଲାର ଦୁଲଦୁଲି, ସଂର୍କିର୍ତନ, କଲାହାଣ୍ଡିର କଟପାଙ୍କ
ଦଳ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଶ୍ରୀ ଗୌରୱ ଶିୱାଜୀ ଇସଲୱାରଙ୍କ ସଭାପତିତ୍ବରେ ଆୟୋଜିତ ଲୋକଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଉପସ୍ଥିତି ରହି ଦୀପ ପ୍ରଜ୍ବଳନ ପୂର୍ବକ ଲୋକଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ ।ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ, ଆମ ବଲାଙ୍ଗିର ବୀରଙ୍କ ମାଟି, ଏଠାକାର ଐତିହ ଯେପରି ଅନନ୍ୟ ଆମ କଳାସଂସ୍କୃତି ମଧ୍ୟ ଅନନ୍ୟ । ଲୋକଉତ୍ସବ ଏହି ଭିନ୍ନ ପରିଚୟକୁ ବଜାୟ ରଖିଛି । ଲୋକଉତ୍ସବ ଦ୍ଵାରା ଜିଲ୍ଲା ଓ ଜିଲ୍ଲାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ହେଉଛି । ଲୋକଙ୍କ ଅର୍ଥନୀତି ବଢୁଛି, କଳାକାରଙ୍କ ପ୍ରତିଭାକୁ ଉତ୍ସାହ ମିଳୁଛି । ସମ୍ମାନିତ ଅତିଥି ଭାବେ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ମଞ୍ଚାସୀନ ଥିଲେ। ଅନ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମିଶ୍ର, ସାଂସ୍କୃତିକ କମିଟିର ସହ ଅଧ୍ୟକ୍ଷ ଗୋପାଳ ପଧାନ ଓ ସହ ଅଧ୍ୟକ୍ଷା ସଙ୍ଗୀତା ଦାସ, ସ୍ମରଣିକା କମିଟିର ସହ ଅଧ୍ୟକ୍ଷ ମହେନ୍ଦ୍ର ଦର୍ଜି, ସହ ଅଧ୍ୟକ୍ଷ ସନ୍ଦୀପ କୁଆଁର, ଅତିଥି କଳାକାର ଈଶ୍ୱର ଚନ୍ଦ୍ର ଖମାରୀ, ସମ୍ବର୍ଦ୍ଧିତ କଳାକାର ଗୋଲାପ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ।
ଆଜି ଏହି ଅବସରରେ ଲୋକଉତ୍ସବ ଓ କୋଶଳ କଳା ମଣ୍ଡଳର ମୁଖପତ୍ର ଚତୁରଙ୍ଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି । ଏହାସହ ବରିଷ୍ଠ କଳାକାର ଗୋଲାପ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମିଶ୍ର ସ୍ୱାଗତ
ସମ୍ଭାଷଣ ସହ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସନ୍ଦୀପ କୁଆଁର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୋପାଳ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଗୁଜୁରାଟରୁ ସିଦ୍ଧି ଧମାଲ, ବିହୁ ନୃତ୍ୟ-ଆସାମ, ଭାଙ୍ଗଡା-ପଞ୍ଜାବ, କଳାଧାମ-ବଲାଙ୍ଗିର, ଯୋଡ଼ିଶଙ୍ଖ-ଗଞ୍ଜାମ, ଖୁସି ଡ୍ୟାନ୍ସ ଏକାଡେମୀ, ସାଇ ସ୍ଵର୍ଣ୍ଣ କଳା ପରିଷଦ, କୁରେଫୁଲ କଳା ପରିଷଦ, କ୍ଲାସିକ ଡାନ୍ସ ଏକାଡେମୀ-ଟିଟଲାଗଡ଼, ଚିନି ଚମ୍ପା କଳାପରିଷଦ- ପାଟଣାଗଡ଼ ଆଦି ସାଂସ୍କୃତିକ ଦଳ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ, କଳା ସଂସ୍କୃତିର ଏହି ମହାମିଳନ ଲୋକଉତ୍ସବକୁ ଖୁବ୍ ଆନନ୍ଦ ସହ ଉପଭୋଗ କରିଛନ୍ତି ବଲାଙ୍ଗିରବାସୀ ।