-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ନୟାଗଡ: (ଆର୍ତ୍ତତ୍ରାଣ ପ୍ରଧାନ)ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ବାଳସୁଧାର ଗୃହକୁ ଆଜି ପଠାଇ ଦିଆଯାଇଛି । ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ପରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ଅଣାଯାଇଛି। ତେବେ ଅଭିଯୁକ୍ତର ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହେବ। ଏହାର ଶୁଣାଣି ଆସନ୍ତା ୮ ତାରିଖରେ ହେବ ବୋଲି ସୂଚନା ରହିଛି।
ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଗତକାଲି ନୟାଗଡ଼ ପକ୍ସୋ କୋର୍ଟ ନାବାଳକ ଦର୍ଶାଇଥିଲେ। ତେଣୁ ଅଭିଯୁକ୍ତର ବିଚାର ଜୁଭେନାଇଲ ଜଷ୍ଟିସ କୋର୍ଟ ନା ଚିଲଡ୍ରେନ୍ କୋର୍ଟରେ ହେବ ତାହା କମିଟି ନିର୍ଦ୍ଧାରଣ କରିବ।
ଦିଲ୍ଲୀ ନିର୍ଭୟା ମାମଲାକୁ ନେଇ ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ ଜଘନ୍ୟ ଅପରାଧରେ ସଂଶ୍ଳିଷ୍ଟ ବାଳ ଅପରାଧୀଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ହୋଇଥିଲେ, ଚିଲ଼ଡ୍ରେନ୍ କୋର୍ଟରେ ସେମାନଙ୍କର ସାବାଳକ ଭାବେ ବିଚାର ହେବ। ନୟାଗଡ଼ର ଏହି କୁନି ଝିଅର ହତ୍ୟା ଏକ ଜଘନ୍ୟ ଅପରାଧ ହୋଇଥିବାରୁ ଅଭିଯୁକ୍ତକୁ ସାବାଳକ ଦର୍ଶାଇବା ଲାଗି ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଛି।
ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ କାହିଁକି ସାବାଳକ ଦର୍ଶାଇଥିଲା SIT :-
ନୟାଗଡ଼ କୁନିଝିଅ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ନାବାଳକ ବୋଲି ନୟାଗଡ଼ ପକ୍ସୋ କୋର୍ଟ ଗତକାଲି କହିବା ପରେ SITକୁ ଏକ ଶକ୍ତ ଝଟ୍କା ଲାଗିଛି । ଜନ୍ମ ପ୍ରମାଣପତ୍ର ଆଧାରରେ ନାବାଳକ ଥିବା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ଏବେ ଅଡୁଆରେ ପଡ଼ିଛନ୍ତି ବୋଥ୍ରା ଆଣ୍ଡ୍ କୋ।
କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ ସାର୍ଟିଫିକେଟ୍ ଦାଖଲ କରାଯାଇଥିଲା। ଉଭୟ ପ୍ରମାଣପତ୍ରରେ ଅଭିଯୁକ୍ତର ଜନ୍ମ ତାରିଖ ଫେବ୍ରୁୟାରୀ ୬, ୨୦୦୩ ଉଲ୍ଲେଖ ରହିଛି। ଅର୍ଥାତ SIT ଦ୍ୱାରା ଗିରଫ ନାବାଳକର ବୟସ ଅଦ୍ୟାବଧି ୧୭ ରହିଛି। ଦାଖଲ ହୋଇଥିବା ଏସବୁ ପ୍ରମାଣପତ୍ର ଆଧାରରେ ସଂପୃକ୍ତ ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ନାବାଳକ ବୋଲି ଦର୍ଶାଇବା ସହ ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ SIT ପକ୍ଷରୁ ହୋଇଥିବା ଅପିଲ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ପଠାଇ ଦେଇଛନ୍ତି। ସୂଚନାଥାଉ କି, ଡିସେମ୍ବର ୨୧, ୨୦୨୦ରେ ଓସିଫିକେସନ୍ ଟେଷ୍ଟ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟରେ ହାଜର କରିଥିଲା SIT। ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ୍ ପଠାଇଦେଇଥିଲେ। ଅଭିଯୁକ୍ତ ବିରୋଧରେ ନାବାଳିକା ଦୁଷ୍କର୍ମ, ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ ସହ ପୋକ୍ସୋ ଆଇନର ଧାରା ୬ ଅନୁସାରେ ଦଫା ଲାଗିଥିଲା। ଏହି ସମୟରେ ଗିରଫ ଅଭିଯୁକ୍ତର ପରିବାର ଲୋକେ ବି SITର ସାବାଳକ ଥିଓରୀ ସହ ସହମତି ହୋଇନଥିଲେ। ତେବେ କାହିଁକି ସାବାଳକ ବୋଲି ଦର୍ଶାଇଥିଲା SIT ? ଜନ୍ମପ୍ରମାଣ ପତ୍ର ଥାଇ ବି ଓସିଫିକେସନ୍ର କାହିଁକି ପଡ଼ିଲା ଆବଶ୍ୟକ ? ଏବେ ଏମିତି ନାନା ପ୍ରଶ୍ନ ଉଠିଥିବାବେଳେ ନୟାଗଡ଼ ପୋକ୍ସୋ କୋର୍ଟଙ୍କ ରାୟ ପରେ SIT ଏବେ ବିବାଦରେ। ଯଦି ଯେକୌଣସି ତଦନ୍ତକାରୀ ଟିମ୍ କିମ୍ବା ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଥାନ୍ତି, ତାହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶରେ ଦଣ୍ଡିତ ହୋଇପାରିବେ। ଏପରିକି ପରିବାର ଲୋକେ କୋର୍ଟ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ କ୍ଷତିପୂରଣ ଦାବି କରିପାରିବେ ବୋଲି ଆଇନଜୀବୀ ମତ ଦେଇଛନ୍ତି।