-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
03-Sep-2026
ବଲାଙ୍ଗିର(ପ୍ରେରଣା ଖବର): ରାଜେନ୍ଦ୍ର ମହାବିଦ୍ୟାଳୟ ବିଶ୍ୱ ବିଦ୍ୟାଳୟର ରୂପ ନେଲା, କିନ୍ତୁ ଆଜି ଯାଏଁ ବିଶ୍ୱ ବିଦ୍ୟାଳୟ କେବଳ ଏକ ସାଇନବୋର୍ଡରେ ରହିଯାଇଛି । ଶିକ୍ଷକ ଓ ଅଣଶିକ୍ଷକ ପଦବୀର ଏଠି ମରୁଡି ପଡିଛି । ଭିତ୍ତିଭୂମି ମଧ୍ୟ କୌଣସି ଆଖି ଦୃଶିଆ ବିକାଶ ହୋଇନାହିଁ । ଦୁଇ ଦିନ ତଳେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ନିଜେ ସ୍ୱିକାର କରିଛନ୍ତି ଯେ ତାଙ୍କ ପୂର୍ବ ପୁରୁଷ ଏହି ଶିକ୍ଷାନୁଷ୍ଠାନ ପାଇଁ ୨୦୦ ଏକର ଜମି ପ୍ରଦାନ କରିଥିଲେ । ସେ ଏହା ବି ସ୍ୱିକାର କରିଛନ୍ତି ଯେ ସେହି ଜମିିକୁ ବିଶ୍ୱ ବିଦ୍ୟାଳୟ ନିଜର କରି ରଖି ନାହିଁ ଏହାର ୭୫ ଭାଗ ଜମି ହଡପ ହୋଇଯାଇଛି । ତାଙ୍କର ଏହି ସ୍ପଷ୍ଟ ମନ୍ତବ୍ୟ ପାଇଁ ମୁଁ ନିଶ୍ଚିତ ଭାବେ ତାଙ୍କୁ ଧନ୍ୟବାଦ ଦେଉଛି ଏବଂ ତା ସହ ଅନୁରୋଧ କରୁଛି ଯେ ତାଙ୍କ ସରକାର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଏହି ହଡପ ହୋଇଯାଇଥିବା ଜମିକୁ ଯେତେ ଶିଘ୍ର ହେବ ଜମି ହଡପକାରି ଙ୍କ କବଜାରୁ ମୁକଲାଇ ପୁଣି ବିଶ୍ୱ ବିଦ୍ୟାଳୟକୁ ଫେରେଇବାର ବ୍ୟବସ୍ଥା କରନ୍ତୁ । ଯେହେତୁ ସେ ଏବେ ଉପ ମୁଖ୍ୟମନ୍ତ୍ରୀ ଭାବେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ଏବଂ ଏହି ଅନୁଷ୍ଠାନ ତାଙ୍କ ପୂର୍ବପୁରୁଷଙ୍କ ନାଁ ରେ ନାମିତ ଅଛି ତେଣୁ ଶିକ୍ଷାର ବିକାଶ ପାଇଁ ବିଶ୍ୱ ବିଦ୍ୟାଳୟର ହଡପ ଜମିକୁ ପୁଣି ଫେରେଇ ପାରିଲେ ବଲାଙ୍ଗିରବାସୀ ନିଶ୍ଚିତ ଭାବରେ କୃତଜ୍ଞତା ପ୍ରକାଶ କରିବେ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ଏହା ସହ ଆହୁରି ମଧ୍ୟ ସେ କହିଛନ୍ତି ଯେ ଯେହେତୁ ପୂର୍ବ ସରକାର ସମୟରେ ବିଧାନସଭା ଅଧିବେଶନରେ ରାଜ୍ୟପାଳ ନିଜ ଅଭିଭାଷଣରେ କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ହେବ ବୋଲି କହିଥିଲେ ଏବଂ ଏହା ମଧ୍ୟ ସତ୍ୟ ଯେ କେବିକେ ଅଂଚଳରୁ କୃଷି ବିଶ୍ୱ ବିଦ୍ୟାଳୟ ପାଇଁ କେବଳ ବଲାଙ୍ଗିରବାସୀ ହିଁ ଦାବି କରି ଆସୁଛନ୍ତି ତେଣୁ ଉପ ମୁଖ୍ୟମନ୍ତ୍ରୀ ବଲାଙ୍ଗିରବାସୀଙ୍କ ଦାବିକୁ ସମ୍ମାନ ଦେଇ ବଲାଙ୍ଗିର ରେ କୃଷି ବିଶ୍ୱ ବିଦ୍ୟାଳୟ ଦିଗରେ ପଦକ୍ଷେପ ନେବେ । ଗଡଜାତ ମିଶ୍ରଣ ରାଜିନାମାରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଯଦି ହାଇକୋର୍ଟର ବ୍ୟାଂଚ ଭବିଷ୍ୟତରେ କେବେ ବି ସ୍ଥାପନ ହୁଏ ତେବେ ବଲାଙ୍ଗିର ର ଦାବିକୁ ଅଣଦେଖା କରାଯାଇ ପାରିବ ନାହିଁ । ଏହି ମନ୍ତବ୍ୟକୁ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠା ଦିବସରେ ଦେହୋରାଇଛନ୍ତି । ତାଙ୍କର ଏହି ଉକ୍ତି ସହ ମୁଁ ମଧ୍ୟ ସହମତ । ତେଣୁ ବର୍ତ୍ତମାନର ସରକାର ବଲାଙ୍ଗିରରେ ଯେପରି ହାଇକୋର୍ଟ ବ୍ୟାଂଚ ସ୍ଥାପନ କରିବେ ସେ ଦିଗରେ ଉପମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ । ବିଜେପି ସରକାର ଇତି ମଧ୍ୟରେ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି ଏହା ସତ୍ତ୍ୱେ ସରକାରଙ୍କ ଘୋଷିତ ଦେଓଗାଁ ଚିନିକଳ ଆଜି ପର୍ଯ୍ୟନ୍ତ ଚାଲୁ ହୋଇପାରୁନାହିଁ ଏହା ଯେପରି ଶିଘ୍ର ଚାଲୁ ହେବ ଏବଂ ଜିଲ୍ଲାର ଲୋକେ ଏହା ସୁଫଳ ପାଇପାରିବେ ସେ ଦିଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଶିଘ୍ର ପଦକ୍ଷେପ ନିଅନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।