-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
30-May-2022
ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଅନେକ ସମୟରେ ନିର୍ଯ୍ୟାତିତ ହେବା, କାର୍ଯ୍ୟ ସ୍ଥଳରେ ମୃତ୍ୟୁ ବରଣ କରି ଗାଁ କୁ ଶବ ହୋଇ ଫେରିବା ଭଳି ଦୁଃଖଦ ଖବର ଶୁଣିଲେ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଗାଁ ରେ ଲୋକଙ୍କୁ କାମ ଯୋଗାଇଦେବା ଲକ୍ଷରେ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ ଏହି ଯୋଜନା ଗୁଡିକ ଅନେକ ଲୋକଙ୍କୁ ଦାଦନ ଯିବାରେ ରୋକିପାରି ନାହିଁ । ପେଟପାଟଣା ପାଇଁ ନିଜ ପରିବାର ଲୋକଙ୍କୁ ଦୁଇ ମୁଠାଏ ଦାନା ଯୋଗାଇଦେବା ପାଇଁ ସୁଦୂର ମୁମ୍ବାଇ କୁ କାମ କରିବାକୁ ଯାଇ ଶବ ହୋଇ ଫେରିଛନ୍ତି ବଙ୍ଗୋମୁଣ୍ଡା ବ୍ଲକ ଦେଢ଼ଗାଁ ପଞ୍ଚାୟତ ର ଡେଂଗପଦର ପଡାର ୧୯ ବର୍ଷର ଯୁବକ ଲମ୍ବୋଦର ପୁଞ୍ଜି (୧୯) । ଲକଡାଉନ ଆଗରୁ କାମ କରିବାକୁ ଯାଇଥିଲେ ଲକଡାଉନ ଯୋଗୁଁ ଗାଁକୁ ଆସି କିଛି ମାସ ରହିବାପରେ ।ପରେ ପୁଣି ଥରେ ୨/୩ ମାସ ପୂର୍ବରୁ ସୁଦୂର ମୁମ୍ବାଇ କୁ କାମ କରିବାକୁ ଯାଇଥିଲେ । ସେଠାରେ ନିଜର ଦୁଇ ବଡ ଭାଇ ଫକୀର ଓ ଚକ୍ର ଙ୍କ ସହ ରହି ଘର ନିର୍ମାଣରେ ଶ୍ରମିକ ଭାବରେ କାମ କରୁଥିଲେ । ମୁମ୍ବାଇ ର ତିଳକନଗର ରେ ରହି ଟ୍ରେନ ଯୋଗେ ଅନ୍ୟତ୍ର କାମ କରିବାକୁ ଯାଉଥିଲେ । ଗୁରୁବାର ସନ୍ଧ୍ୟା ସମୟରେ ଟ୍ରେନରେ ଫେରୁଥିଲେ । କୌଣସି କାରଣରୁ ଟ୍ରେନରେ କଟିଯାଇ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ଖବର ପାଇ ତାଙ୍କ ସହ ରହୁଥିବା ଭାଇ ଫକୀର ପୁଞ୍ଜି ସେଠାରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ଗାଁ କୁ ଶବ ଆଣିଥିଲେ । ଶନିବାର ବିଳମ୍ବିତ ରାତିରେ ମୃତଦେହ ପହଁଚିବା ପରେ ଶୋକକୁଳ ପରିବେଶରେ ଶବ ସତ୍କାର କରାଯାଇଥିଲା । ମୃତ ଯୁବକଙ୍କ ପରିବାର ଏବେ ରୋଜଗାରକ୍ଷମ ଯୁବକକୁ ହରାଇ ଅସହାୟ ହୋଇପଡିଛନ୍ତି ।ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି । ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।