-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
ଫୁଲବାଣୀ: ଆଜି କନ୍ଧମାଳ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୮ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଘଟଣାରୁ ପ୍ରକାଶ, ଗତ ୨୦୧୭ ଅଗଷ୍ଟ ୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଧୀନ ଗୁଞ୍ଜିବାଡ଼ି ଗ୍ରାମର ଅଚ୍ୟୁତ ସାହୁ ନାମକ ଜଣେ ଯୁବକ ମିଠା ଦେବା ବାହାନାରେ ଜଣେ ନାବାଳିକାଙ୍କୁ ତାଙ୍କ ମୋଟର୍ ସାଇକେଲରେ ବସାଇ ଅପହରଣ କରି ନେଇଥିଲା। ଅଚ୍ୟୁତ ନାବାଳିକାଙ୍କୁ ସାରଙ୍ଗଗଡ଼ ମହାବିଦ୍ୟାଳୟ ପଛପଟେ ନୂଆରେ ତିଆରି ଚାଲିଥିବା ଏକ କୋଠାରେ ବାରମ୍ବାର ଦୁଷ୍କର୍ମ କରିଥିଲା। ଏକଥା ବାହାରେ କାହାକୁ କହିଲେ ଜୀବନରେ ମାରିଦେବାକୁ ସମ୍ପୃକ୍ତ ନାବାଳିକାଙ୍କୁ ଧମକ ଦେଉଥିଲା। ତେବେ ନାବାଳିକା ଜଣକ ଘରକୁ ଫେରି ଏ ସମ୍ପର୍କରେ ଘରେ ଜଣାଇବା ପରେ ପରିବାର ଲୋକେ ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ ଓ ମାମଲା ରୁଜୁ ହୋଇଥିଲା। ଆଜି ଫୁଲବାଣୀ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାସ୍କର ଚନ୍ଦ୍ର ସାହୁ ଏହି ମାମଲାର ବିଚାର କରିଥିବା ବେଳେ ସରକାରଙ୍କ ପକ୍ଷରୁ ମାମଲାଟିକୁ ପବ୍ଲିକ ପ୍ରସିକ୍ୟୁଟର ବନମାଳି ବେହେରା ପରିଚାଳନା କରିଥିଲେ। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)