-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
03-Oct-2026
(ପ୍ରିୟଦର୍ଶିନୀ ପାତ୍ର)
ରେଡକ୍ରସ ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ର ୩୦ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୧୦ ଗୋଟି ସ୍ନାତକ ମହାବିଦ୍ୟାଳୟ ରୁ ପ୍ରାୟ ୬୦ ଜଣ ଅଧ୍ୟକ୍ଷ ଓ କାଉନସିଲର ମାନେ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ ର ଜିଲ୍ଲା ଚେୟାରମେନ ଶ୍ରୀ ଡି. ଗୋବିନ୍ଦା ରାଓ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ କାଉନସିଲର ମାନଙ୍କୁ ଯୁବ ରେଡକ୍ରସ ନିଶ୍ଚିତ ସମାଜ ସେବା ଆଡ଼କୁ ନେବା ସହ ଜିଲ୍ଲା ରେ ରକ୍ତଦାନ , ବୃକ୍ଷ ରୋପଣ କୁ ପ୍ରୋତ୍ସାହନ ଓ ସମାଜ ସେବାରେ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସେ ପ୍ରତି +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ ୟୁନିଟ୍ ଖୋଲିବା ସହ ପ୍ରତି ଅନୁଷ୍ଠାନ ରେ ବାର୍ଷିକ କାର୍ଯ୍ଯକ୍ରମ ଖସଡ଼ା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ରେଡକ୍ରସ୍ ର ଆଜୀବନ ସଦସ୍ୟ ତଥା ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କଲେଜ ସ୍ତରରେ ସମାଜ ସେବାରେ ରେଡ଼କ୍ରସ ର ଭୂମିକା ଉପରେ ଦିଗଦର୍ଶନ ଦେବା ସହ ସମାଜ ସେବା ପାଇଁ ସମସ୍ତ ପ୍ରକାର ସହଯୋଗ ସବୁବେଳେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାର୍ଥୀ କଲେଜ ର ପରିଚାଳକ ଶ୍ରୀ ସତ୍ୟ ନାରାୟଣ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରେଡକ୍ରସ ପାଇଁ ସମସ୍ତ ପ୍ରକାର ସହଯୋଗ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ଅତିଥି ଶ୍ରୀ ବିନୋଦ ବିହାରୀ ବେହେରା, ଅଧ୍ୟକ୍ଷ, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଗତବର୍ଷ ନିଜ ଅନୁଷ୍ଠାନ ରେ ହୋଇଥିବା ଜିଲ୍ଲା ଶିବିର ର ଅନୁଭୂତି ବର୍ଣ୍ଣନା କରିଥିଲେ।ଅଧ୍ୟକ୍ଷ ଶ୍ରୀ ଡି. ଗୋବିନ୍ଦା ରାଓ ପାଠପଢ଼ା ସହ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ବିକାଶ କରିବାରେ କାଉନସିଲର ମାନଙ୍କର ଭୂମିକା କୁ ପ୍ରଶଂସା କରିବା ସହ ରେଡ଼କ୍ରସ ଏକ ଉଚିତ୍ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ବିଶିଷ୍ଟ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଙ୍କୁ ରେଡକ୍ରସ ର ଜୀବନ ବ୍ୟାପୀ ସଦସ୍ୟତା ସହ ସମାଜ ସେବା ରେ ସମର୍ପିତ ମନୋଭାବ ପାଇଁ ସମ୍ମାନିତ କରାଯାଇଥିଲା । ରେଡକ୍ରସ ଆନ୍ଦୋଳନ କୁ ଆହୁରି ତୀବ୍ର କରିବା ପାଇଁ ରେଡ଼କ୍ରସ ଜିଲ୍ଲା ଆବାହକ ଦିଲ୍ଲୀପ କୁମାର ହୋତା ଆହ୍ବାନ କରିଥିଲେ। କଲେଜ ସ୍ତରରେ ରେଡକ୍ରସ କୁ ସକ୍ରିୟ କରିବା ସହ ଆଗାମୀ ଦିନରେ ଯୁବ ରେଡକ୍ରସ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଅଖିଳ କୁମାର ଭଟ୍ଟ ସୂଚନା ଦେଇଥିଲେ । ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଆସିଥିବା ଅଧ୍ୟକ୍ଷ ଓ କାଉନସିଲର ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।ସମଗ୍ର କାର୍ଯକ୍ରମ ର ବିଭିନ୍ନ ବିଭାଗ କୁ ସଂଯୋଜନା କରିଥିଲେ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରାସାଦ ହୋତ୍ତା।ଶ୍ରୀ ଆଶୋକ ପାତ୍ର ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଚଳିତ ବର୍ଷ ର ମୂଖ୍ୟ ଆକର୍ଷଣ ଭାଵେ ପକ୍ଷୀ ମାନଙ୍କୁ ଖାଇବା ଓ ପିଇବାକୁ ଦେବା ତଥା ସୁରକ୍ଷା ପାଇଁ "ଆସ - ଖାଇବାକୁ ଦେବା" ଅଭିଯାନ କୁ ଅତିଥି ମାନେ ଉଦଘାଟନ କରିଥିଲେ। ପ୍ରତି ଅନୁଷ୍ଠାନ ରେ ଛାତ୍ର ଛାତ୍ରୀ ଙ୍କୁ ପକ୍ଷୀମାନଙ୍କର ସୁରକ୍ଷା ଦେବାରେ ଉତ୍ସାହିତ କରିବା ପାଇଁ ସମସ୍ତ କାଉନସେଲର ମାନେ ପ୍ରତିଶ୍ରୁତି ଦେଇଥିଲେ।ଗତ ୨୦୨୪ ମସିହା ରେ ଯୁବ ରେଡକ୍ରସ ତରଫରୁ ଆରମ୍ଭ ହୋଇଥିବା "ବରଗଛ ଅଭିଯାନ" ଦ୍ୱାରା ଉତ୍ସାହିତ ହୋଇ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ନାହାକ ନିଜ ଉଦ୍ୟମରେ ୫୦ ଗୋଟି ବରଗଛ ଚାରା ଆଣି ସମସ୍ତଙ୍କୁ ପ୍ରଦାନ କରିଥିଲେ। ତାଙ୍କରି ଏହି ସ୍ୱେଚ୍ଛାକୃତ ଉଦ୍ୟମ କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ।ଚଳିତ ବର୍ଷ ଯୁବ ରେଡକ୍ରସ ର ସ୍ୱେଚ୍ଛାସେବୀ ତାଲିମ ପ୍ରଶିକ୍ଷଣ ଶିବିର ଉମରକୋଟ ସ୍ଥିତ ଏସ ଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନାବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ - ଚନ୍ଦାହାଣ୍ଡି ଓ ରାଜ ଚାମୁରୀୟା ଉଚ୍ଚ ବିଦ୍ୟାଳୟ - କୋଡ଼ିଗାଁ ରେ କରିବା ପାଇଁ ଅଧ୍ୟକ୍ଷ ମାନେ ପ୍ରସ୍ତାବ ଦେଇଥିଲେ । ସର୍ବୋପରି ପ୍ରାୟ ସମସ୍ତ ସଭ୍ୟ ସଭ୍ୟା ଙ୍କୁ ନେଇ ଅନୁଷ୍ଠିତ ବୈଠକ ରେ ଅନେକ ଗୁଡ଼ିଏ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିଲା।