-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
23-Sep-2026
ନୂଆପଡ଼ା, (ଡୋଲେଶ୍ବର ବାଗ): ନିଜର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ ବଳରେ ଆଉ ଏକ ନୂଆ ସଫଳତା ହାସଲ କରିଛନ୍ତି ନୂଆପଡ଼ା ଜିଲ୍ଲାର ଗର୍ବ ସଚିନ ବେହେରା। ୫ କେଜି ଓଜନର ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାତ୍ର ଏକ ମିନିଟ୍ରେ ୮୮ ଥର ଫୁଲ୍ କଣ୍ଟାକ୍ଟ ନି-ଷ୍ଟ୍ରାଇକ୍ କରି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ନିଜ ନାମ ସ୍ଥାନିତ କରିଛନ୍ତି। ଏହି ସଫଳତା ତାଙ୍କ ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି।
ଗତ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ୱରସ୍ଥିତ ଓଭରଅଲ୍ ସ୍ପୋର୍ଟସ୍ ଏକାଡେମୀରେ ସଚିନ ଏହି ରେକର୍ଡ ପ୍ରୟାସ କରିଥିଲେ। ପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ଏହାକୁ ଅଫିସିଆଲ୍ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି।ଲର୍କା ଗାଁରୁ ରେକର୍ଡ ବୁକ୍କୁ ସଚିନ, ନୂଆପଡ଼ା ପାଇଁ ଆଣିଲେ ଗୌରବ
ସଚିନ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଲର୍କା ଗ୍ରାମର ଲକ୍ଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ସୁପୁତ୍ର। ସେ ଜିଲ୍ଲାର ପ୍ରଥମ ଗିନିଜ୍ ୱାଲ୍ଡ ରେକର୍ଡଧାରୀ ଭାବେ ପରିଚିତ। ଏହା ପୂର୍ବରୁ ୨୦୧୯ ମସିହାରେ ଏକ ମିନିଟ୍ରେ ୧୩୭ଟି ନି-ଷ୍ଟ୍ରାଇକ୍ କରି ସେ ପ୍ରଥମ ଗିନିଜ୍ ୱାଲ୍ଡ ରେକର୍ଡ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ମଧ୍ୟ ସେ ଆଉ ଏକ ବିଶ୍ୱ ରେକର୍ଡ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ।
ଶିକ୍ଷା କ୍ଷେତ୍ରରେ ମଧ୍ୟ ସଚିନ ନିଜର ଉତ୍କର୍ଷତା ବଜାୟ ରଖିଛନ୍ତି। ସେ ଭୁବନେଶ୍ୱରର ଏକ ଘରୋଇ କଲେଜ ଓ ହସ୍ପିଟାଲ୍ରୁ ଫିଜିଓଥେରାପିରେ ସ୍ନାତକ ହାସଲ କରିଥିବାବେଳେ ବର୍ତ୍ତମାନ ଅର୍ଥୋପେଡିକ୍ ବିଭାଗରେ ସ୍ନାତକୋତ୍ତର ଅଧ୍ୟୟନ କରୁଛନ୍ତି।
ଏହି ରେକର୍ଡ ପ୍ରୟାସ ସମୟରେ ଏକ୍ସପର୍ଟ ୱିଟନେସ୍ ଭାବେ ସୌମ୍ୟରଞ୍ଜନ ଦାସ, କିକ୍ ପ୍ୟାଡ୍ ହୋଲ୍ଡର ଭାବେ କୃପାସିନ୍ଧୁ ବାରିକ ଏବଂ ଟାଇମ୍ କିପର୍ ଭାବେ ସନ୍ଦୀପ ପଟ୍ଟନାୟକ ଅଫିସିଆଲ୍ ଭାବେ ଉପସ୍ଥିତ ଥିଲେ।
ସଚିନଙ୍କ ଏହି ସଫଳତା ନୂଆପଡ଼ା ଜିଲ୍ଲା ସମେତ ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ। ତାଙ୍କର ଏହି ଉପଲବ୍ଧି ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ଆତ୍ମବିଶ୍ୱାସର ମାର୍ଗରେ ଆଗେଇବାକୁ ପ୍ରେରଣା ଯୋଗାଇବ।