-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
23-Sep-2026
ଟିଟିଲାଗଡ଼(ପ୍ରେରଣା ଖବର)- ଜିଲ୍ଲା ଅବକାରୀ ବିଭାଗର ଏକ ଅଜବ ନୀତିକୁ ନେଇ ସାରା ଅଞ୍ଚଳରେ ଏବେ ତୁମ୍ବିତୋଫାନ ସୃଷ୍ଟି ହୋଇଛି। ସହରର ହାଇସ୍କୁଲ୍ ପଡ଼ା ପୁରୁଣା ସାହାରା ଅଫିସ ନିକଟ ରାସ୍ତା ଉପରେ ନୂତନ ବିଦେଶୀ ଠିପି ବନ୍ଦ ମଦ ଦୋକାନ ପାଇଁ ସରକାରୀ ନୀତି ନିୟମକୁ କିଭଳି ଏଡ଼ାଇ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି, ସେ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଶୈଳେନ୍ଦ୍ର ସକ୍ସେନାଙ୍କୁ ଅବକାରୀ ବିଭାଗ ସମସ୍ତ ନିୟମ ଦଳି ଦେଇ ଏହି ଦୋକାନ ଖୋଲିବାକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି।
ସାଧାରଣତ ଏକ ମଦ ଦୋକାନ ଖୋଲିବା ପୂର୍ବରୁ ସଂପୃକ୍ତ ସ୍ଥାନ, ଦସ୍ତାବିଜ୍, ଏବଂ ଜମି କାଗଜପତ୍ରର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ହିଁ ଅନୁମତି ପ୍ରଦାନ କରାଯାଏ। ଏଥିପାଇଁ ଜମିର ମାଲିକାନା, ପୌରପରିଷଦର (NOC (Non-Objection Certificate) ଏବଂ ଟ୍ରେଡ଼୍ ଲାଇସେନ୍ସ ବାଧ୍ୟତାମୂଳକ ଅଟେ। ମାତ୍ର ଏହି କ୍ଷେତ୍ରରେ କଳବଳ ପ୍ରୟୋଗ କରି ଜୁନ୍ ମାସରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଦୋକାନ ଖୋଲିବାର ପ୍ରାୟ ତିନି ମାସ ପରେ ଅର୍ଥାତ୍ ଅଗଷ୍ଟ ୧୨ ତାରିଖରେ ନୂତନ ବିଦେଶୀ ମଦ ଦୋକାନ ଖୋଲିଥିବା ଜମିର ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ କରିବାକୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଟିଟିଲାଗଡ଼ ତହସିଲଦାରଙ୍କୁ ଚିଠି ଲେଖାଯାଇଛି। ଏହା କୌଣସି ଅଦୃଶ୍ୟ ଚାପରେ ଏବଂ ଭିତିରି ସଲାସୁତୁରା ଥାଇ କରାଯାଇଥିବା ସନ୍ଦେହ ଦୃଢ଼ ହେଉଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଯେତେବେଳେ ନୂତନ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଗଲା ସେତେବେଳେ ଏହି ଯାଞ୍ଚ କି ତଦନ୍ତ କାହିଁକି କରାଗଲା ନାହିଁ ? କୌଣସି ସ୍ଥିତି ଯାଞ୍ଚ ନ କରି ଜୁନ୍ ମାସରେ ଦୋକାନ ଖୋଲିବାକୁ ଅନୁମତି କେମିତି ଦିଆଗଲା ? ନିୟମ ଅନୁଯାୟୀ କୋଣସି ଅନୁସୂଚିତ ଜାତି କିମ୍ବା ଜନଜାତିଙ୍କ ଜମିକୁ ମଦ ଦୋକାନ ପାଇଁ ବ୍ୟବହାର କରିବାକୁ ପ୍ରଶାସନର ସ୍ୱତନ୍ତ୍ର ଅନୁମତି ଦରକାର ଯାହାକି ଏଠାରେ ସେହି ନିୟମର ଉଲ୍ଲଂଘନ ହୋଇଛି କି ? ତଦନ୍ତ ସାପେକ୍ଷ ଅଟେ। ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଜମି ସତ୍ୟବତୀ ମହାନନ୍ଦ ଓ ତାଙ୍କ ସ୍ୱାମୀ ଜନକରୁଷି ମହାନନ୍ଦଙ୍କ ନାମରେ ରହିଛି କିପରି ଏଠାରେ ବିଦେଶୀ ମଦ ଦୋକାନ ପାଇଁ ଅନୁମତି ମିଳିଲା ? ଏହି ପ୍ରସଙ୍ଗରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅବକାରୀ ବିଭାଗର ଏହି ଅଜବ ନୀତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିରେ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରି ହେଉଛି। ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବେ କି? ତାହା ଏବେ ବଡ଼ ପ୍ରଶ୍ନ ଉଠୁଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇସ୍କୁଲ ପଡ଼ାରେ ଯେବେଠାରୁ ନୂତନ ବିଦେଶୀ ମଦ ଖୋଲାଯାଇଛି ତେବେ ଠାରୁ ସ୍ଥାନୀୟ ଲୋକେ ଏଠାରୁ ସେହି ବିଦେଶୀ ମଦ ଦୋକାନକୁ ହଟାଇବାକୁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଥମ ଥର ପାଇଁ ବିଦେଶୀ ମଦ ଆଣିବା ପାଇଁ ଯେତେ ମାତ୍ରାରେ ଅବକାରୀ ଓ ପୋଲିସ ପ୍ରଶାସନ ମୁତୟନ ହୋଇଥିଲେ ସତେ ଯେମିତି ସହରରେ କର୍ଫ୍ୟୁ ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଅବକାରୀ ବିଭାଗର କାର୍ଯ୍ୟ ଶୈଳୀ ଓ ଦୋକାନ ଖୋଲିବାକୁ ଅନୁମତି ଦେବାର ତିନି ମାସ ପରେ ଅବକାରୀ ବିଭାଗ ପକ୍ଷରୁ ଟିଟିଲାଗଡ ତହସିଲ କାର୍ଯ୍ୟାଳୟକୁ ଜାରି କରିଥିବା ନୋଟିସ/ ଚିଠି ଏବେ ସହରରେ ଆଲୋଚନାର ବିଷୟ ପାଲଟିଛି।