-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2020
ନୂଆଦିଲ୍ଲୀ,02/10 : ବୈଶ୍ବିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣ କ୍ରମଶଃ ବଢିଚାଲିଥିବା ବେଳେ ଟିକା ନ ଆସିବା ପର୍ଯ୍ୟନ୍ତ ସଚେତନତା ହିଁ ନିଜକୁ ସୁରକ୍ଷିତ ରଖିବାର ଏକମାତ୍ର ମହାମନ୍ତ୍ର।* *କେନ୍ଦ୍ରଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସଭସ୍ତେ ଏହାହିଁ କହୁଛନ୍ତି।*
*ଏଭଳି ପରିସ୍ଥିତିରେ ସଭିଁଙ୍କ ଦୃଷ୍ଟି କୋଭିଡ୍-୧୯ ଟିକା ଉପରେ ନିବଦ୍ଧ ହୋଇରହିଛି। ଭାରତ ସମେତ ବିଦେଶର ଏକାଧିକ କମ୍ପାନୀ ଏହି ଟିକା ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି। ଏପରିକି ରୁଷ୍ ଟିକା ପ୍ରସ୍ତୁତ କରିସାରିଥିବା ନେଇ ଦାବି ମଧ୍ୟ କରୁଥିଲେ ମଧ୍ୟ ସେଠାରେ ଲୋକଙ୍କୁ ଗଣଟିକା ଦାନ ହୋଇପାରିନଥିବା ଜଣାପଡିଛି। କେବେ କରୋନା କାଳ ସରିବ ସେଥିନେଇ ଲୋକଙ୍କ ଭିତରେ ଆଶା ଓ ଆଶଙ୍କା ବଢୁଥିବାବେଳେ ଏଭଳି ସ୍ଥିତିରେ କେବେ ଦେଶରେ କୋଭିଡ୍ ଟିକା କେବେ ଉପଲବ୍ଧ ହେବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଆଶଙ୍କା ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କିଛି ଆଶ୍ବାସନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଠାକ୍ ଚାଲେ, ତେବେ ଆଉ ଦୁଇମାସ ପରେ ଟିକା ଉପଲବ୍ଧ ହୋଇପାରିବ। ଅର୍ଥାତ୍ ୨୦୨୧ ଜାନୁଆରୀ ସୁଦ୍ଧା କରୋନା ଟିକା ବଜାରରେ ମିଳିବ।
ଏକ ଘରୋଇ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତର ଗୁଲେରିଆ କହିଛନ୍ତି ଯେ, ଟିକା ଦେଶରେ କେତେ ଦିନରେ ପହଞ୍ଚିବ ତାହା କହିବା କଷ୍ଟକର। ତେବେ ଯଦି ସବୁ ଠିକ୍ ହୁଏ, ତେବେ ଟିକା ଆସନ୍ତା ବର୍ଷ ଆରମ୍ଭରେ ବଜାରରେ ମିଳିପାରେ। ଏହାସତ୍ତ୍ବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଲବ୍ଧ ଟିକା ଭାରତର ବୃହତ ଜନସଂଖ୍ୟାକୁ ପୂରଣ କରିବ ନାହିଁ। ଏଥିପାଇଁ ଆଉ କିଛି ମାସ ସମୟ ଲାଗିବ। ଏହାବ୍ୟତୀତ ଟିକା ଆସିବା ପରେ ଆଉ କିଛି ନୂଆ ଆହ୍ବାନ ମଧ୍ୟ ଆସିପାରେ। ଭାରତ ଭଳି ୧୩୮ କୋଟି ଲୋକଙ୍କ ଲାଗି ଏହାର ଉତ୍ପାଦନ ଏବଂ ବହୁଳ ବଣ୍ଟନ ନେଇ ସମସ୍ୟା ସୃଷ୍ଟି ହୋଇପାରେ।
ଟିକା ବଣ୍ଟନ କ୍ଷେତ୍ରରେ ପ୍ରାଥମିକତାକୁ ଗୁରୁତ୍ବ ଦିଆଯାଇପାରେ। ଏକ୍ଷେତ୍ରରେ ଯେଉଁମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ, ଅର୍ଥାତ୍ ବୟସ୍କ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଳିସ କର୍ମଚାରୀ ଆଦି ଯେଉଁମାନେ କରୋନା ମୁକାବିଲାରେ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଥମେ ଟିକା ଦିଆଯିବା ଆବଶ୍ୟକ। ପ୍ରାଥମିକତା ନୀତି ଅନୁସରଣ କରାଗଲେ ଟିକା ବଣ୍ଟନ ସମାନ ଭାବରେ ହୋଇପାରିବ। ଯଦି ଏହି ପ୍ରାଥମିକତା ମଡେଲ୍ ଗ୍ରହଣ କରାଯାଏ ନାହିଁ, ତେବେ ଭୂତାଣୁ ସଂକ୍ରମଣ ବଢିବା ସହିତ ମୃତ୍ୟୁହାର ମଧ୍ୟ ବଢ଼ିପାରେ। ଆମେ ସ୍ମରଣ ରଖିବାକୁ ହେବ ଯେ ଏହା ଏକ ମହାମାରୀ ଓ ବୈଶ୍ବିକ ସ୍ତରରେ ଏହାର ପ୍ରଭାବ ରହିଛି। ଏହା ଦୂର ଲାଗି ସମସ୍ତଙ୍କୁ ସମ୍ମିଳିତ ପ୍ରୟାସ କରିବାକୁ ପଡିବ।
ଅନ୍ୟପକ୍ଷରେ ଟିକାକରଣର ନିରାପତ୍ତା ଓ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ମଧ୍ୟ କେତେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହାର ଦୀର୍ଘମିଆଦୀ ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ ଚିନ୍ତାବ୍ୟକ୍ତ କରିଛନ୍ତି। ତାହା ସ୍ବାଭାବିକ; ମାତ୍ର ହଠାତ୍ ଏହା ଚିହ୍ନଟ କରିବା ସମ୍ଭବପର ହୋଇ ନପାରେ। କିଭଳି ଟିକା ପ୍ରସ୍ତୁତିକୁ ଶୀଘ୍ର କରାଯାଇପାରିବ ସେଥିଲାଗି ଟିକାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ ଏକାସାଙ୍ଗରେ ଚାଲିଛି। ଏହି ପ୍ରକ୍ରିୟା ସମୟରେ ଦୀର୍ଘକାଳୀନ ପାର୍ଶ୍ୱ ପ୍ରତିକ୍ରିୟା ଗୁଡ଼ିକ ଅପେକ୍ଷାକୃତ ସ୍ୱଳ୍ପ ସମୟରେ ଅଧ୍ୟୟନ କରାଯାଇପାରେ। ଯେଉଁମାନଙ୍କୁ ଟୀକା ଦିଆଯାଏ, ସେମାନଙ୍କୁ ଦୀର୍ଘକାଳୀନ ପାର୍ଶ୍ୱ ପ୍ରତିକ୍ରିୟା ଚିହ୍ନଟ ପାଇଁ ତଦାରଖ କରାଯିବ।
କରୋନା ଭୂତାଣୁ ସଂକ୍ରମଣ କେବେ ଶିଖରରେ ପହଞ୍ଚିବ ଓ କେବେ କମିବ ସେ ସମ୍ପର୍କରେ ଏମ୍ସ ନିର୍ଦେଶକ ଗୁଲେରିଆଙ୍କ ମତ ହେଉଛି ଯେ, କିଛି ଦିନ ହେବ ଏହା ସାମାନ୍ୟ ବୃଦ୍ଧି ପାଇଛି, ଯଦି ଏଭଳି ସ୍ଥିତି ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲେ, ତେବେ ଆମେ କହିପାରିବା ଏହାହିଁ ଶିଖର ସ୍ତର। ଧୀରେ ଧୀରେ ଏହା କ୍ରମଶଃ ହ୍ରାସ ପାଇବ ବୋଲି ଆଶା କରିବା। ଏସବୁ ସତ୍ତ୍ବେ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ସଫା କରିବା ଏବଂ ପରସ୍ପରଠାରୁ ଛଅ ଫୁଟର ସାମାଜିକ ଦୂରତା ବଜାୟ ରଖିବା ଭଳି ଅଭ୍ୟାସ ନିରନ୍ତର ଚାଲୁରଖିବାକୁ ପଡିବ ବୋଲି ଏମ୍ସ ନିର୍ଦେଶକ ପରାମର୍ଶ ଦେଇଛନ୍ତି।