-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ଭୁବନେଶ୍ବର (ପ୍ରେରଣା ଖବର) : ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର୍ ପିଏମ୍ଜିରେ ବସିଥିବା ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ଆଜି ମାସେ ପୂରିଛି। ନା ସରକାର ସେମାନଙ୍କ କଥା ଶୁଣୁଛନ୍ତି, ନା ଏଏନ୍ଏମ୍ କର୍ମୀମାନେ ଆନ୍ଦୋଳନରୁ ଓହରୁଛନ୍ତି। ସ୍ଥାୟୀ ନିଯୁକ୍ତି ନ ପାଇବା ଯାଏ ସେମାନେ ଉଠିବେ ନାହିଁ ବୋଲି ଅଡ଼ି ବସିଛନ୍ତି। ପ୍ରଥମେ ଧାରଣା, ପରେ ଆମରଣ ଅନଶନ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିବା ଏହି ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀମାନେ ନିଜ ଦାବି ପୂରଣ କରିବା ପାଇଁ ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି। ଆନ୍ଦୋଳନକୁ ମାସେ ପୂରିବା ଅବସରରେ ସରକାରଙ୍କୁ ନିବେଦନ କରିବାକୁ ଯାଇ ଆଜି ସେମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କୁ ସମ୍ମାନ ତଥା ଉତ୍ସାହିତ କରିବା ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ରାଜ୍ୟବାସୀଙ୍କୁ ସାମୂହିକ ଭାବେ ଗାଇବା ପାଇଁ କହିଥିଲେ। ତେଣୁ ଆଜି ରାଜ୍ୟ ସଙ୍ଗୀତ ଗାଇ କରୋନା ଯୋଦ୍ଧାଙ୍କ ଦାବି ପୂରଣ କରିବା ପାଇଁ ଏଏନ୍ଏମ୍ମାନେ ଗୁହାରି କରିଛନ୍ତି। ସଂଘର ସଦସ୍ୟା ରଶ୍ମିରେଖା ପାଲ୍ କହିଛନ୍ତି, ମାସେ ମଧ୍ୟରେ ଆନ୍ଦୋଳନରତ ଏଏନ୍ଏମ୍ମାନଙ୍କ ମଧ୍ୟରୁ ପ୍ରାୟ ୩୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। କନ୍ଧମାଳ ବାଲିଗୁଡ଼ାର ସ୍ବାସ୍ଥ୍ୟକର୍ମୀ ନିରୁପମା ଦିଗାଲ ଅସୁସ୍ଥ ହୋଇ ତାଙ୍କର ଗର୍ଭନଷ୍ଟ ହୋଇଯାଇଛି। ମାତ୍ର ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ମାନିନାହାନ୍ତି, ସେ ପର୍ଯ୍ୟନ୍ତ ସେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷରେ ୮ଜଣ ଗର୍ଭବତୀ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ ଧାରଣାରେ ବସିଥିବା ସୂଚନା ମିଳିଛି।ରଶ୍ମିରେଖା ଆହୁରି କହିଛନ୍ତି, ରାଜ୍ୟ ସରକାର ବର୍ତ୍ତମାନ କରୋନା ନିୟନ୍ତ୍ରଣ କରି ଯେଉଁ ବାହାବା ନେଉଛନ୍ତି, ତା’ ପଛରେ ଆମମାନଙ୍କ ହାତ ରହିଛି। କାରଣ ଆମେ ମହିଳା ସ୍ବାସ୍ଥ୍ୟକର୍ମୀମାନେ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରିଥିଲୁ। ଗାଁ’ରୁ ଗାଁ’ ବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଉଥିଲୁ। ବିଦେଶରୁ ଆସିଥିବା ପ୍ରବାସୀଙ୍କୁ ଟ୍ରାକିଂ କରି ସେମାନଙ୍କୁ ଚିହ୍ନଟ କରିଥିଲୁ। ଯେଉଁଥିପାଇଁ ଆଜି ରାଜ୍ୟରେ କରୋନା ପ୍ରକୋପ କମିଛି। ମାତ୍ର ସରକାର ଆମର କୌଣସି ଦାବିକୁ କର୍ଣ୍ଣପାତ କରୁନାହାନ୍ତି। ସେହିଭଳି ସଂଘ ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ୧୨ ବର୍ଷ ହେବ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସରକାର ନିଯୁକ୍ତି ସୃଷ୍ଟି କରୁନାହାନ୍ତି। କିନ୍ତୁ ଗାଁ’କୁ କାମ ମା’କୁ ସମ୍ମାନର କଥା କହୁଛନ୍ତି। ଦୀର୍ଘ ମାସେ କାଳ ଆନ୍ଦୋଳନ କରିବା ପରେ ସରକାରଙ୍କ ସ୍ଥାଣୁତା ଓ ବିରୋଧୀଙ୍କ ସାନ୍ତ୍ବନା ବ୍ୟତୀତ ଏଏନ୍ଏମ୍ କିଛି ପାଇ ନଥିବା କହିଛନ୍ତି।