-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
ବାରିପଦା (ପ୍ରେରଣା ଖବର): ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ନିକଟରେ ଥିବା ଏକ ପ୍ଲାଷ୍ଟିକ୍ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ବାହାରେ ଗଦା ହୋଇଥିବା କଞ୍ଚାମାଲ ଏବଂ ଅଳିଆରେ ଆଜି ଅପରାହ୍ନ ପ୍ରାୟ ୪ଟାରୁ ଭୀଷଣ ନିଆଁ ଲାଗିଛି। ପ୍ଲାଷ୍ଟିକ୍ ପଦାର୍ଥ ହୋଇଥିବାରୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ନିଆଁ ଲିଭିନଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀର ଦୁଇ ଦୁଇଟି ଟିମ୍ ଏହି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉକ୍ତ ପ୍ଲାଷ୍ଟିକ୍ ପ୍ରୋସେସିଂ ୟୁନିଟ୍ର ମାଲିକ ବାରିପଦାର ବୋଲି ଜଣାପଡ଼ିଛି।
କରୋନା କାରଣରୁ ଏହି ଫ୍ୟାକ୍ଟ୍ରି ବନ୍ଦ ରହିଛି। ମାତ୍ର ବାହାରେ ଗଦା ହୋଇଥିବା ପ୍ଲାଷ୍ଟିକ୍ ବର୍ଜ୍ୟ ଏବଂ କଞ୍ଚାମାଲରେ ନିଆଁ ଲାଗିଛି। ଯାହାକି ଭୀଷଣ ଗନ୍ଧ ଏବଂ ପ୍ରଦୂଷଣ ସୃଷ୍ଟି କରିଛି। ଫ୍ୟାକ୍ଟ୍ରି ବନ୍ଦ ଥିଲେ ମଧ୍ୟ ଅତ୍ୟନ୍ତ ବେପରୁଆ ଭାବେ ବାହାରେ ପ୍ଲାଷ୍ଟିକ୍ ଅଳିଆ ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି। ବାରିପଦା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରକାଶ ଜେନାଙ୍କ ନେତୃତ୍ବରେ ବାଲିଡିହା ଏବଂ ବାରିପଦା ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ନିଆଁ ମାତ୍ରା ପ୍ରବଳ ହୋଇଥିଲେ ମଧ୍ୟ ଅଗ୍ନିଶମ ବାହିନୀର ତ୍ବରିତ ପଦକ୍ଷେପ କାରଣରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିନଥିବା ଅଗ୍ନିଶମବାହିନୀ ପକ୍ଷରୁ ପ୍ରକାଶ। ତେବେ କିପରି ଏବଂ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଫ୍ୟାକ୍ଟ୍ରିର କୌଣସି କର୍ମଚାରୀ କିମ୍ବା ମାଲିକ ପହଞ୍ଚିନଥିବା ଜଣାପଡ଼ିଛି। ଶୀତଦିନେ ଏପରି ପ୍ଲାଷ୍ଟିକ୍ ଅଳିଆ ନିଆଁ ଲାଗିବା କରୋନା ସମୟରେ ଏହା ଅତ୍ୟନ୍ତ ବିପଦଜନକ ବୋଲି କୁହାଯାଉଛି। ଏନେଇ ପ୍ରଶାସନ ପ୍ଲାଷ୍ଟିକ୍ ବର୍ଜ୍ୟ ପକାଉଥିବା ସଂସ୍ଥାଗୁଡ଼ିକୁ ତାଗିଦ କରୁ ବୋଲି ଦାବି ହୋଇଛି।