-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jul-2024
ବଲାଙ୍ଗିର(ମଳୟ ମିଶ୍ରଙ୍କ ରିପୋର୍ଟ): ଦୀର୍ଘବର୍ଷ ଧରି ବଲାଙ୍ଗୀର ଜିଲ୍ଲାରେ ହୋଟେଲର ରନ୍ଧାଖାଦ୍ୟର ସ୍ବାସ୍ଥ୍ୟବିଭାଗ ତରଫରୁ ଉପଯୁକ୍ତ ଯାଞ୍ଚ ହେଉନାହିଁ । ବିଶେଷକରି ଏଇ ବର୍ଷାଋତୁରେ ଏଥିରେ ବାସିଖାଦ୍ୟ, ଶସ୍ତା ତେଲମସଲାଦିର ଅପମିଶ୍ରଣ ଓ ଅନ୍ୟାନ୍ୟ ବିଷାକ୍ତଦ୍ରବ୍ୟ ପଡୁଥିବା ଦେଖାଯାଇଛି l ଉଦାହରଣ ସ୍ୱରୂପ , ବଲାଙ୍ଗୀର ସହରର ପୁରୁଣା ରାଜବାଟୀ ରାସ୍ତାର ଏକ ଗୁଜୁରାଟୀ ବାସାର ଖାଦ୍ୟ ସମ୍ପର୍କରେ ଏକ ଗୁରୁତର ଅଭିଯୋଗ ପ୍ରକାଶ ପାଇଛି । ଗତ ମଙ୍ଗଳବାର ଦିନ ରାତିରେ ଏଠାରୁ ଜଣେ ଯୁବକ ରାତିଖାଇବା ପାଇଁ ରୁଟିତରକରୀ ଘରକୁ ପାର୍ଶଲ୍ ଆଣିଥିଲେ । ଘରେ ଖୋଲି ଦେଖିବାପରେ ତରକାରୀରେ ଏକ ମଲା ଖଜରିଆବିଛା ପଡିଥିବା ଦେଖି ତାହା ଫେରାଇଦେବି ଉକ୍ତ ବାସାକୁ ଗଲେ । ତେବେ ହୋଟେଲରେ ଗ୍ରାହକମାନେ ଖାଉଥିବାରୁ ସେ ଭଦ୍ରୋଚିତ ଭାବରେ ଚୁପ୍ ଚୁପ୍ ହୋଟେଲ ମାଲିକଙ୍କୁ ଏହା କହିବାରୁ ସେ ଉକ୍ତ ତରକାରୀ ତ ଫେରାଇନେଲେ , କିନ୍ତୁ ' କେମିତି ଉପରୁ ଏହା ପଡିଲା କି ବୋଲି ପଚାରିବାରୁ ବାସାର ବୁଢାମାଲିକ ତାଙ୍କୁ କହିଲେ ଯେ, 'ଉପରୁ ବାହାରୁ ସବୁଆଡୁ ପଡିବ । ଏତେ ମେଣ୍ଟେନ୍ କରିହେବ ନାହିଁ । ନିଅ ବୋଲି ଆମେ କହୁନାହୁଁ ।' ଦୋକାନମାଲିକଙ୍କର ଏପରି ଅନୁଚିତ୍ ଔଦ୍ଧତ୍ୟ ଆଶ୍ଚର୍ଯ୍ୟଜନକ !
ଏଣୁ ଏହାବିରୁଦ୍ଧରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟବିଭାଗର ଫୁଡ୍ ଇନିସପେକ୍ଟର, ଥାନାପୁଲିସ୍ ଓ ପ୍ରଶାସନ ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।
ଆହୁରି ମଧ୍ୟ, ରାସ୍ତାକଡରେ ଦିନରାତି ଠେଲା ଓ ଅସ୍ଥାୟୀ ଦୋକାନରେ ଫାଷ୍ଟଫୁଡ୍, ଢାବା ଓ ସାନବଡ ହୋଟେଲ ଗୁଡିକରେ ମଧ୍ୟ କିପରି କେଉଁମାନର ଖାଦ୍ୟ ବିକ୍ରି ହେଉଛି, ଏ ସବୁର ମଧ୍ୟ ଜିଲ୍ଲାସାରା ଯାଞ୍ଚ କରାଯିବାକୁ ଦାବି ହେଉଛି । ମଲାକୁକୁଡା, ବାସି ମାଂସ ଓ ମସଲା, କ୍ଷତିକାରକ ଶସ୍ତା ରଙ୍ଗ, ଭେଜାଲ୍ ଶସ୍ତାତେଲ ଆଦିର ବ୍ୟବହାର ହେଉଥିବା ଶୁଣାଯାଉଛି । ଏହା ସତ ହେଲେ ସାଂଘାତିକ୍ !