-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
20-Feb-2022
ଭୁବନେଶ୍ୱର(ସୁଭାସିସ ନାୟକ) : ଆଜି ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଂଚାୟତରେ ଉଭୟ ସରପଂଚ ଓ ସମିତି ସଭ୍ୟ ନିର୍ବାଚନ ମଇଦାନରେ ଅଛନ୍ତି । ରାଜ୍ୟର ୫୬.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୮୪୯୫ଟି ବୁଥ୍ ଚୂଡ଼ାନ୍ତ ହୋଇଥିବାବେଳେ ସେଥିରୁ ୨୭୭୩ଟି ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି । ଗତ ଦୁଇଟି ପର୍ଯ୍ୟାୟରେ ମୋଟ ୩୦ଟି ଜିଲ୍ଲାର ୧୩୯ଟି ବ୍ଲକରେ ୩୮୬ଟି ଜିଲ୍ଲା ପରିଷଦ ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇସାରିଛି ।
ରାଜ୍ୟ ନିର୍ବାଚନ କମିଶନର ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ କେବଳ ଝାରସୁଗୁଡ଼ା ବ୍ୟତୀତ ଅନ୍ୟ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଅନୁଷ୍ଠିତ ହେବ । ଏହି ବ୍ଲକଗୁଡ଼ିକରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୬୭୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ୨ଟି ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଶେଷ ହୋଇଛି । ପୁଲିସର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯଦିଓ ପୁଲିସ ଡିଜି ସୁନୀଲ କୁମାର ବନସଲ କୌଣସି ପ୍ରକାରର ହିଂସା ଓ ଗଣ୍ଡଗୋଳକୁ ବରଦାସ୍ତ କରାଯିବନି ବୋଲି ଆଶ୍ୱାସନା ଦେଇଛନ୍ତି । ତଥାପି ରାଜ୍ୟରେ ଅବାଧ ଓ ନିରପେକ୍ଷ ପଂଚାୟତ ନିର୍ବାଚନ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି । ଆସନ୍ତାକାଲି ମତଦାନ ପରେ ଆଉ ଦୁଇଟି ପର୍ଯ୍ୟାୟ ଭୋଟ ଫେବୃୟାରୀ ୨୨ ଓ ୨୪ତାରିଖରେ ହେବ । ଏହି ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣର ଗଣତି ଫେବୃୟାରୀ ୨୬ରୁ ୨୮ତାରିଖ ମଧ୍ୟରେ ହେବ ।