-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
04-Apr-2024
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ୩ ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ବାଲିଗୁଡା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଜିଲାର ଫୁଲବାଣୀ ଆସନରେ ନୂତନ ମହିଳା ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ଦେଇଥିବା ବେଳେ ଘୁ.ଉଦୟଗିରି ଆସନରେ ପୁରୁଣା ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କୁ ଦୋହରାଇଛି l ହେଲେ ବାଲିଗୁଡା ଆସନ କ୍ଷେତ୍ରରେ ଦଳ କାହିଁକି ଏପର୍ଯ୍ୟନ୍ତ ସେଭଳି କିଛି ନିଷ୍ପତ୍ତି ନେଇ ନାହିଁ, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ନିର୍ବାଚନ ମଣ୍ଡଳୀରେ ଭାଜପା ଆଦିବାସୀ କାର୍ଡ ଖେଳି ସ୍ଥାନୀୟ ଟାଉନର ମହିଳା ଆଦିବାସୀ ନେତ୍ରୀ ଭାବେ ଜଣାଶୁଣା କଳ୍ପନା କହଁର ଙ୍କୁ ପ୍ରଥମ ଥର ପାଇଁ ଦଳୀୟ ପ୍ରାର୍ଥୀ କରିଛି। ଏବଂ କଂଗ୍ରେସ ମଧ୍ୟ ବାଲିଗୁଡା ନିର୍ବାଚନ ମଣ୍ଡଳୀ କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତ ସମିତି ସଭ୍ୟ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି l ହେଲେ ବହୁ କଂଗ୍ରେସ କର୍ମୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରାର୍ଥୀ ଜଣକ ଆଦିବାସୀ ନୁହଁନ୍ତି ବୋଲି ଯୁକ୍ତି ବାଢି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ନିକଟରେ ଫେରାଦ କରିଛନ୍ତି l ଏ ସବୁ ଭିତରେ ଲଗାତାର ବିଜୟ ଧାରାକୁ ଅବ୍ୟାହତ ରଖିବା ପାଇଁ ବିଜେଡି ମଧ୍ୟ ଏଠାରେ ଆଦିବାସୀ କାର୍ଡ ଖେଳିପାରେ। ଏଭଳି ସ୍ଥିତିରେ ବିଜେଡି ବିଧାୟକ ପାଇଁ ଆଶାୟୀ ଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ବିଧାୟକ ଚକ୍ରମଣି କହଁର ଙ୍କୁ ପୁଣି ଥରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଅନ୍ୟପକ୍ଷରେ ଏକାଧିକ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କ୍ଳେଶ ପ୍ରଧାନ ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ ଙ୍କ ଭାଇ ବିଜେଶ୍ଵର ମଲ୍ଲିକ ଙ୍କ ଭଳି ନୂଆଁ ବେହେରାଙ୍କୁ ଦଳ ଏଠାରୁ ନିର୍ବାଚନ ମଇଦାନକୁ ଛାଡ଼ି ଚମକ ସୃଷ୍ଟି କରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉ ନାହିଁ l ହେଲେ ଦଳ ସ୍ଥାନୀୟ ଭୋଟରଙ୍କ ସୁଖ ଦୁଃଖରେ ସର୍ବଦା ଭାଗିଦାର ହୋଇ ପାରୁଥିବା କିଛି ନୂଆ ଚେହେରା ଙ୍କୁ ଚାହୁଁଥିବା ଦୃଷ୍ଟିରୁ ବିଜେଡି ସେଭଳି କିଛି ଗୋଟିଚାଳନା କରିପାରେ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ବାଲିଗୁଡା ବିଧାନସଭା ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରୁଛି, ସେଥିପ୍ରତି ସମସ୍ତଙ୍କର ନଜର ରହିଛି।