-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
12-Feb-2022
ବଲାଙ୍ଗୀର:( ମଳୟ ମିଶ୍ରଙ୍କ ରିପୋର୍ଟ ) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗତବର୍ଷ ଅପେକ୍ଷା ଜିଲ୍ଲାପରିଷଦର ସମୀକରଣ ବଦଳିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ମଇଦାନରେ ଏଥର ମଧ୍ୟ ପ୍ରମୁଖ ଭୂମିକାରେ ରହିଥିବା ବିଜଦ , ଭାଜପା ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ରାଜନୈତିକପ୍ରସଙ୍ଗ ରୂପେ ସେପରି କିଛି ସ୍ଥାନୀୟ ଇସୁ ନଥିବାବେଳେ , ପ୍ରଚାର , ପଇସା ଓ ପତିଆରା ହିଁ ଏଥର ଏଠାରେ ନିର୍ବାଚନୀ ରଣକୌଶଳ ହୋଇଛି । କଂଗ୍ରେସର ବରିଷ୍ଠନେତା ବଲଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କର ଜିଲ୍ଲାରେ ଜବରଦସ୍ତ ପ୍ରଭାବ ରହିଥିବା ଓ ପରିଣତ ବୟସରେ ବି ତାଙ୍କର ତୋଫାନୀଗସ୍ତ ଏବଂ ସୁଦକ୍ଷ ଦଳୀୟ ନିର୍ବାଚନ ପରିଚାଳନାକୁ ବିଚାର କଲେ , କଂଗ୍ରେସର ଶକ୍ତିବୃଦ୍ଧି ଘଟିଛି । ଏହାସହିତ କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀରେ ପୁରୁଖା ଲଢୁଆନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ( କୁକୁ ସିଂ ) ଏବଂ ଟିଟିଲାଗଡ ବିଧାନସଭା ମଣ୍ଡଳୀରେ ବାହୁବଳୀ ପୂର୍ବତନ ଆଦିବାସୀ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କର ଦଖଲ ଯୋଗୁଁ ଦଳ ଏଥର ୨ ରୁ ବଢିଯିବ । ଆଗଲପୁର , ଲୋଇସିଂହା , ସଇଁତଳା , କଣ୍ଟାବାଞ୍ଜି ଓ ଟିଟିଲାଗଡରେ କଂଗ୍ରେସ ଏଥର ୬ ଟିରୁ ଅଧିକ ଆସନ ଅକ୍ତିଆର କରିପାରେ ବୋଲି ଆକଳନ କରାଯାଇଛି । ଏଣୁ ଏଥର ବଲାଙ୍ଗୀର ଜିଲ୍ଲାପରିଷଦ ଗଠନରେ କଂଗ୍ରେସର ଭୂମିକା ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି । ତେବେ ସଂରକ୍ଷଣକୁ ନେଇ ଓବିସି ଓ ଆଦିବାସୀଙ୍କ ଅସନ୍ତୋଷ , ମମିତା ମେହେର ହତ୍ୟାଘଟଣାରେ ଶାସକଦଳ ବିଜଦର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ଏବଂ ଧାନକିଣାରେ ଅବ୍ୟବସ୍ଥା ପାଇଁ ଚାଷୀ ଅସନ୍ତୋଷ ଇତ୍ୟାଦି ବିଜଦ ଓ ଭାଜପା ବିରୋଧରେ ଯାଇ ତାଙ୍କ ଦଳକୁ ସୁହାଇବ ବୋଲି ଏକ ସାକ୍ଷାତ୍କାରରେ ନରସିଂହଙ୍କ ଆଶାପ୍ରକାଶ ଦଳର ଫାଇଦାକୁ ଆହୁରି ବୃଦ୍ଧି କରିପାରିବାର ସମ୍ଭାବନାକୁ ମଧ୍ୟ ଅସ୍ବୀକାର କରାଯାଇ ନପାରେ । ନରସିଂହ , କୁକୁ ସିଂ ଓ ସୁରେନ୍ଦ୍ର ମଧ୍ୟ ନିର୍ବାଚନପ୍ରଚାରରେ ସକ୍ରିୟ ରହିଥିବା ଦେଖାଯାଉଛି । ଜିଲ୍ଲାର ଦୁଇ ଟାଣୁଆ ବିଧାୟକ ଓ ଜଣେ ଆଦିବାସୀନେତା ପୂର୍ବତନ ମନ୍ତ୍ରୀଙ୍କ ସଂଗଠନ ତଥାପି ମଜବୁତ ରହିଛି ।
ରାଜ୍ୟରେ ଦୀର୍ଘବର୍ଷ ଧରି ସୁଦୃଢ ଶାସନକ୍ଷମତାରେ ରହିଆସିଥିବା ବିଜଦର ବିଚକ୍ଷଣ ଅମଲୃତାନ୍ତ୍ରିକ କୂଟନୈତିକ ପରିଚାଳନା ସତ୍ତ୍ୱେ ଗତଥର ବଲାଙ୍ଗୀର ଜିଲ୍ଲାପରିଷଦରେ ଦଳର ଶୋଚନୀୟ ପରାଜୟ ଘଟି ବିପୁଳ ବିଜୟ ହୋଇ ଭାଜପାହାତକୁ ଚାଲିଯାଇଥିଲା । ବଲାଙ୍ଗୀର ଜିଲ୍ଲାପରିଷଦର ମୋଟ ୩୪ଟି ଆସନରୁ ଭାଜପା ଏକାକୀ ୨୪ ଟି ଆସନ ମାରିନେଇଥିଲା । ଗତବର୍ଷ ବିଜଦକୁ ମାତ୍ର ୮ଟି ଆସନ ମିଳିଥିଲା । ଏଥିରେ ଗତବର୍ଷର ଫଳାଫଳ ହେଲା , ବଲାଙ୍ଗୀର ବିଧାନସଭା ମଣ୍ଡଳୀର ବଲାଙ୍ଗୀର , ଦେଓଗାଁ ଦୁଇଟି ବ୍ଲକ୍ ର ୪ ଟି ଯୋନ୍ ରେ ୩ ବିଜଦ ଓ ୧ କଂଗ୍ରେସ ମିଳିଥିଲା । ଲୋଇସିଂହା ବିଧାନସଭା ମଣ୍ଡଳୀର ଲୋଇସିଂହା , ଆଗଲପୁର ଓ ପୁଇଁତଳା ବ୍ଲକ୍ ର ୭ଟି ଯୋନ୍ ରେ ୧ ବିଜଦ , ୬ ଭାଜପା , ୦ କଂଗ୍ରେସ / ପାଟଣାଗଡ ବିଧାନସଭା ମଣ୍ଡଳୀର ପାଟଣାଗଡ , ବେଲପଡା ଓ ଖପ୍ରାଖୋଲ ବ୍ଲକ୍ ର ୮ ଯୋନ୍ ରେ ୧ ଭାଜପା ଓ ୭ ବିଜଦ / ଟିଟିଲାଗଡର ଟିଟିଲାଗଡ , ଗୁଡଭେଲା , ସଇଁତଳା ବ୍ଲକ୍ ର ୮ ଯୋନ୍ ରେ ୨ ବିଜଦ ଓ ୬ ଭାଜପା ପାଇଥିଲା । କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀର ବଙ୍ଗୋମୁଣ୍ଡା , ତୁରେକେଲା ଓ ମୁରିହାହାଲ ବ୍ଲକ୍ ର ୭ ଯୋନ୍ ରେ ୧ ବିଜଦ , ୫ ଭାଜପା ଓ ଗୋଟିଏ କଂଗ୍ରେସକୁ ମିଳିଥିଲା । ତେଣୁ ମୋଟ କଂଗ୍ରେସ ୨ , ବିଜଦ ୮ ଓ ୨୪ ଟି ଆସନ ହାସଲ କରି ଭାଜପା ଅଧ୍ୟକ୍ଷା ପଦ ପାଇଥିଲା ।
ତେବେ ଗତଥର ବିଜଦର ଏପରି ଚରମ ବିଫଳତାର କାରଣ କଣ ଥିଲା ଓ ବଲାଙ୍ଗୀରରେ ଭାଜପାର କେଭି - ସଙ୍ଗୀତା ବରିଷ୍ଠ ଭାଜପାନେତାଙ୍କର ପ୍ରଭାବ ଅଧିକ ହୋଇଗଲା କି ? ଏଭଳି ଆଶଙ୍କାର ଉତ୍ତର ଏଇଆ ଯେ , ଗତଥର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଥ୍ୟା ହିତାଧୀକାରୀଙ୍କୁ ଧରପଗଡ , ଟଙ୍କା ଫେରସ୍ତ ଓ ଗିରଫଦାରୀର ତନାଘନା ହିଁ କ୍ଷମତାସୀନ ସରକାରୀଦଳ ବିଜଦର ବିପକ୍ଷରେ ଯାଇଥିଲା । ଭାଜପାର ପୂର୍ବତନ ମନ୍ତ୍ରୀ ବନାମ ତୁଙ୍ଗନେତା କନକବର୍ଦ୍ଧନ ସିଂ ଦେଓ ଓ ବରିଷ୍ଠ ପୂର୍ବସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କର ଯଦି କିଛି ପ୍ରଭାବ ଥାଆନ୍ତା , ତାଙ୍କ ଗଡ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ପାଟଣାଗଡ , ବେଲପଡା ଓ ଖପ୍ରାଖୋଲ ବ୍ଲକ୍ ର ୮ ଟି ଯୋନ୍ ରେ ଭାଜପାକୁ ମାତ୍ର ଗୋଟିଏ ଜିଲ୍ଲାପରିଷଦ ଆସନ ମିଳି ପୋଛିହେଇଯାଇ ନଥାନ୍ତା !
ଅବଶ୍ୟ ଗତ ପଞ୍ଚାୟତନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସଂଗଠନର ପ୍ରଭାବ ମଧ୍ୟ ଏକ ପ୍ରମୁଖ କାରଣ ଥିବାରୁ ସବୁଆଡ ପରି ଏଠାରେ ଫୁଲ ଫୁଟି ଯାଇଥିଲା ।
ଚଳିତଥର ବିଜଦର ଜିଲ୍ଲାର ଟିଟିଲାଗଡ ବିଧାୟିକା ତଥା ମହିଳାମନ୍ତ୍ରୀ ଟୁକୁନି ସାହୁ , ପୂର୍ବ ଦୁଇଥରର ସାଂସଦ କଳିକେଶ ନାରାୟଣ ସିଂଦେଓ , ଗତଥରର ବିଧାନସଭା ପ୍ରାର୍ଥୀ ଯୁବନେତା ଅର୍କେଶ ନାରାୟଣ ସିଂଦେଓ , ପାଟଣାଗଡର ଚର୍ଚ୍ଚିତ ବିଧାୟକ ସରୋଜ ମେହେର , ବଲାଙ୍ଗିର ଜିଲ୍ଲା ସଂଗଠନ ଦାୟିତ୍ୱରେ ଥିବା ପଡୋଶୀ ବରଗଡ ଜିଲ୍ଲାର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ବିଜଦନେତା ପୂର୍ବତନ ବିଧାୟକ ଆୟୁବ୍ ଖାଁ , ବିଧାୟକ ପ୍ରାର୍ଥୀ ଅଜୟ ଦାସ ଓ ଅନ୍ୟମାନେ ତତ୍ପର ହୋଇଉଠିଛନ୍ତି । ମହିଳା ଏସଏଚଜି ଓ ଦଳର ସଦସ୍ୟମାନେ ସକ୍ରିୟ ରହୁଛନ୍ତି । ଜିଲ୍ଲାର ତୁରେକେଲା ବି କଣ୍ଟାବାଞ୍ଜି ଅଞ୍ଚଳରେ ମମିତା ମେହେର ହତ୍ୟାମାମଲାର ସେପରି ନିର୍ବାଚନୀ କୁପ୍ରଭାବ ରହିନାଇଁ । ପ୍ରଚୁର ଅର୍ଥବଳ ଓ କ୍ଷମତାବଳ ଏଥର ସଂରକ୍ଷିତ ମହିଳା ଜିଲ୍ଲାପରିଷଦରେ ବିଜଦକୁ ଅଧିଷ୍ଠିତ କରିବାର ସମ୍ଭାବନା ଉଜ୍ଜ୍ଵଳ ବୋଲି କୁହାଯାଉଛି । ସଂରକ୍ଷଣରେ ପଛୁଆବର୍ଗ ବା ଆଦିବାସୀଙ୍କ ଅସନ୍ତୋଷ ପ୍ରକୃତରେ ସେପରି ପ୍ରଭାବ ପକାଇବନାହିଁ । କ୍ଷମତାଅକ୍ତିଆରର ଲୋଭ ସମସ୍ତଙ୍କୁ ପାଗଳ କରିଛି । ଶାସକଦଳ ପ୍ରତି ବହୁସମର୍ଥନ ଏହି ବିଜୟ ସମ୍ଭାବନାର ଅନ୍ୟତମ କାରଣ ।
ଭାଜପାର ସ୍ଥିତି ଏଥର ଲୋଇସିଂହା ବିଧାନସଭା ମଣ୍ଡଳୀ , ପାଟଣାଗଡ ଓ କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀରେ କେତେକାଂଶରେ ରହିଛି । ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ , ପାଟଣାଗଡ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ , ସାଂସଦ ସଙ୍ଗୀତା ସିଂହଦେଓ , ପାଟଣାଗଡ ବ୍ଲକ୍ ଅଧ୍ୟକ୍ଷ ତଥା ପୂର୍ବତନ ଭାଜପା ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକ , ଜିଲ୍ଲା ସଭାପତି ଶିବାଜୀ ମହାନ୍ତି , କଣ୍ଟାବାଞ୍ଜି ପୂର୍ବତନ ବିଧାୟକପ୍ରାର୍ଥୀ ଲକ୍ଷ୍ମଣ ବାଗ , ବଲାଙ୍ଗୀର ବିଧାନସଭା ପୂର୍ବତନ ପ୍ରାର୍ଥୀ ଅନନ୍ତ ଦାଶ ଓ ଅନ୍ୟାନ୍ୟ ଭାଜପାନେତାଙ୍କ ଅକ୍ଳାନ୍ତ ପରିଶ୍ରମ ମଧ୍ୟ କିଛି ରଙ୍ଗ ଦେଖାଇବ । ତେବେ ଏହିଦଳର ନେତାଙ୍କର ପ୍ରକୃତ ସଂଗଠକ ବା ପୁରୁଣା ଦଳୀୟ କର୍ମୀ ଓ ନେତାଙ୍କୁ ଅବହେଳା ସହିତ ପାଣ୍ଠିଆତ୍ମସାତ୍ ପ୍ରବୃତ୍ତିଯୋଗୁଁ ଏଥର ଦଳ ପୂର୍ବଥରର ସୌଭାଗ୍ଯଅର୍ଜନରୁ ବଞ୍ଚିତ ହେବାର ଆଶଙ୍କା ରହିଛି ବୋଲି କୁହାଯାଉଛି ।
ସଂପ୍ରତି ୩୪ଟି ଜିଲ୍ଲା ପରିଷଦ ଆସନରେ ୮ ଜଣଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୧୨୮ ଜଣ ପ୍ରାର୍ଥୀ ଲଢୁଛନ୍ତି ।
ସରପଞ୍ଚ , ସଭ୍ୟ ବା ବ୍ଲକ୍ ଚେୟାରମ୍ୟାନ୍ ପ୍ରାର୍ଥୀଙ୍କ ନିର୍ବାଚନରେ ଜିଲ୍ଲାର ୧୪ଟି ବ୍ଲକ୍ ର ମୋଟ ୩୧୭ ଗ୍ରାମ ପଞ୍ଚାୟତରେ ବିଶେଷତଃ ସାଧାରଣ ଆସନରେ ଖୋଲାଖୋଲି ପଇସା , ପ୍ରଚାର ଓ ପତିଆରାର ପ୍ରତିଦ୍ବନ୍ଦିତା ଚାଲିଛି । କେତେକ ଅର୍ଥବଳରେ ଗଧବେପାରରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଲେଣି । ଅଦ୍ୟାବଧି ଜିଲ୍ଲାରେ ୧୨ ଜଣ ସରପଞ୍ଚ , ୧୮୭୧ ଉଆଡମେମ୍ବର ଓ ୨୩ ଜଣ ସମିତିସଭ୍ଯ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ଜିଲ୍ଲାର ପୁଇଁତଳା ବ୍ଲକ୍ ର ବିଲେଇସର୍ଡା ସରପଞ୍ଚ ପ୍ରାର୍ଥୀ ନିଲାମ ଘଟଣା ସାରାରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଗୁଗୁଲ୍ ପେ' ରେ ଭୋଟରଙ୍କୁ ଟଙ୍କା ବଣ୍ଟନ, ମାଛ ଓ କୁକୁଡା ବଣ୍ଟନ ଇତ୍ୟାଦି ଏଇ ଜିଲ୍ଲାର ଭୋଟକିଣା ଘଟଣାର ଏକ ଖୋଲା ଖୋଲି ଘଟଣା । ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ କେତେ ଦାମ୍ ରେ ପ୍ରତିଦ୍ବନ୍ଦୀଙ୍କୁ ଗଧବେପାରରେ କିଣିଲେ , ଏହା ସ୍ବଚ୍ଛ ଓ ଅବାଧ ନିର୍ବାଚନର ଡିଣ୍ଡିମ ପିଟୁଥିବା ନିର୍ବାଚନକମିଶନଙ୍କ ତଦନ୍ତର ପରିସରଭୁକ୍ତ ହେବାକଥା କି ?