-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁ ଧାନ କିଣାକୁ ନେଇ ଅନିଶ୍ଚିତତା ଦେଖାଦେଇଛି l ବଲାଙ୍ଗୀର ଜିଲ୍ଲାରେ ପେକ୍ସ ସମ୍ପାଦକ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଖରିଫ ଋତୁ ଧାନ କିଣାନେଇ ଦେଖା ଦେଇଛି ଅନିଶ୍ଚିତତା ।
ବଲାଙ୍ଗୀର: ଜିଲ୍ଲାରେ ଖରିପ ଋତୁ ଧାନ କିଣା ପୂର୍ବରୁ ଉପୁଜିଲାଣି ସମସ୍ୟା । ନିର୍ଦ୍ଧାରିତ ସମୟରେ ଧାନ କିଣାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା । ଜିଲ୍ଲାରେ ଏହି ସମୟରେ ଖରିଫ ଋତୁ ଧାନ ଅମଳ ହୋଇଥାଏ । ଏହାକୁ ସରକାର ପେକ୍ସ ବା ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିଥାନ୍ତି । ସେହିପରି ଏହି ଧାନ କିଣା ପାଇଁ ଗତ
୧୧ ତାରିଖରେ ଜିଲ୍ଲା ଧାନ କ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୨୯ ନଭେମ୍ବରରୁ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ହେଲେ ଏଭଳି ସମୟରେ ବଲାଙ୍ଗୀର ଜିଲ୍ଲାର ସବୁ ପେକ୍ସ ସମ୍ପାଦକ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଯାହା ଏବେ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି।
ଦୀର୍ଘ ତିନି ଦିନ ହେଲା ପାଞ୍ଚ ଦଫା ଦାବି ପୂରଣ ନେଇ ଆନ୍ଦୋଳନ କରୁଥିବା ବେଳେ ଦାବି ପୂରଣ ନହେଲେ ଆଗକୁ ଏମାନେ ଧାନ କିଣାରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଧାରଣା ଜାରି ରଖିଛନ୍ତି । ଯାହାଦ୍ବାରା ଜିଲ୍ଲାରେ ଧାନ କିଣା ନିର୍ଦ୍ଧାରିତ ତାରିଖରୁ ହେବା ଏକ ପ୍ରକାର ସମ୍ଭବ ପର ହୋଇନାହିଁ । ଅନ୍ୟପଟେ ଏଥର ବଲାଙ୍ଗୀର ଜିଲ୍ଲାରେ ମୋଟ ୩ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଛି । ଚାଷୀ ଏହି ଧାନକୁ ଏବେ ଅମଳ କରିବା ଆରମ୍ଭ ମଧ୍ୟ କରିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ନିର୍ଦ୍ଧାରିତ ତାରିଖରୁ ଧାନ
କିଣା ଆରମ୍ଭ କରିବା ପାଇଁ ସବୁ ପ୍ରସ୍ତୁତି ହାତକୁ ନେଇଛି। ଏଥିରେ ୧୫୮ ଟି ପେକ୍ସ ଓ ୧୪ ଟି ଏସଏଚଜି ଦ୍ବାରା ଧାନ କିଣା ପାଇଁ ପ୍ରସ୍ତୁତି କରିଛି । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୩୪ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ।
ସେହିପରି ଏଥିପାଇଁ ୬୨୫୫୫ ଜଣ ଚାଷୀ ପଞ୍ଜୀକୃତ ମଧ୍ୟ ହୋଇ ସାରିଛନ୍ତି । ହେଲେ ଏଭଳି ସମୟରେ ପେକ୍ସ ସମ୍ପାଦକଙ୍କ ଆନ୍ଦୋଳନ ସମସ୍ୟା ସୃଷ୍ଟି କରିଛି। ସେପଟେ ଜିଲ୍ଲା ପ୍ରଶାସନ ଏହି ସବୁ ସମସ୍ୟାକୁ ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟିତ ଥିବା କହିଛି। ତେବେ ଚାଷୀ ତାଙ୍କ ଧାନ ଅମଳ କରିବା ଆରମ୍ଭ କରିଛନ୍ତି ଏବଂ ଅମଳ ହୋଇଥିବା ତାଙ୍କ ଧାନ ଶୀଘ୍ର କ୍ରୟ କରା ନଗଲେ ଏମାନେ କ୍ଷତି ସହିବା ନିଶ୍ଚିତ । ତେଣୁ ନିର୍ଦ୍ଧାରିତ ସମୟରେ ସୁରୁଖୁରୁରେ ଧାନ କିଣା ଆରମ୍ଭ କରିବାକୁ ଦାବି ହୋଇଛି।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)