-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
23-Nov-2024
ଭୁବନେଶ୍ୱର(ପ୍ରେରଣା ଖବର): ସାହିତ୍ୟ ଅକାଦେମି ପକ୍ଷରୁ ଆସନ୍ତା ୨୮ ଓ ୨୯ ତାରିଖରେ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।
ଭୁବନେଶ୍ୱରର ବୁଦ୍ଧମନ୍ଦିର ସଭାଗୃହରେ ୨୮ ତାରିଖ ସକାଳ ୧୦ଟା୩୦ରେ ଆରମ୍ଭ ହେବାକୁଥିବା ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରିବେ ବିଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା । ଉଦ୍ଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର ସଭାପତି ଡକ୍ଟର ମାଧବ କୌଶିକ, ସଚିବ ଡକ୍ଟର କେ. ଶ୍ରୀନିବାସରାଓ, ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ, ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ଭଗବାନ ଜୟସିଂହ ଏବଂ ଗୁରୁପ୍ରସାଦ ମହାନ୍ତିଙ୍କ କନ୍ୟା ଡାକ୍ତର ପ୍ରିୟଦର୍ଶିନୀ ମହାନ୍ତି ଯୋଗଦେବେ । ଉଭୟ ଦିନ ବିଭିନ୍ନ ଅଧିବେଶନରେ ପ୍ରଫେସର ବିଜୟ କୁମାର ଶତପଥୀ, ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ଏବଂ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ପ୍ରବନ୍ଧ ଉପସ୍ଥାପନ କରିବେ ଭାଗୀରଥି ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ସଂଘମିତ୍ରା ଭଞ୍ଜ, ଦିଲୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ନାୟକ, ଅଜୟ ସ୍ୱାଇଁ ଏବଂ ନାରାୟଣ ପଣ୍ଡା । ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ବିଶିଷ୍ଟ କବି ଦେବଦାସ ଛୋଟରାୟ ଏବଂ ସଭାପତିତ୍ୱ କରିବେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ । ଏହି ଅଧିବେଶନରେ ପ୍ରବନ୍ଧ ପାଠ କରିବେ ସୁପରିଚିତ କବି ଅପର୍ଣ୍ଣା ମହାନ୍ତି । ସୂଚନାଯୋଗ୍ୟ ଯେ ଗୁରୁପ୍ରସାଦ ମହାନ୍ତି ତାଙ୍କର ଚର୍ଚ୍ଚିତ କବିତା ସଙ୍କଳନ ‘ସମୁଦ୍ର ସ୍ନାନ’ ପାଇଁ ୧୯୭୩ରେ ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଥିଲେ ।
ସେହିପରି ବୁଦ୍ଧମନ୍ଦିର ସଭାଗୃହରେ ୨୯ ତାରିଖ ସନ୍ଧ୍ୟା ୫ଟାରେ କବିସନ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସାରସ୍ୱତ ଯାତ୍ରା ସଂପର୍କରେ ଅଭିବ୍ୟକ୍ତି ପ୍ରଦାନ ପୂର୍ବକ ସ୍ୱରଚିତ କବିତା ପାଠ କରିବେ ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ । ଉଭୟ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଲେଖକ, ଗବେଷକ ଏବଂ ସାହିତ୍ୟପ୍ରେମୀମାନଙ୍କୁ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ତରଫରୁ ଅନୁରୋଧ କରାଯାଇଛି ।