-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
14-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର: ତିନିଦିନ ହେଲାଣି ସ୍ୱାତୀ ମିଳୁନି। ସନ୍ଧାନୀ କୁକୁର ବୁଲି ସାରିଲାଣି। ଅଗ୍ନିଶମବାହିନୀ ପରେ ଆଜି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର ବି ପାଣିରେ ବୁଡ଼ି ଘାଣ୍ଟି, ଦରାଣ୍ଡି ସାରିଲେଣି। ହେଲେ କୋଉଠି ବି ସ୍ୱାତୀର ପତ୍ତା ନାହିଁ। ମା-ବାପାଙ୍କ ଧୈର୍ଯ୍ୟ ଭାଙ୍ଗୁଛି। ଗାଁ ଲୋକଙ୍କ ଆଶଙ୍କା ବଢୁଛି। ନିଜ ପିଲା ପିଣ୍ଡା ତଳକୁ ଖସିଲେ ଛାତି ଥରୁଛି। ସ୍ୱାତୀ ନିଖୋଜ ପରଠୁ ଏବେ ରଣପୁର ବଧିପାଟଣା ଗାଁକୁ ରାଜନେତାଙ୍କ ସୁଅ ଛୁଟୁଛି। ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ବିଜେପି ନେତ୍ରୀ ସୁରମା ପାଢ଼ୀ ସ୍ୱାତୀ ବାପା-ମାଆଙ୍କୁ ଭେଟିଛନ୍ତି। କାଲି ଭଳି ଆଜି ବି ଖୋଦ୍ ଏସ୍ପିଙ୍କ ତଦାରଖରେ, ପୋଲିସ୍ ଛାଉଣିରେ ଗାଁରେ ସ୍ୱାତୀ ନିଖୋଜର ତଦନ୍ତ ଚାଲିଛି। ହେଲେ ସ୍ୱାତୀକୁ କିଏ ନେଲା, କୁଆଡ଼େ ଗଲା, କାହା ପାଖରେ ଖବର ନାହିଁ। ମା ବାପାଙ୍କ ସନ୍ଦେହ ଗାଁକୁ ଆସିଥିବା କମ୍ବଳ ବିକାଳି ଉପରେ ଥିବାରୁ, ସେ ଦିଗରେ ବି ତଦନ୍ତ ଆଗକୁ ବଢୁଛି। ଏପଟେ ପରୀ ଅପହରଣ ଓ ହତ୍ୟା ଘଟଣାକୁ ନେଇ ରାଜନୀତି ଆହୁରି ତେଜୁଛି। ପରୀକୁ ନ୍ୟାୟ ପାଇଁ ପରୀ ଗାଁ ଯଦୁପୁରରୁ କଂଗ୍ରେସ ପରୀ ନ୍ୟାୟ ରଥର ଶୁଭାରମ୍ଭ କରିଛି। ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଜନ ଜାଗରଣ ଉଦ୍ଦେଶ୍ୟରେ ଗାଁ ଗାଁରେ ରଥ ବୁଲାଉଛି। ବିଜେପି ବି ଆନ୍ଦୋଳନକୁ ଜାରି ରଖିଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୯ ଦିନ ଧରି ଚାଲିଥିବା ଧାରଣାରେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ସାମିଲ ହୋଇ ସରକାରଙ୍କ ଉପରେ ବର୍ଷିଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରାନଯିବା ଯାଏଁ ପରୀକୁ ନ୍ୟାୟ ମିଳିବନି କହି ଦଳର ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତିି।
ପରୀ ଅପହରଣ ଓ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ଥିବା ବେଳେ ସ୍ୱାତୀ ନିଖୋଜକୁ ଦୁଇ ଦିନ ପରେ ବି ତାର ଖୋଜ୍ ଖବର ନମିଳିବା ପୁରା ବ୍ୟବସ୍ଥାର ପାରିଲା ପଣିଆ ଉପରେ ପ୍ରଶ୍ନବାଚୀ ଠିଆ କରିଛି।