-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2023
ବଲାଙ୍ଗୀର : ( ମଳୟ ମିଶ୍ରଙ୍କ ରିପୋର୍ଟ ) ବିଗତ ଦେଢ ଦଶନ୍ଧିତଳେ ୨୦୦୯ ରେ ଗଣମାଧ୍ୟମର ଜାତୀୟ ଶିରୋନାମା ପାଲଟିଥିବା ଖପ୍ରାଖୋଲ ବ୍ଲକ୍ ର ଭାନପୁର ପଞ୍ଚାୟତ ବୁରୋମାଲର ଚାବିରିପାଲି ଗାଁ'ର ଝିଙ୍ଗଟୁ ବରିହାର ପରିବାରର ୫ ପ୍ରାଣୀଙ୍କର ଅନାହାରମୃତ୍ୟୁ ଅଭିଯୋଗ ଘଟଣାପରେ ଏବେ ସେହି ଆଦିବାସୀ ଅଧ୍ୟୁଷିତ ଦାଦନପ୍ରବଣ ଗାଁ'ଟି ପୁଣିଥରେ ମନରେଗା ଯୋଜନାର ତୃଣମୂଳସ୍ତରରେ ଦାଦନଶ୍ରମିକଙ୍କ ନାଁ'ରେ ଗାଁ' ସାଥିଙ୍କ ଦ୍ଵାରା ଅର୍ଥହଡପ ଅଭିଯୋଗ ନିମନ୍ତେ ଚର୍ଚ୍ଚିତ ହୋଇପଡିଛି ।
ଗତ ୬ ତାରିଖରେ ଏହିଗ୍ରାମର କେତେକ ହିତାଧିକାରୀ ଆସି ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ , ଚଳିତ ୨୦୨୨- ୨୦୨୩ ର ତାଙ୍କ ଭାନପୁର ପଞ୍ଚାୟତରେ କରାଯାଉଥିବା ମନରେଗା କାମରେ ଗ୍ରାମର ଜଣେ ମହିଳା ଗାଁ'ସାଥୀଙ୍କୁ ହଟାଇଦେଇ ଗାଁ'ସାଥୀ, ଜିଆରଏସ , ସରପଞ୍ଚ ଓ ଅନ୍ୟାନ୍ୟ ଅଧିକାରୀମାନେ କାମ କରିନଥିବା ଦାଦନଶ୍ରମିକଙ୍କ ନାଁ'ରେ ଅର୍ଥ ବାଟମାରଣା କରିଆସୁଛନ୍ତି । ଏପରିକି ଅନୁପସ୍ଥିତ ଦାଦନଶ୍ରମିକ , କାମ କରି ନଥିବା ଗାଁ'ର ଶ୍ରମିକ ଓ ଅନ୍ୟାନ୍ୟ ଗ୍ରାମବାସୀଙ୍କ ନାଁ'ରେ ଆମ୍ବଚାରା ରୋପଣ ବା ଭିନ୍ନକଥା କହି ଖାତାରେ ଟଙ୍କା ପକାଇ ୫୦୦/ ୧୦୦୦ଲେଖାଏଁ ଟଙ୍କା କମିଶନ ଧରାଇଦେଇ ସମସ୍ତେ ମିଳିମିଶି ଟଙ୍କା ଆତ୍ମସାତ୍ କରୁଛନ୍ତି ।
ସେମାନଙ୍କ ଠାରୁ ପ୍ରକାଶ ଯେ , ଏଭଳି ଅଭିଯୋଗ ଗ୍ରହଣ କଲାବେଳେ କୁଆଡେ ଉପଜିଲ୍ଲାପାଳ ଓଲଟି ସେମାନଙ୍କୁ ଧମକ ଦେଇଥିଲେ ଯେ , ତମେ ଦସ୍ତଖତ ଦେଇଛ ଯଦି , ତମକୁ ସବୁ ଟଙ୍କା ଭରିବାକୁ ପଡିବ । '
ତେବେ ଏହି ସମୟରେ ଭାଜପା ପକ୍ଷରୁ ଗତ ୨୨ ଓ ୨୩ ତାରିଖରେ ରାଜ୍ୟସରକାରଙ୍କ ଦୁର୍ନୀତିକୁ ବିରୋଧ କରି ଦଳୀୟ ରୁଟିନ୍ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମରେ ଖପ୍ରାଖୋଲ ବ୍ଲକ୍ ଘେରାଉ ବେଳେ ପାଟଣାଗଡର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏହାର ତଦନ୍ତ ଦାବି କରିଥିଲେ । ଏହାପରେ ଗତ ୨୩ ତାରିଖରେ ବିଡିଓଙ୍କ ନିର୍ଦ୍ଦେଶରେ ବ୍ଲକ୍ ଏପିଓ ପ୍ରଶାନ୍ତ ସାହୁ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କଲାବେଳେ ଅଭିଯୋଗକାରୀ ଓ କେତେକ ହିତାଧିକାରୀ ଦୁଇଗୋଷ୍ଠୀ ପଷରୁ ଗଣ୍ଡଗୋଳ ଘଟିବାରୁ ଣଫେରିଆସିଥିଲେ । ଏଣୁ ଏହି ଅଭିଯୋଗକୁ ଜିଲ୍ଲାସ୍ତରକୁ ଓ ଡିଆରଡିଏରୁ ଅମ୍ବୁସ୍ ପର୍ଶନ ବା ଉଚ୍ଚସ୍ତରୀୟ ତଦନ୍ତ ସକାଶେ ପଠାଇଦିଆଯାଇଥିବା ଏପିଓ ପ୍ରକାଶ କରିଛନ୍ତି । ତେବେ ଗତ ୨୭ ତାରିଖରେ ଉକ୍ତ ଅଭିଯୋଗକାରୀଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏହି ଦୁର୍ନୀତିର ତଦନ୍ତ ଓ ଏଥିପାଇଁ ସେମାନଙ୍କୁ ଧମକଚମକ ଦିଆଯାଇଥିବା ସମ୍ପର୍କରେ ଏକ ଏତଲା ମଧ୍ୟ ଦିଆଯାଇଥିଲା । ଯାହାକୁ ପୁଲିସ୍ ଏହା ଗ୍ରାମର ଗୋଷ୍ଠୀବିବାଦ ଜନିତ ଗଣ୍ଡଗୋଳ ଦର୍ଶାଇ ଅଭିଯୁକ୍ତପକ୍ଷକୁ ଥାନାକୁ ଡକାଇ ସମାଧାନ କରିଦେଇ ଏ ସମ୍ପର୍କୀୟ ଦୁର୍ନୀତି ଅଭିଯୋଗର ବ୍ଲକ୍ ପକ୍ଷରୁ ତଦନ୍ତ କରାଯିବ ବୋଲି କହି ଫେରାଇ ଦିଆଯାଇଥିବା ପ୍ରକାଶ ।
ତେବେ ଅଭିଯୋଗରୁ ପ୍ରକାଶ ଯେ , ଗାଁ'ସାଥୀ ଓ ପଞ୍ଚାୟତର ଅନ୍ୟମାନେ ମିଶି ଗତବର୍ଷଠାରୁ ଅଦ୍ୟାବଧି ପ୍ରାୟ ଦଶଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏପରି କାମକରି ନଥିବା ଲୋକମାନଙ୍କ ନାଁ'ରେ ପକାଇ ଆତ୍ମସାତ୍ କରି ଆସୁଛନ୍ତି । ମୁଖ୍ୟତଃ ଟେଗର ଟ୍ରେଞ୍ଚ୍ ବା ନାଳା ଓ ସିସିବି ବା ବନ୍ଧଖୋଳାରେ ଏଭଳି ଜାଲିଆତି କରାଯାଇଥିବା ଅଭିଯୋଗ ହେଉଛି । ତେବେ ଏ ସମ୍ପର୍କରେ ଏହି ENMS ର ମଷ୍ଟରରୋଲ୍ ଇତ୍ୟାଦି ପରିଚାଳନାର ମନରେଗା ଦାୟିତ୍ୱରେ ଥିବା ଅଧିକାରୀ ଏପିଓ ବା ଅନ୍ୟ କର୍ମଚାରୀମାନେ କିପରି ଜାଣିପାରି ନାହାଁନ୍ତି ବା ଜାଣି ଜାଣି ସବୁ କାରସାଦୀ ଚାଲିଛି , ଏହାର ଅଧିକ ତଦନ୍ତ ଜରୁରୀ ବୋଲି ମତପ୍ରକାଶ ପାଇଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ , ବ୍ଲକ୍ , ପଞ୍ଚାୟତ ବା ଅନ୍ୟାନ୍ୟ ବିଭାଗର ମନରେଗା କାମର ଗ୍ରାଉଣ୍ଡ୍ ଜିରୋ ସ୍ତରରେ ଆଗ ନାମମାତ୍ର କାମ କରାଯାଇ ପଛେ ଫାଇଲ୍ ଖୋଲାଯିବା ଏକ ପରମ୍ପରାରେ ପରିଣତ ହୋଇଛି । ଉକ୍ତ ପଞ୍ଚାୟତର ୨୦୨୨- ୨୩ ବର୍ଷର କାମରେ ମୋଟ ପ୍ରାୟ ୨୦ ଲକ୍ଷର କାମରେ ଅଦ୍ୟାବଧି ଦୁଇଟି ଫାଇଲ୍ ର ଚଳିତବର୍ଷରେ ପ୍ରାୟ ୭ ଲକ୍ଷ , ୮ ଲକ୍ଷ ଲେଖାଏଁର ଚାବିରିପାଲି ନାଳା ,କରାଡୁଙ୍ଗୁରି ,ଠୁଟିଭଟା ନାଳା ଓ ହନୁପାଲି ନାଳା ଇତ୍ୟାଦିର କାମ ଚାଲିଛି । ଏହିସବୁ କାମରେ କାମ ନକରି ଟଙ୍କା ପଡିଥିବା ଓ ଖାତାଧାରୀ ହିତାଧିକାରୀ ଦାଦନଶ୍ରମିକଙ୍କୁ କମିଶନ ଦେଇ ମିଲିଭଗତରେ ଲକ୍ଷାଧିକଟଙ୍କା ଉପରିସ୍ଥ ଅଧିକାରୀଙ୍କ ଜାଣତରେ ବାଟମାରଣା କରାଯାଇଆସୁଛି । ଟେଗର ଟ୍ରେଞ୍ଚ୍ , ଟିସିବି ,ମ୍ୟାଙ୍ଗୋ ପ୍ଲାଣ୍ଟେସନ୍ ବା ଷ୍ଟପ୍ ଡ୍ୟାମ୍ ଇତ୍ୟାଦି ସବୁକାମରେ ଏପିଓ ମଷ୍ଟରରୋଲ୍ ମଞ୍ଜୁର କରି ଜିଆରଏସକୁ ଦେଲାପରେ ଗାଁ ସାଥୀ ଶ୍ରମିକ ନିୟୋଜନ କରିବାର କାମ କରିଥା'ନ୍ତି । ତେଣୁ ଅଧୁନାତନ ଇ ଏନ ଏମ ଏସ୍ ବ୍ୟବସ୍ଥାରେ ଏପିଓ ସବୁ ଜାଣିବା ଜରୁରୀ । ତେଣୁ ଏଭଳି ଅଭିଯୋଗର ପୁଣି ତାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବା ଅନୁଚିତ ।
ଆହୁରି ମଧ୍ୟ ଜିଲ୍ଲାର ୫ ଟି ଦାଦନପ୍ରବଣ ଇଣ୍ଟିଗ୍ରେଟେଡ ବ୍ଲକ୍ ମଧ୍ୟରେ ଖପ୍ରାଖୋଲ ରହିଛି । ଏସବୁ ବ୍ଲକ୍ ରେ ଶ୍ରମିକମାନଙ୍କର ଦୈନିକ ମଜୁରୀ ଦେଢଗୁଣ ଅଧିକ ଓ ଶ୍ରମଦିବସ ବି ୩୦୦ ଦିନ । ଏଣୁ ଏଭଳି ବ୍ଲକ୍ ର କିଛିବର୍ଷ ତଳର ବହୁଚର୍ଚ୍ଚିତ ଅନାହାରମୃତ୍ୟୁର ଗାଁ'ରେ ପୁଣି ଏପରି ଏକ ସମ୍ବେଦନଶୀଳ ଅଭିଯୋଗର ଚର୍ଚ୍ଚା ସତ୍ତ୍ୱେ , ସେଠାକୁ ମାତ୍ର ପ୍ରାୟ ସାତ/ ଆଠ କିମି ଦୂରସ୍ଥ ଉକ୍ତ ଗ୍ରାମକୁ ନଯାଇ ହରିଶଙ୍କରରେ ବୈଠକକରି ପ୍ରସାଦସେବନ କରି ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ ଫେରି ଯାଇଥିବା , ସେହି ବ୍ଲକ୍ କୁ ବାରମ୍ବାର ଓ ଗତ ୨୪ ତାରିଖରେ ବ୍ଲକ୍ ଓ ହରିଶଙ୍କରକୁ ଯାଇ ୫- ଟି କାମ ଅନୁଧ୍ୟାନ କରିଥିବା ଜିଲ୍ଲାପାଳ , ତାଙ୍କରି ଅମଳରେ ଝିଙ୍ଗଟୁ ବରିହାର ଅନାହାରମୃତ୍ୟୁ ଘଟିଥିବା ତତ୍କାଳୀନ ବିଧାୟକ ଓ ଏବେ ବ୍ଲକ୍ ଘେରାଉବେଳେ ଏହି ଅଭିଯୋଗ ଉଠାଇଥିବା କନକବର୍ଦ୍ଧନ , ପାଟଣାଗଡ ବିଧାୟକ ସରୋଜ ମେହେର ବା ବିଡିଓ ଆକାଶ ସାହୁ କେହି ବି ଏତେ ସତ୍ତ୍ୱେ ଉକ୍ତ ଗାଁ'କୁ ଯାଇ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରିନାହାଁନ୍ତି !
ଏ ସମ୍ପର୍କରେ ସରପଞ୍ଚ ରୀନା ଜାଲ୍ , ଗାଁ'ସାଥୀ ଖଗେଶ୍ବର ଜାଲ୍ , ଇଓ ମୋହନ ବେହେରା ଓ ଅନ୍ୟାନ୍ୟ ଅଭିଯୁକ୍ତମାନେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ତେବେ ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ ଓ ଦାବି କରାଯାଇଥିବା ହିତାଧିକାରୀଙ୍କ ତାଲିକାର ଭିଜିଲାନ୍ସ ଯାଞ୍ଚର ଆବଶ୍ୟକତା ରହିଛି ।